ମେ’ ୧ ରେ କାହିଁକି ପାଳିତ ହୁଏ ଅନ୍ତର୍ଜାତୀୟ ଶ୍ରମିକ ଦିବସ, ଜାଣନ୍ତୁ ଏହି ଦିନର ଇତିହାସ

ଆଜି ମେ’ ୧। ସାରା ବିଶ୍ୱରେ ଆଜିର ଦିନକୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି। ୧୮୮୬ ମସିହାରେ ଆଜିର ଦିନରେ ଆମେରିକାରେ ପ୍ରଥମେ ଶ୍ରମିକଙ୍କ ପାଇଁ କାମ କରିବା ସମୟ ନିର୍ଦ୍ଧାରିତ ହୋଇଥିଲା। ସେହି ଦିନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ମେ ୧ ତାରିଖକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି। କେହି କେହି ଆଜିର ଦିନକୁ ମେ ଡେ ବୋଲି ମଧ୍ୟ କହିଥାନ୍ତି।

ଶ୍ରମିକ ଦିବସର ଇତିହାସ :

ପୂର୍ବରୁ ଶ୍ରମିକଙ୍କ ପାଇଁ କାମ କରିବାର କୌଣସି ସମୟ ସୀମା ନ ଥିଲା। ଏଣୁ ମାଲିକମାନେ ସେମାନଙ୍କୁ ଦିନକୁ ୧୦-୧୫ ଘଣ୍ଟା କାମ କରାଉଥିଲେ। ଏହାକୁ ବିରୋଧ କରି ୧୮୭୭ ମସିହାରେ ଶ୍ରମିକମାନେ ନିଜ କାମ କରିବାର ସମୟସୀମା ନିର୍ଦ୍ଧାରଣ କରିବା ପାଇଁ ଆନ୍ଦୋଳନ କରିଥିଲେ। ଏଥିସହ କାମ କରିବା ସମୟ ୮ ଘଣ୍ଟା ରଖିବାକୁ ଦାବି କରିଥିଲେ। ୧୮୮୬ ମସିହା ମେ ୧ ତାରିଖରେ ଆମେରିକାର ପାଖାପାଖି ୧୧ ହଜାର କାରଖାନାର ୩ ଲକ୍ଷ ୮୦ ହଜାର ଶ୍ରମିକ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।

ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଶ୍ରମିକଙ୍କ ଉପରେ ପୋଲିସ ଅନ୍ଧାଧୂନ ଗୁଳି ମାଡ଼ କରିଥିଲା। ଏହି ଗୁଳି ମାଡ଼ରେ ଅନେକ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଶହ ଶହ ଶ୍ରମିକ ଗୁରୁତର ମଧ୍ୟ ହୋଇଥିଲେ। ଏହି ଘଟଣାର ୩ ବର୍ଷ ପରେ ୧୮୮୯ ମସିହାରେ ପ୍ୟାରିସରେ ଅନ୍ତରାଷ୍ଟ୍ରୀୟ ସମାଜବାଦୀ ସମ୍ମେଳନ ହୋଇଥିଲା। ଏହି ବୈଠକରେ ଶ୍ରମିକମାନେ ଦିନକୁ ୮ ଘଣ୍ଟା କାମ କରିବା ନେଇ ନିଷ୍ପତ୍ତି ହୋଇଥିଲା। ଏହି ସମ୍ମେଳନରେ ମେ ୧ କୁ ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳନ କରାଯିବା ପ୍ରସ୍ତାବ ମଧ୍ୟ ପାରିତ ହୋଇଥିଲା। ତା ପରଠାରୁ ଆମେରିକାରେ ଏହି ନିୟମ ପ୍ରଚଳନ ହୋଇଥିଲା। ସେବେ ଠାରୁ ସାରା ଦୁନିଆରେ ମେ ୧ ତାରିଖକୁ ଶ୍ରମିକ ଦିବସ ରୂପେ ପାଳନ କରାଯାଉଛି।

Labour

୩୪ ବର୍ଷ ପରେ ଭାରତରେ ଆରମ୍ଭ ହେଲା ଶ୍ରମିକ ଦିବସ :

ଆମେରିକାରେ ଶ୍ରମିକ ଦିବସ ପାଳନ ହେବାର ୩୪ ବର୍ଷ ପରେ ଅର୍ଥାତ୍ ୧୯୨୩ ମସିହା ମେ ୧ ତାରିଖରେ ଭାରତରେ ପ୍ରଥମେ ଶ୍ରମିକ ଦିବସ ପାଳିତ ହୋଇଥିଲା। ଭାରତରେ ପ୍ରଥମ ଥର ପାଇଁ ଚେନ୍ନାଇରେ ଶ୍ରମିକ ଦିବସ ପାଳିତ ହୋଇଥିଲା। ଲେବର କିଷାନ ପାର୍ଟି ଅଫ ହିନ୍ଦୁସ୍ତାନର ଅଧ୍ୟକ୍ଷତାରେ ଏ ନେଇ ନିଷ୍ପତ୍ତି ହୋଇଥିଲା। ଏକାଧିକ ସଂଗଠନ ଓ ପାର୍ଟି ଏହି ବୈଠକକୁ ସମର୍ଥନ କରିଥିଲେ। ଫଳରେ ୧୯୨୩ ମସିହା ମେ ୧ ତାରିଖକୁ ମାଡ୍ରାସରେ ଶ୍ରମିକ ଦିବସ ପାଳନ କରିବା ଆରମ୍ଭ ହୋଇଥିଲା। ସେହିଦିନ ଠାରୁ ମେ ୧ ତାରିଖକୁ ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି।

Also Read: ଏ ସପ୍ତାହର ରାଶିଫଳ !

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.