୧୦ ଦିନ ପରେ ଡେଡ୍‌ ହୋଇଯିବ ଲ୍ୟାଣ୍ଡର ବିକ୍ରମ, ଅରବିଟର୍‌ର ଗ୍ରାଉଣ୍ଡ ଷ୍ଟେସନ୍‌ ଆଡ଼କୁ ଆଣ୍ଟିନା ମୁହାଁଇଥିଲେ ମିଳିପାରେ ଇସ୍ରୋର ସିଗନାଲ

ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ ପରେ ଖଣ୍ଡଖଣ୍ଡ ହୋଇ ଭାଙ୍ଗି ଯାଇନି ଲ୍ୟାଣ୍ଡର ବିକ୍ରମ। ସଂପୂର୍ଣ୍ଣ ସୁରକ୍ଷିତ ଥିବା ଆଜି ଇସ୍ରୋ ପକ୍ଷରୁ କୁହାଯାଇଛି । ଅରବିଟର ଠାବ ହେବା ପରେ ପୁଣି ଥରେ ଯୋଗାଯୋଗ ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛି ଇସ୍ରୋ । କିନ୍ତୁ ହାତରେ ଅଛି ଆଉ ମାତ୍ର ୧୦ ଦିନ ।

ଭାଂଗି ଯାଇନି ଲ୍ୟାଣ୍ଡର ବିକ୍ରମ। ଯୋଗାଯୋଗ ବିଛିନ୍ନ ହେବା ପରେ, ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଛି। କିନ୍ତୁ ସଂପୂର୍ଣ୍ଣ ଅକ୍ଷତ ରହିଛି। କେବଳ ଗୋଟିଏ ପାଖକୁ ଢଳି ପଡ଼ିଛି। ରୋଭର ପ୍ରଜ୍ଞା ବାହାରକୁ ବାହାରି ନାହିଁ। ଅଫିସିଆଲ ଟ୍ଵିଟର ଏକାଉଣ୍ଟରେ ଏ ନେଇ ସ୍ପଷ୍ଟ କରିଛି ଇସ୍ରୋ। ବିକ୍ରମକୁ ଠାବ କରିବାରେ ସକ୍ଷମ ହୋଇଛି ଚନ୍ଦ୍ରର କକ୍ଷପଥରେ ଘୂରିବୁଲୁଥିବା ଅରବିଟର। ଅରବିଟର ପଠାଇଥିବା ଥର୍ମାଲ ଇମେଜ୍‌ରୁ ବିକ୍ରମର ଅବସ୍ଥିତି ସଂପର୍କରେ ଜାଣିବା ପରେ ମୁନ୍‌ ମିଶନକୁ ନେଇ ପୁନଃ ଆଶା ସଂଚାର ହୋଇଛି। ଅବତରଣ ବେଳେ ବିଛିନ୍ନ ହୋଇଥିବା ଯୋଗାଯୋଗର ପୁନଃ ସ୍ଥାପନା ପାଇଁ ଲାଗି ପଡ଼ିଛି ଇସ୍ରୋ। ବିକ୍ରମକୁ ପୁଣି ଥରେ କାର୍ଯ୍ୟକ୍ଷମ କରାଇବାକୁ ସମସ୍ତ ପ୍ରକାର ଉଦ୍ୟମ ଚଳାଇଛନ୍ତି ଭାରତୀୟ ମହାକାଶ ବିଜ୍ଞାନୀ। କିନ୍ତୁ ଏପର୍ଯ୍ୟନ୍ତ ଯୋଗାଯୋଗ ସମ୍ଭବ ହୋଇ ପାରୁନି। ଏହା ଏତେ ସହଜ ନହେଲେ ବି ମୁନ୍‌ ମିଶନ ଉପରୁ ଆଶା ହରାଇ ନାହିଁ ଇସ୍ରୋ। ତେବେ ଗୁରୁତ୍ୱପୂର୍ଣ୍ଣ ହେଉଛି, କେଉଁ ଦିଗକୁ ରହିଛି ଲ୍ୟାଣ୍ଡର ବିକ୍ରମର ଆଣ୍ଟିନା। ଅରବିଟର୍‌ର ଗ୍ରାଉଣ୍ଡ ଷ୍ଟେସନ୍‌ ଆଡ଼କୁ ଆଣ୍ଟିନା ମୁହାଁଇଥିଲେ ଇସ୍ରୋର ସିଗନାଲ ପାଇବା ସମ୍ଭବ ହୋଇପାରେ। ବିକ୍ରମର ବାହାର ପାଖରେ ସୌର ପ୍ୟାନେଲ ଲାଗି ଥିବାରୁ ଶକ୍ତି ପାଇଁ କୌଣସି ସମସ୍ୟା ନାହିଁ। କିନ୍ତୁ ଭିତର ଯନ୍ତ୍ରାଂଶ ଠିକ୍‌ ଅଛି କି ନାହିଁ ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।

