ଟେଲିମେଡିସିନ୍ର ନୂଆ ଟେକ୍ନୋଲୋଜି, ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ଆଉ ପ୍ରତିବନ୍ଧକ ସାଜିବନି ଭାଷା, ଏହି ମେସିନ୍ ବୁଝିବ ଉଭୟଙ୍କ କଥା
ଟେଲିମେଡିସିନ୍ ବା କମ୍ପ୍ୟୁଟର ମାଧ୍ୟମରେ ଦୂରରେ ରହୁଥିବା ଡାକ୍ତରଙ୍କ ସହ ଯୋଗାଯୋଗ କ୍ଷେତ୍ରରେ ରୋଗୀଙ୍କ ସବୁଠାରୁ ବଡ଼ ସମସ୍ୟା ହେଉଛି ଭାଷା। ରୋଗୀଙ୍କ ଭାଷା ଡାକ୍ତର ଓ ଡାକ୍ତରଙ୍କ ଭାଷା ରୋଗୀ ବୁଝିବା କଷ୍ଟକର ହୋଇଥିବାରୁ ବିଦେଶରେ ଚିକିତ୍ସା କରିବାକୁ ଲୋକେ ଇଚ୍ଛା ପ୍ରକାଶ କରୁନାହାନ୍ତି। ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ଏବେ ଏକ ନୂଆ ଯନ୍ତ୍ର ଉଦ୍ଭାବନ କରିଛନ୍ତି ଯାହା ଡାକ୍ତର ଓ ରୋଗୀଙ୍କ ଭାଷା ବୁଝିବାରେ ସାହାଯ୍ୟ କରିବ। ଉଭୟେ ନିଜ ମନମୁତାବକ ଭାଷା ଚୟନ କରି ଏହାକୁ ବ୍ୟବହାର କରିପାରିବେ।
ଏହି ଟେକ୍ନିକକୁ ଭାରତର ସିଣ୍ଟ ହେଲ୍ଥକେୟାର ଓ ଇସ୍ରାଇଲ୍ର ଜିଓଏଲ୍ କମ୍ପାନୀ ମିଳିତ ଭାବେ ଉଦ୍ଭାବନ କରିଛି। ବିଭିନ୍ନ ସ୍ତରରେ ଏହି ଟେକ୍ନିକ୍ର ପରୀକ୍ଷଣ କରାଯାଉଛି। ପ୍ରାଥମିକସ୍ତରରେ ମେସିନ୍ ସମ୍ପର୍କରେ ଦ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ଏବଂ ନୀତି ଆୟୋଗ ସକାରାତ୍ମକ ଟିପ୍ପଣୀ ଦେଇଛନ୍ତି। ଯଦି ସବୁକିଛି ଠିକ୍ ରହେ ତେବେ ଖୁବ୍ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି କମ୍ପାନୀ ସୂଚନା ଦେଇଛି।
ଭାରତର ପ୍ରତି ଗାଁକୁ ଏହି ସେବା ଯୋଗାଇବା କମ୍ପାନୀର ଲକ୍ଷ୍ୟ ବୋଲି ସିଣ୍ଟ ହେଲଥକେୟାରର ନିର୍ଦ୍ଦେଶକ ମୋନିକା ସେଠ୍ କହିଛନ୍ତି। ସାଧାରଣତଃ ମହିଳାମାନେ ତାଙ୍କ ସମସ୍ୟା ସମ୍ପର୍କରେ ପୁରୁଷ ଡାକ୍ତରଙ୍କୁ କହିପାରନ୍ତି ନାହିଁ। ବିଶେଷ କରି ଗର୍ଭାବସ୍ଥାରେ ମହିଳାମାନେ ଏଭଳି ପରିସ୍ଥିତିକୁ ସାମ୍ନା କରିଥାନ୍ତି। ତେବେ ଏହି ଆଧୁନିକ ଯନ୍ତ୍ର ମହିଳାଙ୍କ ସମସ୍ୟାକୁ ସମାଧାନ କରିବାରେ ସକ୍ଷମ ହେବ। ଏହି ମେସିନ୍କୁ ଗର୍ଭବତୀ ମହିଳା ନିଜ ପେଟ ଉପରେ ରଖିବା ପରେ ଦୂରରେ ଥିବା ଡାକ୍ତର ସ୍କାନ୍ କରି ଛୁଆର ହୃଦ୍ସ୍ପନ୍ଦନ ଶୁଣିପାରିବେ। ଅନ୍ୟ ବିଷୟରେ ମଧ୍ୟ ସେ ପରୀକ୍ଷା କରିପାରିବେ ବୋଲି ମୋନିକା ସେଠ୍ କହିଛନ୍ତି।
ଏହାସହ ପଢ଼ନ୍ତୁ: ପୁରୁଣାଭଙ୍ଗା ଘଣ୍ଟାକୁ ନୂଆ ରୂପ ଦିଅନ୍ତି ଏହି ବ୍ୟକ୍ତି, କେବେ ବି ଦେଖିନଥିବେ ଏଭଳି କଳାକୃତି
ମୋନିକା ସେଠ୍ଙ୍କ କହିବାନୁସାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ରିପୋର୍ଟରେ କୁହାଯାଇଛି ଯେ ରୋଗ ହେବା ପୂର୍ବରୁ ଯଦି ଜଣେ ଏଥିପ୍ରତି ଯତ୍ନବାନ୍ ରହିବ ତେବେ ଖର୍ଚ୍ଚକୁ ୮୦ ପ୍ରତିଶତ ଯାଏଁ କମାଯାଇପାରିବ। ଭବିଷ୍ୟତରେ ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ସୁବିଧା ଉପଲବ୍ଧ ହେବ ବୋଲି ସେ ସୂଚନା ଦେଇଛନ୍ତି।