ମୋବାଇଲ୍‌ କୋଠା : ଡର ନାହିଁ ଭୂମିକମ୍ପ କି ତୋଫାନ୍‌କୁ, କେମିତି ନିର୍ମାଣ ହେଉଛି ଜାଣନ୍ତୁ

କଟକ (କେନ୍ୟୁଜ୍‌) : ଲୁହା ଫ୍ରେମରେ ଠିଆ ହେବ ତିନି ମହଲା ମୋବାଇଲ ଅଟ୍ଟାଳିକା। ନା ବାଲି, ନା ସିମେଣ୍ଟ, ନା ଗୋଡି, ନା ରଡ଼। କେବଳ ଲୁହା ଫ୍ରେମକୁ ନଟ ବୋଲଟ ସାହାଯ୍ୟରେ ଫିଟିଙ୍ଗ କରି ଏହି ଘର ତିଆରି ଚାଲିଛି। କଟକ ରାଜାବଗିଚାସ୍ଥିତ କାଠଯୋଡ଼ି ନଦୀ ବନ୍ଧ ଉପରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିବ ଏହି ଭୂମିକମ୍ପ ନିରୋଧୀ ଅଟାଳିକା। ପାହାଡିଆ ଅଞ୍ଚଳ ଏବଂ ଜାପାନରେ ଏଭଳି ଘର ଅଧିକ ଦେଖିବାକୁ ମିଳିଥାଏ। ଏହା ଏକ ସ୍ଥାନାନ୍ତର ଯୋଗ୍ୟ ମୋବାଇଲ ଅଟ୍ଟାଳିକା। ଇଚ୍ଛା ହେଲେ ଯୁଆଡେ ଚାହିଁବେ ଏହାକୁ ନେଇ ପାରିବେ।

କଟକରେ ନିର୍ମାଣ ଚାଲିଛି ଭୂମିକମ୍ପ ନିରୋଧୀ ଏବଂ ରିମୁଭ-ଏବଲ ବା ମୋବାଇଲ ଅଟ୍ଟାଳିକା। ଇଚ୍ଛା ହେଲେ ଯୁଆଡେ ବି ନେଇ ପାରିବେ ଏହି ଅଟ୍ଟାଳିକା। କେବଳ ଲୁହାରେ ନିର୍ମାଣ ହେଉଛି ଏହି ରିମୁଭେବଲ ଅଟ୍ଟାଳିକା। ଏଥିରେ ନା ସିମେଣ୍ଟ ପିଲର ନା ଇଟାର ବ୍ୟବହାର ହୋଇଛି। ନା ଏଥିରେ ପଡ଼ିବ କୌଣସି ସିମେଣ୍ଟ ଢ଼ଳେଇ। କଟକ ସହରରେ ପ୍ରଥମ ଥର ପାଇଁ ଏହି ରିମୁଭ-ଏବଲ ଅଟ୍ଟାଳିକାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ରାଜାବଗିଚା ସ୍ଥିତ କାଠଯୋଡ଼ି ନଦୀବନ୍ଧ ନିକଟରେ ଏହି ଅଟ୍ଟାଳିକାର ନିର୍ମାଣ କାର୍ଯ୍ୟ ଜୋରଦାର ଚାଲିଛି। କୋଲକାତା, ଓଡ଼ିଶା, ବିହାର, ରାଜସ୍ଥାନର ଶ୍ରମିକ ଏହି କାମ ନିୟୋଜିତ ହୋଇଛନ୍ତି। ଏହି ଘର ତିନି ମହଲା ବିଶିଷ୍ଟ ହେବ। ଯେଉଁଥିରେ ହୋଟେଲ, ରେଷ୍ଟୁରାଣ୍ଟ ସହିତ ମଣ୍ଡପ ରହିବ। ସୁଲଭ ମୂଲ୍ୟରେ କଟକବାସୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଏଭଳି ନୂତନ ଢାଞ୍ଚାରେ ରିମୁଭ-ଏବଲ ବା ମୋବାଇଲ ଅଟ୍ଟାଳିକା ନିର୍ମାଣ କରାଯାଉଛି। କାମ ସରିଲେ ଏହା ଅଧିକ ଆକର୍ଷଣୀୟ ଦେଖାଯିବ।

ଭୂମିକମ୍ପ ପ୍ରବଣ ଅଞ୍ଚଳ ସହ ପାହାଡିଆ ଅଞ୍ଚଳରେ ଅଧିକାଂଶ ଏଭଳି ଅଟ୍ଟାଳିକା ନିର୍ମାଣ ହୋଇଥାଏ। ଦେଖିବାକୁ ସୁନ୍ଦର ଓ ଅଧିକ ମଜବୁତ ହୋଇଥାଏ। ଆବଶ୍ୟକ ପଡ଼ିଲେ ଏହାର ଡିଜାଇନ ମଧ୍ୟ ପରିବର୍ତ୍ତନ କରାଯାଇ ପାରେ। ଏଭଳି ଘର ନିର୍ମାଣ ପାଇଁ ସାଧାରଣ ଅଟ୍ଟାଳିକା ଠାରୁ ବହୁତ କମ୍‌ ସମୟ ଲାଗିଥାଏ। ଏହି ବିଲଡିଂର ୫୦ରୁ ଅଧିକ ବର୍ଷର ଗ୍ୟାରେଣ୍ଟି ରହୁଛି। ଏହି ଅଟାଳିକାରେ ବ୍ୟବହୃତ ସମସ୍ତ ସାମଗ୍ରୀର ରିସେଲ ଭ୍ୟାଲୁ ବହୁତ ଭଲ। ବର୍ଷା, ପବନ ଓ ଭୂମିକମ୍ପ ହେଲେ ମଧ୍ୟ ଏହା ଉପରେ କୌଣସି ଅଧିକ ପ୍ରଭାବ ପଡ଼ିବନି ବୋଲି ଇଞ୍ଜିନିୟର ଦାବି କରୁଛନ୍ତି। ଏହି ତିନି ମହଲା ଘର ତିଆରି ପାଇଁ ୪୫ ଦିନ ସମୟ ଲାଗିବ। ଏଥିରେ ଲୁହା ଫ୍ରେମ ସହ ଡେକସିଟ , ପାୱାର ପ୍ୟାନେଲ , ପ୍ଲାଏ ଭଳି ସାମଗ୍ରୀ ବ୍ୟବହାର କରାଯାଉଛି। ଘରର ବାହାର ପାର୍ଶ୍ୱରେ ସିଟ ରହିବ। ଏହି ସିଟ ମଧ୍ୟରେ ଥର୍ମକୁଲ୍‌ ରହିବ। ଯାହାପାଇଁ ବାହାରର ତାପମାତ୍ରା ଭିତରକୁ ପ୍ରବେଶ କରିବ ନାହିଁ କି ବାହ୍ୟ ଶବ୍ଦ ବି ଭିତରକୁ ଶୁଭିବନି।
ବର୍ଷା, ପବନ, ଭୂମିକମ୍ପରେ ଏହି ଅଟ୍ଟାଳିକାଗୁଡିକ ଉପରେ ପ୍ରଭାବ କମ ରହୁଥିବାରୁ ଆଗାମୀ ଦିନରେ ଏଭଳି ବିଲଡିଂ ସଂଖ୍ୟା ଧୀରେ ଧୀରେ ବଢିବ ବୋଲି ଆଶା କରାଯାଉଛି ।