ଜରାସନ୍ଧ ବାରମ୍ବାର ଆକ୍ରମଣ କରୁଥିଲେ ମଧ୍ୟ ଶ୍ରୀକୃଷ୍ଣ ତାଙ୍କୁ ନମାରି ଛାଡ଼ି ଦେଉଥିଲେ, ଜାଣନ୍ତୁ କ’ଣ ଥିଲା କାରଣ

ଭଗବାନ ଶ୍ରୀକୃଷ୍ଣ ଯାହା କରନ୍ତି ତା’ ପଛରେ କିଛି ଉଦ୍ଦେଶ୍ୟ ରହିଥାଏ । ସେଥିପାଇଁ ଭାଗବତରେ କୁହାଯାଇଛି- ‘କରି କରାଉ ଥାଇ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ । ’ ସବୁ କର୍ମ ଓ ଅକର୍ମର କାରଣ ସେ ଓ ପ୍ରେରଣା ମଧ୍ୟ ସେ । ମହାଭାରତରେ ମଧ୍ୟ ବହୁ କାହାଣୀ ଅଛି ଯାହାର କାରଣ ସମ୍ପର୍କରେ ଲୋକେ ବୁଝି ପାରିନାହାଁନ୍ତି । ତେବେ ଅନ୍ତିମ ଚରଣରେ କାହ୍ନାଙ୍କ ରହସ୍ୟ ସମ୍ପର୍କରେ ଜଣାପଡେ ଯେ ଭଗବାନ କ’ଣ ଚାହୁଁଥିଲେ ।

କଂସଙ୍କ ମୃତ୍ୟୁ ପରେ ତାଙ୍କର ଶ୍ୱଶୁର ଜରାସନ୍ଧ କୃଷ୍ଣଙ୍କ ଉପରେ ବହୁତ କ୍ରୋଧୀତ ହୋଇଥିଲେ । ଶ୍ରୀକୃଷ୍ଣ ଓ ବଳରାମଙ୍କୁ ମାରିବା ପାଇଁ ମଥୁରା ଉପରେ ୧୭ ଥର ଆକ୍ରମଣ କରିଥିଲେ । ଜରାସନ୍ଧ ଯେତେବେଳେ ଆକ୍ରମଣ କରୁଥିଲେ ସେତେବେଳେ ସେ ପରାଜୟ ବରଣ କରୁଥିଲେ । ସେ ପୁଣି ଶ୍ରୀକୃଷ୍ଣଙ୍କ ବିରୋଧୀ ରାଜାମାନଙ୍କୁ ଏକଜୁଟ କରି ବିଶାଳ ସେନା ସହ ମଥୁରା ଉପରେ ଆକ୍ରମଣ କରୁଥିଲେ । ହେଲେ ପ୍ରତିଥର ଶ୍ରୀକୃଷ୍ଣ ତାଙ୍କର ବିଶାଳ ସେନାକୁ ନିପାତ କରୁଥିଲେ । ହେଲେ ଜରାସନ୍ଧଙ୍କୁ ଛାଡ଼ି ଦେଉଥିଲେ ।

jarasandha
photo credit: Hotstar

ବଳରାମଙ୍କୁ ଏହି କଥା ବଡ଼ ଅସୁବିଧା ଲାଗୁଥିଲା । ତାଙ୍କ ମନରେ ବାରମ୍ବାର ଏହି ପ୍ରଶ୍ନ ଉଙ୍କି ମାରୁଥିଲା ଯେ କ’ଣ ପାଇଁ ଶ୍ରୀକୃଷ୍ଣ ବାରମ୍ବାର ଜରାସନ୍ଧଙ୍କୁ ଛାଡ଼ି ଦେଉଛନ୍ତି । ବଳରାମ ଶ୍ରୀକୃଷ୍ଣଙ୍କୁ ଏହା ପଚାରିବାରୁ ଶ୍ରୀକୃଷ୍ଣ ସ୍ମିତ ହାସ୍ୟରେ ଏହାର କାରଣ କହିଲେ । ହେ ଭ୍ରାତା ! ମୁଁ ବାରମ୍ବାର ଜାଣିଶୁଣି ଜରାସନ୍ଧଙ୍କୁ ଏଥିପାଇଁ ଛାଡ଼ି ଦେଉଛି ଯେ ଜରାସନ୍ଧ ପୁରା ପୃଥିବୀରୁ ଦୁଷ୍ଟମାନଙ୍କୁ ଏକାଠି କରି ମୋ ସାମ୍ନାକୁ ଯେପରି ଆଣିପାରିବ ।

ମୁଁ ସେମାନଙ୍କୁ ସହଜରେ ନିପାତ କରିପାରିବି । ନଚେତ୍‌ ମୋତେ ଏହି ଦୁଷ୍ଟମାନଙ୍କୁ ନିପାତ କରିବା ପାଇଁ ସାରା ପୃଥିବୀ ଚକ୍କର ମାରିବାକୁ ପଡ଼ିଥାନ୍ତା । ପୃଥିବୀରୁ ଦୁଷ୍ଟ ନିପାତ କରିବା ତ ମୋର କାର୍ଯ୍ୟ । ଯାହାକି ଜରାସନ୍ଧ ମୋ କାର୍ଯ୍ୟକୁ ଅତି ସହଜରେ କରାଇଦେଲା । ଯେତେବେଳେ ସବୁ ଦୁଷ୍ଟଙ୍କୁ ମାରିଦେବି ତା’ପରେ ଜରାସନ୍ଧଙ୍କୁ ମଧ୍ୟ ମାରିଦେବି । ଚିନ୍ତା କରନ୍ତୁନି ମୋର ଭ୍ରାତା । ଶ୍ରୀକୃଷ୍ଣଙ୍କ ଏହା କହି ସେଦିନ ବଳରାମଙ୍କ ଦ୍ୱନ୍ଦ୍ୱ ଦୂର କରିଥିଲେ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.