ଲାଫିଙ୍ଗ୍ ବୁଦ୍ଧ ସବୁବେଳେ ହସନ୍ତି କାହିଁକି? ଜାଣନ୍ତୁ ଏହା ପଛରେ କଣ ରହିଛି ମହତ ଉଦ୍ଦେଶ୍ୟ

ଲାଫିଙ୍ଗ୍ ବୁଦ୍ଧ ସବୁବେଳେ ହସନ୍ତି କାହିଁକି, ଏକଥା ବୋଧେ ଅନେକ ଲୋକ ଜାଣିନଥିବେ। ଆଜି ଆସନ୍ତୁ ଜାଣିବା ଲାଫିଙ୍ଗ୍ ବୁଦ୍ଧଙ୍କ ବିଷୟରେ କିଛି ନୂଆ ଓ ଅଜଣା କଥା…

ଚାଇନାରେ ତିନି ଜଣ ସାଧୁ ଥିଲେ, ଯେଉଁମାନେ ଆଦୌ କାହା ସହ କଥା ହେଉନଥିଲେ। ଏମାନେ କେବେ ବି ନିଜ ବିଷୟରେ କାହାକୁ କିଛି କୁହନ୍ତି ନାହିଁ। ଏମାନେ କୋଉଠୁ ଆସିଛନ୍ତି, କଣ ତାଙ୍କ ପରିଚୟ କେହି ଜାଣି ନାହାଁନ୍ତି। କିନ୍ତୁ ଏମାନଙ୍କ ହସ ହସ ମୁହଁ ବିଶ୍ବ ସାରା ଲୋକଙ୍କୁ ବିମୋହିତ କରୁଥିଲା। ଏମାନେ ସବୁବେଳେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ବୁଲନ୍ତି। ଚାଲି ଚାଲି ସହରରୁ ସହର ଯାତ୍ରା କରନ୍ତି । ଯେଉଁଠି ଠିଆ ହୁଅନ୍ତି କେବଳ ହସନ୍ତି, ଏମାନଙ୍କ ହସ ମୁହଁ ଯିଏ ଦେଖେ, ସେ ଟାଣି ହୋଇ ତାଙ୍କ ପାଖକୁ ଆସେ। ଧୀରେ ଧୀରେ ଏହି ଭିକ୍ଷୁଙ୍କ ନାଁ ଲାଫିଙ୍ଗ୍ ଭିକ୍ଷୁ ରହିଲା। ଏମାନଙ୍କୁ ନେଇ ଚର୍ଚ୍ଚା ବି ଚାଲିଲା।

ଆଶ୍ଚର୍ଯ୍ୟର କଥା ହେଲା ଏହି ଭିକ୍ଷୁମାନଙ୍କୁ କେହି କେବେ ଦୁଃଖ ବି କରିବା ଦେଖି ନଥିଲେ । ତେବେ ଥରେ ଏହି ତିନିଜଣ ଏକ ଗାଁରେ ବିଶ୍ରାମ ନେବା ସମୟରେ ଜଣେ ଭିକ୍ଷୁଙ୍କ ମୃତ୍ୟୁ ହୋଇଗଲା। ଯେଉଁ ଗାଁରେ ତାଙ୍କ ମୃତ୍ୟୁ ହେଲା, ସେଠାକାର ଲୋକେ ଅନ୍ୟ ଦୁଇଜଣ ଭିକ୍ଷୁ କେମିତି ଶୋକ କରିବେ ତାହା ଦେଖିବାକୁ ଧାଇଁ ଆସିଲେ। କିନ୍ତୁ ଦୁଇ ଭିକ୍ଷୁ ମୃତଦେହ ପାଖରେ ଠିଆ ହୋଇ ନ କାନ୍ଦି ବରଂ ଜୋରେ ଜୋରେ ହସୁଥିଲେ ।

ଏହା ଦେଖି ଗାଁର କିଛି ଲୋକ ଦୁଇଜଣଙ୍କୁ ବୁଝାଇଲେ ଯେ ଆପଣଙ୍କ ବନ୍ଧୁ ମରି ସାରିଛନ୍ତି। ଆପଣଙ୍କୁ କାନ୍ଦ ଆସୁନି କେମିତି। ଏହା ଶୁଣି ଦୁଇ ଭିକ୍ଷୁ ଜବାବ୍ ଦେଲେ, ସେ ଶାନ୍ତିରେ ଏ ଦେହ ତ୍ୟାଗ କଲେ, ଏଇଟା ଖୁସିର କଥା। ଆମେ ସମସ୍ତେ ବହୁତ୍ ଭଲ ସମୟ ଅତିବାହିତ କରିଛୁ, ତେଣୁ ସେସବୁ ଭଲ ସମୟକୁ ମନେପକାଇ ଆମେ ହସୁଛୁ। ଆମକୁ ସେ ହରାଇଦେଇ ନିଜେ ଜୀବନ ରେସରେ ଜିତିଗଲେ।

ଏହାପରେ ଯେତେବେଳେ ଅନ୍ତିମ ସଂସ୍କାର ପାଇଁ ତାଙ୍କୁ ଗାଧୋଇ ଦେବା ସମୟ ଆସିଲା ଦୁଇ ଭିକ୍ଷୁ ପୁଣି ଖୁବ୍ ଜୋରରେ ହସିଲେ ଏବଂ କହିଲେ, ସେ ସବୁବେଳେ କହୁଥିଲେ ମୁଁ ମଲେ ମୋ ପୋଷାକ ବାହାର କରିବନି, ମୋତେ ଗାଧୋଇଦେବନି। କାରଣ ମୋ ଦେହ ସ୍ୱଚ୍ଛ ଆଉ ପବିତ୍ର । ପବିତ୍ର ଦେହକୁ ଜଳ ଢାଳି ଆଉ ମାଜିବା ଆବଶ୍ୟକତା ନାହିଁ। ତେଣୁ ମୋ ବସ୍ତ୍ର କାଢ଼ିବ ନାହିଁ କି ପାଣି ଢାଳିବ ନାହିଁ। ଏକଥା ଶୁଣି ସମସ୍ତେ ବହୁତ୍ ମନ ଦୁଃଖ କଲେ। ଆଉ ଭିକ୍ଷୁଙ୍କ ଶରୀରରରେ ଅଗ୍ନି ସଂଯୋଗ କଲେ। ଶରୀର ଜଳିବା ଆରମ୍ଭ କରିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ଦୀପାବଳି ଭଳି ବାଣ ଫୁଟିବାକୁ ଲାଗିଲା। ପରେ ଜଣାପଡିଲା ଯେ ଭିକ୍ଷୁ ନିଜ ପିନ୍ଧା ବସ୍ତ୍ରରେ କିଛି ବାଣ ରଖିଥିଲେ। ସେହି ଆତସବାଜି ଦେଖି ସମସ୍ତଙ୍କ ମୁହଁରେ ହସ ଖେଳିଗଲା। ଲୋକମାନେ ବୁଝିଗଲେ ଯେ ଜୀବନରେ ହସିବା କାହିଁକି ଜରୁରୀ। କାରଣ ଏଠି ସବୁ କିଛି କ୍ଷଣସ୍ଥାୟୀ। ସେବେ ଠାରୁ ଲାଫିଙ୍ଗ୍ ବୁଦ୍ଧ ଲୋକପ୍ରିୟ ହୋଇଛନ୍ତି।