ଦିବ୍ୟାଙ୍ଗ ପୁଅକୁ ପିଠିରେ ଝୁଲାଇ ଦେଶ ବୁଲାଉଛି ମା, ପୁଅକୁ ଟିକିଏ ବି ଅନୁଭବ କରାଇ ଦେଉନାହାଁନ୍ତି କି ସେ ଦିବ୍ୟାଙ୍ଗ

ସଂସ୍କୃତରେ ଏକ ଶ୍ଳୋକ ଅଛି ଯାହା ମା ଦୁର୍ଗାଙ୍କୁ ସ୍ତୁତି କରାଯାଏ । ‘କୁପୁତ୍ରୋ ଜାୟତେ କ୍ୱଚିଦପି କୁ ମାତା ନଭବତି’ । ଅର୍ଥାତ୍‌, ସନ୍ତାନ ଖରାପ ହୋଇ ପାରେ ହେଲେ ମା କେବେ ଖରାପ ହୋଇ ନପାରେ । ଆଉ ଯେଉଁଠି ସନ୍ତାନ ଟିକେ ତାର ଅନ୍ୟ ପିଲାଙ୍କ ଠାରୁ ଦୁର୍ବଳ ସେଠି ମା’ର ଅଧିକ ସ୍ନେହ ତାରି ଉପରେ ଅଜାଡ଼ି ହୋଇପଡ଼େ । କାରଣ ନିଜ ଅନ୍ତଫାଡ଼ି ତାକୁ ସେ ଜନ୍ମ ଦେଇଛନ୍ତି । ତାରି କ୍ଷୀର ରକ୍ତ ହୋଇ ପିଲାର ଦେହରେ ବହୁଛି । ପିଲାର କିଛି ବି କଷ୍ଟ ଦେଖିବ ବା କେମିତି ? ସନ୍ତାନକୁ ସୁରକ୍ଷା ଦେବା ଏବଂ ତାକୁ ଜୀବନରେ ସବୁ ଖୁସି ଦେବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥାଏ ମା।  ଆଜି ଏପରି ଜଣେ ମାଆକୁ ଭେଟିବା ଯିଏ ନିଜ ପୁଅକୁ ଦୁନିଆର ସବୁ ଖୁସି ଦେବା ପାଇଁ ଅପ୍ରାଣେ ଚେଷ୍ଟା ଜାରି ରଖିଛନ୍ତି। ନିଜ ପୁଅକୁ ଟିକିଏ ବି ଅନୁଭବ କରାଇ ଦେଉନାହାଁନ୍ତି କି ସେ ଦିବ୍ୟାଙ୍ଗ କି ଅସହାୟ ବୋଲି।

ଇଏ ହେଉଛନ୍ତି ୪୩ ବର୍ଷ ବୟସ୍କା ନିକି ଏଣ୍ଟମ। ଯିଏ ନିଜର ମାନସିକ ଏବଂ ଶାରୀରିକ ଭିନ୍ନକ୍ଷମ ପୁଅକୁ ନିଜ ପିଠିରେ ଲଦି ବିଶ୍ୱର ଅଧା ସ୍ଥାନ ଦେଖାଇ ସାରିଲେଣି। ଆପଣ ଯେତେବେଳେ ଏହି ମାଆ ବିଷୟରେ ପୂରା କଥା ଜାଣିବେ ତାଙ୍କୁ ପ୍ରଶଂସା ନ କରି ରହି ପାରିବେନି।
ନିକି ନିଜ ପୁଅ ଜିମୋକୁ ୧୭ ବର୍ଷ ବୟସରେ ଜନ୍ମ ଦେଇଥିଲେ। ପୁଅ କିନ୍ତୁ ଜନ୍ମରୁ ଦିବ୍ୟାଙ୍ଗ ଥିଲା। ତାର ଉଭୟ ମାନସିକ ଏବଂ ଶରୀରିକ ତ୍ରୁଟି ସହିତ ଦୃଷ୍ଟିଶକ୍ତିରେବି ସମସ୍ୟା ଥିଲା। ତେଣୁ ୨୪ ଘଣ୍ଟା ପୁଅକୁ ଜଗିବାକୁ ପଡୁଥିଲା।

