ଜେଲ୍‌ରେ ଚାଲିବ ଫିଲ୍ମ, ଶୁଭିବ ଭଜନ ଓ ଭକ୍ତିଗୀତର ସ୍ୱର, କଏଦୀଙ୍କ ପାଇଁ ଆହୁରି ଅନେକ ବ୍ୟବସ୍ଥା

ରାଜ୍ୟର ବିଭିନ୍ନ ଜେଲ୍‌ରେ ଥିବା କଏଦୀମାନଙ୍କ ପାଇଁ ରାଜ୍ୟ ସରକାର କରିଛନ୍ତି କିଛି ବିଶେଷ ସୁବିଧା । ଜେଲ୍‌ ଅନ୍ତେବାସୀମାନେ ପ୍ରତି ସପ୍ତାହରେ ଦେଖିବାକୁ ପାଇବେ ସିନେମା। ପୁଣି ବାଜିବ ଭଜନ ଏବଂ ଆଧ୍ୟାତ୍ମିକ ଗୀତ । ଓଡିଶାର ଜେଲରେ ବନ୍ଦ ଥିବା କଏଦୀ ଆଉ ବେଶି କଷ୍ଟ କରିବେ ନାହିଁ। ମନୋରଞ୍ଜନ ଠାରୁ ଆରମ୍ଭ କରି ସବୁକିଛି ଅତ୍ଯାଧୁନିକ ସେବା ଏମାନଙ୍କୁ ଯୋଗାଇ ଦିଆଯିବ। ଜେଲ୍‌ରେ କଏଦୀମାନଙ୍କ ଭିତରେ ଆତ୍ମହତ୍ୟା ପ୍ରବଣତା ଉଦ୍ବେଗଜନକ ଭାବେ ବଢ଼ୁଥିବାରୁ ଜାତୀୟ ମାନବାଧିକାର କମିସନ୍ (ଏନ୍ଏଚ୍ଆରସି) ପକ୍ଷରୁ ଗାଇଡ୍‌ ଲାଇନ୍‌ ପ୍ରସ୍ତୁତ କରାଯାଇ ସବୁ ରାଜ୍ୟ ସରକାରଙ୍କୁ ଦିଆଯାଇଥିଲା।

ଜେଲ୍‌ ଭିତରେ କଏଦୀମାନଙ୍କର କେମିତି ମନ ଖୁସି ରହିବ, ସେ ନେଇ ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ଏପରି ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି। ଏନେଇ ଜେଲର ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ବିଶେଷ କରି ଜେଲରେ ବନ୍ଦ ଥିବା କଏଦୀଙ୍କୁ ଫିଲ୍ମ ଦେଖିବାର ସୁଯୋଗ ମିଳିବ।

jail

ଓଡିଶାରେ ପାଖାପାଖି ୯୧ଟି ଜେଲ ରହିଛି। ଯେଉଁଥିରେ ୮ ହଜର କଏଦୀ ରହିଛନ୍ତି। କଏଦୀଙ୍କ ମନୋରଂଜନ ପାଇଁ ୧୦୦ ସିଟ୍‌ର ଏକ ରୁମ ଏବଂ ବଡ ସ୍କ୍ରିନ, ସାଉଣ୍ଡ ସିଷ୍ଟମ ସହିତ ପ୍ରୋଜେକ୍ଟର ଲଗାଯିବ। ସେମାନେ ଫିଲ୍ମ ଦେଖିଲା ବେଳେ ପୂରା ପ୍ରକୃତ ସିନେମା ହଲ୍‌ର ମଜା ପାଇ ପାରିବେ । ଏହାଛଡା କଏଦୀଙ୍କ ଚିନ୍ତା ଏବଂ ଅବସାଦକୁ କମ୍ କରିବା ପାଇଁ ଭଜନ ସହ ଆଧ୍ୟାତ୍ମିକ ଗୀତ ବଜାଯିବ। ପ୍ରତି ରବିବାର ଏପରି ସୁବିଧା ମିଳିବ।

ନିଜ ପୋଷାକ ସଫା କରିବା ପାଇଁ ଆଉ କଏଦୀଙ୍କୁ ବେଶି କଷ୍ଟ କରିବାକୁ ପଡ଼ିବ ନାହିଁ କି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଅତି କମ୍ ସମୟ ମଧ୍ୟରେ ପୋଷାକ ସଫା କରିପାରିବେ। ଏଥିପାଇଁ ଝାରପଡ଼ା ଜେଲ୍‌କୁ ୪ଟି ୱାଂଶି ମେସିନ୍ ଆସିଛି।  ପୁଣି କଏଦୀମାନଙ୍କ ପାଇଁ ଜେଲ୍‌ରେ ପବ୍ଲିକ ଆଡ୍ରେସ୍ ସିଷ୍ଟମ୍ ଓ ଅତ୍ୟାଧୁନିକ ଆକ୍ବାଗାର୍ଡ ମଧ୍ୟ ଲାଗିଛି। ଏଥିରୁ ଥଣ୍ଡା ଓ ଗରମ ପାଣି ବାହାରି ପାରିବ। ଯେଉଁ ମହିଳା କଏଦୀମାନଙ୍କ ଛୋଟ ଛୁଆ ରହିଛନ୍ତି, ସେମାନେ ଗରମ ପାଣି ବ୍ୟବହାର କରିପାରିବେ। ଅଧିକ ସମୟ ଖାଦ୍ୟକୁ ତାଜା ରଖିବା ପାଇଁ ମହିଳା କଏଦୀଙ୍କୁ ହଟ୍‌କେସ୍‌ ଯୋଗାଇ ଦିଆଯିବ ବୋଲି ଜେଲ୍ ଅଧୀକ୍ଷକ ଡି.ଏନ୍ ବାରିକ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.