ଅନ୍ୟପଟେ ଯାହା ହେବ ଆସନ୍ତା ୧୦ ଦିନ ମଧ୍ୟରେ। ଏହା ପରେ ଡେଡ୍‌ ହୋଇଯିବ ଲ୍ୟାଣ୍ଡର ବିକ୍ରମ। ଏହାର ଆୟୁଷ ଥିଲା ମାତ୍ର ଗୋଟିଏ ଚନ୍ଦ୍ରଦିନ। ଚନ୍ଦ୍ରର ଗୋଟିଏ ଦିନ ପୃଥିବୀର ୧୪ ଦିନ ସହ ସମାନ। ଏଥିରୁ ୪ ଦିନ ଅତିକ୍ରାନ୍ତ ହୋଇ ସାରିଛି। ତେଣୁ ସୀମିତ ସମୟ ଭିତରେ ବିକ୍ରମ ସହ ଯୋଗାଯୋଗ କରିବାକୁ ଯଥା ସମ୍ଭବ ଉଦ୍ୟମ କରୁଛି ଇସ୍ରୋ। ୭ ତାରିଖ ଭୋର ୧ଟା ୫୫ ମିନିଟିରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଥାନ୍ତା ବିକ୍ରମ। କିଛି ସମୟ ପରେ ବିକ୍ରମ ଦେହରୁ ବାହରିଥାନ୍ତା ରୋଭର ପ୍ରଜ୍ଞା। କିନ୍ତୁ ଅବତରଣ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ବେଳେ ଇସ୍ରୋ ସହ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା। ସେତେବେଳକୁ ଚନ୍ଦ୍ରପୃଷ୍ଠରୁ ୨.୧ କିଲୋମିଟର ଉଚ୍ଚରେ ଥିଲା ଲ୍ୟାଣ୍ଡର। ସଂପର୍କ ବିଛିନ୍ନ ହେବାର ଦୁଇ ଦିନ ପରେ ବିକ୍ରମକୁ ଚନ୍ଦ୍ରପୃଷ୍ଠରେ ଠାବ କରିଥିଲା ଅରବିଟର୍‌। ପଠାଇଥିଲା ଏହାର ଥର୍ମାଲ ଇମେଜ୍‌। ତେବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ ଅତ୍ୟନ୍ତ ଜଟିଳ ପ୍ରକ୍ରିୟା ବୋଲି କହିଛନ୍ତି ବିଦେଶୀ ମହାକାଶ ଗବେଷଣା ସଂସ୍ଥା ସ୍ୱୀକାର କରିଛନ୍ତି। ଯଦି ବିକ୍ରମ କାର୍ଯ୍ୟକ୍ଷମ ହୁଏ, ତେବେ ୯୫ ନୁହେଁ ଶତ ପ୍ରତିଶତ ସଫଳ ହେବ ଭାରତର ମୁନ୍‌ ମିଶନ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.