ଏବେ ପୁରୀର ନୀଳାଦ୍ରି ନୀଳୟ ପାଲଟିଛି ଭିକାରୀମାନଙ୍କ ଘର, ସଫଳ ହେଉଛି ଅଭିଯାନ
ପୁରୀ(କେନ୍ୟୁଜ): ଦିନ ଓ ସମୟ ଥିଲା ସେମାନେ ଶ୍ରୀମନ୍ଦିର ସିଂହଦ୍ବାର ନିକଟ ତଥା ବିଭିନ୍ନ ମନ୍ଦିର ସମ୍ମୁଖରେ ଭିକ୍ଷା ବୃତ୍ତି କରୁଥିଲେ। ନିଜ ପରିବାର ଓ ସମାଜ ଏମାନଙ୍କୁ ଦୂରେଇ ଦେଇଥିଲା।ଭିକ୍ଷାବୃତ୍ତି କରି ଯାହା ପାଉଥିଲେ ସେଥିରେ ଗଣ୍ଡେ ଖାଇ ଜୀବନ ଜିଉଁଥିଲେ। କିନ୍ତୁ ଆଜି ପୁରୀର ନୀଳାଦ୍ରି ନୀଳୟ କୁଷ୍ଠବାଧିଗ୍ରସ୍ତ ଭିକାରୀଙ୍କ ଘର ପାଲଟିଛି। ସ୍ନେହ ଓ ଆଦରରେ ବନ୍ଧା ହୋଇଥିବାରୁ ଭିକ୍ଷା ବୃତ୍ତି କରିବା ତ ଦୂରର କଥା ସେମାନେ ଏହି ଘର ଛାଡ଼ି ବାହାରକୁ ଯିବାକୁ ଆଉ ଚାହୁଁନାହାଁନ୍ତି ।
ସମଗ୍ର ରାଜ୍ୟରେ ପୁରୀ ପ୍ରଥମ ସହର, ଯେଉଁଠାରେ ଆରମ୍ଭ ହୋଇଥିଲା no begging zone ବା ଭିକାରୀ ମୁକ୍ତ ଅଞ୍ଚଳ। ୨୦୧୯ରେ ଏଥିପାଇଁ ଅଣ୍ଟା ଭିଡିଥିଲା ପ୍ରଶାସନ। ବଡଦାଣ୍ଡ ହେଉ କିମ୍ବା ପାଖଆଖ ଅଞ୍ଚଳରେ ଭିକ୍ଷୁକ ମାନଙ୍କୁ ନୀଳାଦ୍ରୀ ନିଳୟ ଯୋଜନାରେ ଥଇଥାନ୍ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା।ଏହା ସେତେବେଳେ ଅସମ୍ଭବ ପରି ମନେହେଉଥିଲା। ଜିଲ୍ଲା ପ୍ରଶାସନ ତଥା ସାମାଜିକ ସୁରକ୍ଷା ବିଭାଗ ଆଗରେ ଥିଲା ବଡ ଚ୍ୟାଲେଞ୍ଜ। ତେବେ ଆଜି ଏହା ସଫଳ ହୋଇଛି।
ଜିଲ୍ଲାରେ ୮ଟି ନୀଳାଦ୍ରି ନିଳୟ କରାଯାଇଥିବାବେଳେ କେନାଲ ପୁରୀ ଲୋକନାଥ ରୋଡ ନିକଟ ନୀଳାଦ୍ରି ନୀଳୟରେ କୁଷ୍ଠବ୍ୟାଧି ଗସ୍ତ ଭିକ୍ଷୁକ ରହିଛନ୍ତି। ଏହା ଏବେ ତାଙ୍କ ଘରରେ ପରିଣତ ହୋଇଛି। ସକାଳୁ ଯୋଗ, ପ୍ରାଣାୟମ ସହ ସକାଳ ଜଳଖିଆ,ମଧ୍ୟାହ୍ନ ଓ ରାତ୍ର ଭୋଜନ ସହିତ ଟିଭି ଦେଖିବାକୁ ବ୍ୟବସ୍ଥା ସହ ଅପରାହ୍ନରେ ଚା,ବିସ୍କୁଟ ଦିଆଯାଉଛି।
ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ପାଇଁ ବହୁବିଧ ପ୍ରକଳ୍ପ ଓ ଯୋଜନା ଚାଲିଛି। ପ୍ରାଥମିକ ପର୍ଯ୍ୟାୟରେ ଶ୍ରୀମନ୍ଦିର ସିଂହଦ୍ଵାର ଅଞ୍ଚଳ ଓ ପାଖାପାଖି ଅଞ୍ଚଳକୁ ଭିକାରୀ ମୁକ୍ତ କରିବା ପାଇଁ ୨୦୧୯ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିଲା ପ୍ରୟାସ। ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ଓ ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ୨୦୧୯ ରେ ଆରମ୍ଭ ହୋଇଥିଲା ନୀଳାଦ୍ରୀ ନୀଳୟ ଯୋଜନା। ସହରର କିଛି ଜାଗାରେ ସେଲଟର୍ ହୋମ୍ ଖୋଲାଯାଇ ସ୍ଥାନାନ୍ତରିତ ହୋଇଥିବା ଭିକାରୀ ମାନଙ୍କୁ ସେଠାରେ ଥଇଥାନ କରାଯାଇଛି।
ତେବେ ଚାରିବର୍ଷରୁ ଉର୍ଦ୍ଧ୍ବ ଏହି ଯୋଜନା କିଭଳି କାର୍ଯ୍ୟକାରୀ କରୁଛି ସେନେଇ ଆମ ପ୍ରତିନିଧି ଲୋକନାଥ ରୋଡ୍ ସ୍ଥିତ ନୀଳାଦ୍ରୀ ନୀଳୟ ସେଲଟର୍ ହୋମରେ ପହଞ୍ଚିଥିଲା। ସେଠାରେ ସମୁଦାୟ ୪୫ ଜଣ ଅନ୍ତେବାସୀ ରହୁଥିବା ବେଳେ ସମସ୍ତେ ଭିନ୍ନକ୍ଷମ । ସେମାନଙ୍କ ମଧ୍ୟରେ ୩୭ ଜଣ ପୁରୁଷ ଓ ୮ ଜଣ ମହିଳା ଅଛନ୍ତି। ସେମାନଙ୍କ ପାଇଁ ସକାଳ ଜଳଖିଆ ଠାରୁ ଆରମ୍ଭ କରି ରାତ୍ରୀ ଭୋଜନ,ପ୍ରାଥନା,ଲୁଡୁ ଖେଳ,ଯୋଗ,ପ୍ରାଣାୟମ,ବଗିଚାରେ ବିଭିନ୍ନ ଫୁଲଫଳ ଲଗାଇବା ଭଳି ସମସ୍ତ ସୁବିଧା ରହିଥିବା ସେଲଟର୍ ହୋମ୍ ର ମ୍ୟାନେଜର କହିଛନ୍ତି।ଏଥିପାଇଁ ୮ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି।
ସମାଜରେ କୁଷ୍ଠ ରୋଗ ଏବେ ବି ଅସ୍ପୃଶ୍ୟ ହୋଇ ରହିଛି। କୁଷ୍ଠ ରୋଗୀ ଭିକାରୀଙ୍କୁ ସମାଜ ଭିନ୍ନ ଦୃଷ୍ଟିରେ ଦେଖୁଛି। କିନ୍ତୁ ପୁରୀ ଲୋକନାଥ ରୋଡର ନୀଳାଦ୍ରି ନୀଳୟ ଅନ୍ତେବାସୀଙ୍କ ପାଇଁ ଏବେ ଘର ପାଲଟିଯାଇଛି। ସେମାନଙ୍କ ଭିତରୁ କିଛି ଜଣ ନିଜ ପରିଶ୍ରମରେ ସୁନ୍ଦର ବଗିଚା ସୃଷ୍ଟି କରିପାରିଛନ୍ତି। ଏମାନଙ୍କୁ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରିବାର ଉଦ୍ୟମ ଆଜି ବାସ୍ତବ ରୂପ ନେଇଛି କହିଲେ ଭୁଲ୍ ହେବନାହିଁ।