ଲକ୍ଡାଉନ ଦେଲା ନୂଆ ପରିଚୟ, ୭୯ ବର୍ଷୀୟ ବୃଦ୍ଧା ସେୟାର କଲେ ନିଜ ସିକ୍ରେଟ ଚା ମସଲା

ନିଜ ବିଚକ୍ଷଣ ବୁଦ୍ଧି ସାହାଯ୍ୟରେ ହଟକେ ଚା ମସଲା ତିଆରି କରି ଆଜି ସାରା ଦେଶବାସୀଙ୍କୁ ଖୁଆଉଛନ୍ତି ମୁମ୍ବାଇର ସାନ୍ତାକ୍ରୁଜ େଓ୍ଵଷ୍ଟରେ ରହୁଥିବା ୭୯ ବର୍ଷିୟ ମହିଳା। ପରିବାର ଓ ବନ୍ଧୁ ବାନ୍ଧବଙ୍କ ମଧ୍ୟରେ ନିଜ ସ୍ୱାଦିଷ୍ଟ ରୋଷେଇ ପାଇଁ ପ୍ରସିଦ୍ଧ ଥିବା କୋକିଲା ପାରେଖ ବର୍ତ୍ତମାନ ସାରା ଦେଶରେ ତାଙ୍କ ସିକରେଟ ମସାଲାକୁ ବିକ୍ରି କରୁଛନ୍ତି। ସେ ଏମିତି ଏକ ମସଲା ତିଆରି କରିଛନ୍ତି ଯାହା ଚା କିମ୍ବା କ୍ଷୀରରେ ପକାଇଲେ ତାହାର ସ୍ୱାଦକୁ ଦ୍ୱିଗୁଣୀତ କରାଯାଇ ପାରିବ। ଶ୍ରୀମତି ପାରେଖ ନିଜ ପୂର୍ବ ପିଢୀଠାରୁ ଏହି ସିକ୍ରେଟ ମସଲା ରେସିପି ଶିଖିଥିଲେ ଓ ବର୍ଷ ବର୍ଷ ଧରି ନିଜ ପରିବାର ତଥା ଅତିଥିଙ୍କୁ ଏହି ମସଲାରେ ଚା ତିଆରି କରି ପିଆଉଛନ୍ତି। ତାଙ୍କ ଘରକୁ ଆସୁଥିବା ଅତିଥିଙ୍କ ଠାରୁ ସେ ଅନେକ ପ୍ରଶଂସା ମଧ୍ୟ ପାଇଥାନ୍ତି ଓ ଫେରିଲା ବେଳେ ଏହି ସିକ୍ରେଟ ମସଲାକୁ ତାଙ୍କ ସାଥିରେ ନେଇ ଯାଇଥାନ୍ତି।
ଶ୍ରୀମତି ପାରେଖଙ୍କ କହିବାନୁସାରେ ଏହି ମସଲା କେବଳ ସ୍ୱାଦକୁ ବଢାଇ ନଥାଏ ବରଂ ଏହା ଶରୀରର ପ୍ରତିରକ୍ଷା ଶକ୍ତି ଓ ପାଚନ ଶକ୍ତିକୁ ମଧ୍ୟ ବଢାଇଥାଏ। ତାଙ୍କର ହାତ ତିଆରି ଏହି ମସଲା ତାଙ୍କ ପରିବାର,ବନ୍ଧୁ ବାନ୍ଧବ ସହ ତାଙ୍କ ଆଖପାଖ ଲୋକଙ୍କ ମଧ୍ୟରେ ଚର୍ଚ୍ଚିତ ଥିଲା। ଏହାର ଚାହିଦା ବଢିବାରୁ ଶ୍ରୀମତି ପାରେଖ ଏହାକୁ ବିକ୍ରି କରିବାର ନିଷ୍ପତ୍ତି ନେଇଥିଲେ। ପ୍ରଥମେ ସେ କିଲୋ ହିସାବରେ ମସଲା ପ୍ରସ୍ତୁତ କରି ଅଳ୍ପ ପରିମାଣରେ ବିକ୍ରି କରୁଥିଲେ ଓ ଗତ ମାସରେ ଏହାକୁ ସେ ଦେଶର ସମସ୍ତ ସ୍ଥାନରେ ନିଜର ଚା ମସଲାର ବିକ୍ରି ଆରମ୍ଭ କରିଥିଲେ।ଲକଡାଉନରେ କୁଆଡେ ନଯାଇ ଘରି ବସି ରହିଥିବା ଶ୍ରୀମତି ପାରେଖଙ୍କ ମୁଣ୍ଡରେ ତାଙ୍କର ସିକ୍ରେଟ ମସଲାର ବିଜନେସ କରିବାର ଆଇଡିଆ ଆସିଥିଲା। ପରେ ତାଙ୍କ ସାନ ପୁଅ ତୁଷାରଙ୍କ ସାହାଯ୍ୟରେ ଏହି ଯୋଜନାକୁ ସଫଳ କରିଥିଲେ ଓ ମସଲାର ନାମ କେଟି ଚାଏ ମସାଲା ଅର୍ଥାତ କୋକିଲା ଏବଂ ତୁଷାର ଚାଏ ମସାଲା ରଖିଥିଲେ।
ତେବେ ବିଭିନ୍ନ ପ୍ରକାର ସାମଗ୍ରୀ ଅର୍ଥାତ ଲେମ୍ବୁ ପାଉଡର,ଶୁଖିଲା ଅଦା ପାଉଡର, ଗୁଜୁରାତି ଏବ ଗୋଲ ମରିଚର ମିଶ୍ରଣରେ ଏହି କେଟି ମସଲା ପ୍ରସ୍ତୁତ ହୋଇଛି। ଏହାର ୫୦ ଗ୍ରାମ ପ୍ୟାକେଟର ମୂଲ୍ୟ ୧୨୫ ଟଙ୍କା, ୧୦୦ ଗ୍ରାମ ପ୍ୟାକେଟ ୨୫୦ ଟଙ୍କା ଏବଂ ୨୫୦ ଗ୍ରାମ ପ୍ୟାକେଟକୁ ୬୨୫ ଟଙ୍କା ମୂଲ୍ୟରେ ବିକ୍ରି କରାଯାଉଛି। ଏହା ସହିତ ୧୦୦ ଗ୍ରାମରୁ କମ୍ ପରିମାଣର ଅର୍ଡରରେ ଡେଲିଭରି ଚାର୍ଜ ମଧ୍ୟ ରହିବ। ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରୀମତି ପାରେଖଙ୍କୁ ମୁମ୍ବାଇ, ବେଙ୍ଗାଲୁରୁ,ପୁନେ ଏବଂ ଅହମଦାବାଦରୁ ପାଖାପାଖି ୫୦୦ ଅର୍ଡର ମିଳି ସାରିଛି। ଆପଣ ମାନଙ୍କ ମଧ୍ୟରୁ ଯଦି କେହି ତାଙ୍କ ହାତ ତିଆରି ମସଲା ଚାର ସ୍ୱାଦ ଚାଖିବାକୁ ଚାହୁଁଛନ୍ତି ତେବେ ତାଙ୍କ ଫେସବୁକ ପେଜ କିମ୍ବା ତାଙ୍କ ଫୋନ ନମ୍ବର ୯୮୨୦୫୮୪୪୬୧ କୁ ମେସେଜ କରି ନିଜ ଅର୍ଡର ଦେଇ ପାରିବେ।