ମୋବାଇଲ ମରାମତି ବେଳେ ବମ୍‌ ଭଳି ଫାଟିଲା ଫୋନ୍‌! ଅଳ୍ପକେ ବର୍ତ୍ତିଗଲେ ଦୋକାନୀ ଓ ଗ୍ରାହକ…ଦେଖନ୍ତୁ ଭୟଙ୍କର Video

ଉତ୍ତର ପ୍ରଦେଶର ଲଳିତପୁରରେ ଏକ ମୋବାଇଲ ରିପେୟାରିଂ ଦୋକାନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି କି, ଦୋକାନରେ ହଠାତ୍‌ ଏକ ମୋବାଇଲ ବ୍ଲାଷ୍ଟ୍‍ କରୁଛି। ଏହି ଘଟଣାରେ ଜଣେ ଗ୍ରାହକ ଏବଂ ଦୋକାନୀ ଅଳ୍ପକେ ବର୍ତ୍ତି ଯାଉଛନ୍ତି। ମିଳିଥିବା ଖବର ମୁତାବକ, ଗ୍ରାହକ ଜଣକ ନିଜ ମୋବାଇଲ ଫୋନ ମରାମତି କରିବା ପାଇଁ ଏକ ଦୋକାନକୁ ଯାଇଥିଲେ। ଯେତେବେଳେ ଦୋକାନୀ ମୋବାଇଲରେ କାମ କରୁଥିଲେ, ତ ସେହି ସମୟରେ ହଠାତ୍‌ ମୋବାଇଲଟି ବମ୍‌ ଭଳି ଫାଟିଥିଲା ଏବଂ ସେଥିରୁ ଭୟଙ୍କର ଭାବେ ନିଅାଁ ବାହାରିଥିଲା।

ଘଟଣା ପାଲି ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ପୂରା ଘଟଣାକ୍ରମ ଦୋକାନର ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଛି। ଭଦୋହୀ ଓ୍ଵାଲା ନାମକ ଟ୍ଵିଟର ୟୁଜର ଏହି ଭୟଙ୍କର ଘଟଣାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏଥି ସହିତ କ୍ୟାପସନ ଲେଖାଯାଇଛି, ଉତ୍ତର ପ୍ରଦେଶର ଲଳିତପୁରରେ ମରାମତି ସମୟରେ ଏକ ମୋବାଇଲ ଫୋନ୍‌ ବମ୍‌ ଭଳି ଫାଟିଥିଲା’।

୧୩ ସେକେଣ୍ଡ୍‌ର ଲମ୍ବା ଭିଡିଓରେ ଦେଖାଯାଇ ପାରିବ ଯେ ଯେମିତି ହିଁ ଦୋକାନୀ ଫୋନରୁ ବ୍ୟାଟେରୀ ବାହାର କରୁଛନ୍ତି, ଠିକ୍‌ ସେତିକି ବେଳେ ମୋବାଇଲରେ ନିଅାଁ ଲାଗି ଯାଉଛି ଏବଂ ତାହା ଜୋର୍‌ରେ ଶବ୍ଦ କରି ଫାଟୁଛି। ଏହି ସମୟରେ କାଉଣ୍ଟରରେ ଛିଡ଼ା ହୋଇଥିବା ଗ୍ରାହକ ଓ ଦୋକାନୀ ସଙ୍ଗେ ସଙ୍ଗେ ପଛକୁ ଘୁଞ୍ଚି ଯାଉଛନ୍ତି ଏବଂ ବିସ୍ଫୋରଣରୁ ରକ୍ଷା ପାଉଛନ୍ତି। ଯଦିଓ ଏହି ଘଟଣାରେ କାହାର କିଛି କ୍ଷତି ହୋଇନାହିଁ। କିନ୍ତୁ ଫୁଟେଜ୍‌ ବହୁତ ଚିନ୍ତାଜନକ ରହିଛି। କାହିଁକି ନା, ଅଳ୍ପ ସେକେଣ୍ଡ୍‌ ଡେରୀ ହୋଇଥିଲେ ଦୋକାନୀଙ୍କୁ ଗୁରୁତର ଆଘାତ ଲାଗିଯାଇ ଥାଆନ୍ତା।

ଏ ନେଇ ସ୍ଥାନୀୟ ଥାନା ପୋଲିସ କହିଛି କି, ମାମଲା ଅବଗତକୁ ନିଆଯାଇଛି। ଆମେ ତଦନ୍ତ କରୁଛୁ। ଏହି ଭିଡିଓ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେବା ସହ ଡରାଇ ଦେଇଛି। ଟ୍ଵିଟରରେ ଏହାକୁ ଏ ପର୍ଯ୍ୟନ୍ତ ୧୫,୦୦୦ରୁ ଅଧିକ ଥର ଦେଖାଯାଇ ସାରିଲାଣି।