motherତଥାପି ସେ କେବେବି ନିକି ନିଜ ପୁଅର ଖୁସିକୁ ମାରି ଦେଇନାହାନ୍ତି। ତାର ସବୁ ଇଚ୍ଛା ଅନିଚ୍ଛାକୁ ପୂରଣ କରିବା ପାଇଁ ସମୟ ଦେଇଛନ୍ତି ନିକି। ଏବେ ପୁଅ ଜିମୋକୁ ୨୬ ବର୍ଷ ବୟସ। ନିଜର ୨୬ ବର୍ଷକୁ ପୁଅକୁ ପିଠିରେ ଲଦି ବିଶ୍ୱର ବହୁ ସ୍ଥାନ ଦେଖାଇ ସାରିଲେଣି । କ୍ୱିନ୍ସଲାଣ୍ଡ ସନସାଇନ୍ କୋଷ୍ଟରେ ରହୁଥିବା ନିକି ନିଜ ପୁଅକୁ ସବୁଠାରୁ ଭଲ ଜୀବନ ଦେବା ପାଇଁ ପ୍ରତିଜ୍ଞା କରିଥିଲେ। ଯାହାକୁ ପୂରଣ କରିବା ପାଇଁ ଏହି ସାହସୀ ମାଆ ପାଇଁ ତାଙ୍କର ପିଠି ହିଁ ଯଥେଷ୍ଟ। କରୋନା ବଢ଼ିବା ପୂର୍ବରୁ ଏବେ ସେ କାନାଡ଼ା ଟ୍ରିପକୁ ବି ପୂରା କରିବାକୁ ଚାହୁଁଥିଲେ। ଏମିତି ନୁହେଁ ଯେ ନିକିଙ୍କ ପାଖରେ ହ୍ଵିଲ ଚେୟାର ନାହିଁ କିନ୍ତୁ ନିଜ ପୁଅକୁ ପିଠିରେ ବସାଇ ବୁଲାଇବାକୁ ନିକିଙ୍କୁ ବହୁତ ଭଲ ଲାଗେ। ଅବଶ୍ୟ କେବେ କେବେ ଅଳ୍ପ ସମୟ ପାଇଁ ନିକିଙ୍କ କାନ୍ଧରୁ ଓହ୍ଲାଇ ଜିମୋ ତଳେ ଚାଲିଥାଏ। କିନ୍ତୁ ରାସ୍ତା ଯେତେ କଷ୍ଟହେଉ ପଛେ ପୁଅ ଜିମୋକୁ ପିଠିରେ ଲଦି ଚାଲିଥାନ୍ତି ମା ନିକି ।

ନିକିଙ୍କ ଏହି ଟ୍ରାଭେଲିଙ୍ଗ ପ୍ଲାନ୍‌ରେ ରେଷ୍ଟୁରାଣ୍ଟ, ହୋଟେଲ ଏବଂ ଆଡଭେନଚର ଟ୍ରିପ୍ସ ବି ରହିଥାଏ। ସେ ସବୁ ଜାଗାରେ ନିଜ ପରିସ୍ଥିତି ସ୍ପଷ୍ଟ ଭାବେ ବୟାନ କରିଥାନ୍ତି । ଯାହାଦ୍ୱାରା ତାଙ୍କୁ କୌଣସି ପ୍ରକାର ଅସୁବିଧା ହେବନି। ଲଗେଜ ଧରି ତା ସହ ନିଜ ପୁଅକୁ ଧରି ଯିବାର ପ୍ରାକ୍ଟିସ କରିଛନ୍ତି ନିକି । ଯାହାଦ୍ୱାରା ସହଜରେ ଜିନିଷପତ୍ର ଧରି ଏବଂ ପୁଅକୁ ପିଠିରେ ଲଦି ଯାଇହେବ। ନିକି କୁହନ୍ତି, ଜୀବନର ଛୋଟରୁ ଛୋଟ ଏବଂ ଅତି ବଡରୁ ବଡ ଜିନିଷ ସବୁ କିଛି ନିଜ ପୁଅ ସହିତ ଏନ୍‌ଜୟ କରିବାକୁ ଚାହୁଁଛନ୍ତି। ଭ୍ରମଣରେ ବାହାରିବା ପୂର୍ବରୁ ନିକି ଜିମିର ଡାଇପର, ଡ୍ରେସ ଏବଂ ସମସ୍ତ ଆବଶ୍ୟକ ଜିନିଷ ପାଖରେ ରଖିବାକୁ ଭୁଲନ୍ତିନି। କାରଣ ପୁଅ ଆଗ ଓ ତାର ସରଞ୍ଜାମ ଆଗ । ତା ପରେ ଆଉ ସବୁ କିଛି ।

କୁହାଯାଏ ମା’ର କୋଳ ସବୁଠାରୁ ସୁରକ୍ଷିତ, ମା’ର ହାତସବୁଠୁ ଶାନ୍ତି ଦାୟକ । ଦୁନିଆରେ ସେହି ମାଆ ହିଁ ଜଣେ ଯିଏ ବିନା ସ୍ୱାର୍ଥରେ ନିଜ କଷ୍ଟ ଯନ୍ତ୍ରଣାକୁ ଭୁଲି ପିଲା ପାଇଁ ଜୀବନ ସାରା ଲାଗିଥାଏ । ଯାହାର ଏକ ବଡ଼ ଉଦାହରଣ ହେଉଛନ୍ତି ନିକି । ତେଣୁ ବାପା ମାଆଙ୍କୁ କେବେ ଅଣଦେଖା କରନନ୍ତୁନି। ଦୁନିଆରେ ସବୁକିଛି ମିଳିବ ହେଲେ ଏହି ଦୁଇ ଜଣଙ୍କୁ ଆପଣ ଦ୍ୱିତୀୟ ଥର କେବେବି ପାଇବେ ନାହିଁ। ସେମାନଙ୍କ ଯୋଗୁଁ ଆପଣ ଏ ସୁନ୍ଦର ଦୁନିଆକୁ ଦେଖୁଛନ୍ତି । ତେଣୁ ସେମାନଙ୍କ ପ୍ରତି ଥିବା କର୍ତ୍ତବ୍ୟକୁ ବି ଆମେ ଭୁଲିବା ଉଚିତ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.