Below header

ଓଡ଼ିଶାରୁ ମିଳିଲା କ୍ୟାନସର ଭଳି ମାରାତ୍ମକ ରୋଗରୁ ରକ୍ଷା କରିପାରୁଥିବା ଉଦ୍ଭିଦ, ଏବେ ଶସ୍ତାରେ ହୋଇପାରିବ ଚିକିତ୍ସା

ଦ୍ରୁତ ଗତିରେ ବଢ଼ି ଚାଲିଛି ଜନସଂଖ୍ୟା । ତା ସହ ତାଳ ଦେଇ ବୃଦ୍ଧି ପାଉଛି ସମଗ୍ର ବିଶ୍ୱର ତାପମାତ୍ରା। ଜନସଂଖ୍ୟା ବୃଦ୍ଧି ଯୋଗୁ ଗଢ଼ିଉଠୁଥିବା କଳକାରଖାନା ଏଥିପାଇଁ ଶତ ପ୍ରତିଶତ ଦାୟୀ। କଳକାରଖାନା ସମାଜର ଯେତିକି ଉନ୍ନତ କରୁଛି, ସେତିକି ଲୋକଙ୍କୁ କରୁଛି ରୋଗଗ୍ରସ୍ତ। ବହୁତଳ ପ୍ରାସାଦ, କଳକାରଖାନା ନିର୍ମାଣ କରିବାକୁ ଲୋକମାନେ ଜଙ୍ଗଲକୁ କାଟି ପଦା କରି ସାରିଲେଣି। ତେଣୁ ଭଗବାନ ନୁହେଁ ଆମ ସାମନାରେ ଥିବା ପ୍ରକୃତି ଏବେ ଲୋକଙ୍କ ଉପରେ ଦାଉସାଧିବା ଆରମ୍ଭ କଲାଣି। ବର୍ତ୍ତମାନ ଅଷ୍ଟ୍ରେଲିଆରେ ଜଙ୍ଗଲନିଆଁ ଯୋଗୁ କୋଟି କୋଟି ପଶୁପକ୍ଷୀଙ୍କ ସମେତ ହଜାର ହଜାର ଏକର ଜଙ୍ଗଲ ପୋଡ଼ି ପାଉଁଶ ହୋଇଗଲାଣି। ପୁଣି ଏହି ନିଆଁ ଜନବସତି ଆଡ଼କୁ ବ୍ୟାପିବାରେ ଲାଗିଛି। ତେବେ ପ୍ରକୃତି ଯେତିକି କ୍ରୋଧ ପ୍ରକାଶ କରୁଛି ତାର ନିରାକରଣ ପାଇଁ ପୃଥିବୀ ସେତିକି ସାଧନ ସାଇତି ରଖିଛି ଜୀବ ସମାଜକୁ ରକ୍ଷା କରିବା ପାଇଁ । ଆମେ ବିଜ୍ଞାନକୁ ନେଇ ଅଗ୍ରଗତି କରୁଛୁ ସିନା ହେଲେ ଆମେ ଆମର କୌଳିକତା ଏବଂ ପ୍ରକୃତିର ଦାନକୁ ଭୁଲି ଭୁଲି ଯାଉଛୁ ।

ପୃଥିବୀପୃଷ୍ଠରେ ଏମିତି ଅନେକ ବୃକ୍ଷ ଲତା ତଥା ଉଦ୍ଭିଦ ରହିଛି ଯାହାକୁ ଆୟୁର୍ବେଦରେ ଔଷଧର ମାନ୍ୟତା ମିଳିଛି। ଏସବୁ ଉଦ୍ଭିଦରେ ବହୁ ଦୂରାରୋଗ୍ୟ ବ୍ୟାଧିକୁ ମାତ୍ ଦେବାର କ୍ଷମତା ରହିଛି। କିନ୍ତୁ କେଉଁ ରୋଗର ନିଦାନ କେଉଁ ଉଦ୍ଭିଦରେ ରହିଛି ତାକୁ ଚିହ୍ନଟ କରିବା ହେଉଛି ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ଏବେ ଏହି ମହାନ୍ କାମରେ ଲାଗିପଡ଼ିଛନ୍ତି ଓଡ଼ିଶାର କେତେକ ଉଦ୍ଭିଦ ବିଜ୍ଞାନୀ।

ନିକଟରେ ଓଡ଼ିଶାର ଜଙ୍ଗଲରୁ ଏହି ବୈଜ୍ଞାନିକମାନେ କେତେକ ବିରଳ ତଥା ଦୁର୍ମୂଲ୍ୟ ଔଷଧୀୟ ବୃକ୍ଷ ଖୋଜିବାରେ ସଫଳ ହୋଇଛନ୍ତି। ଏସବୁ ଔଷଧୀୟ ଗଛ ମୁଖ୍ୟତଃ କ୍ୟାନ୍ସର, ଡାଇବେଟିସ୍ ଓ ବିଭିନ୍ନ ପ୍ରକାରର ଚର୍ମରୋଗ ଦୂର କରିବାରେ ରାମବାଣ ଭଳି କାମ ଦେବ। କେବଳ ମନୁଷ୍ୟ ଶରୀରର ରୋଗ ନୁହେଁ, ଏହି ଉଦ୍ଭିଦ କେତେକ ପ୍ରାକୃତିକ ସମସ୍ୟା ବାବଦରେ ପୂର୍ବରୁ ସୂଚନା ମଧ୍ୟ ଦେବ। ଭୁବନେଶ୍ୱର ସ୍ଥିତ ଅମ୍ବିକା ପ୍ରସାଦ ରିସର୍ଚ୍ଚ ଫାଉଣ୍ଡେସନ୍ (APRF) ପକ୍ଷରୁ ଏନେଇ ଗବେଷଣା କରାଯାଇଛି।

ଗବେଷଣାରୁ ଜଣାଯାଇଛି ଯେ ଔଷଧୀୟ ଗୁଣରେ ଭରପୂର ଏହି ଉଦ୍ଭିଦଗୁଡ଼ିକ ମଧ୍ୟରେ ରହିଛି ବଡ଼ ଆଳୁ ବା ଖମ୍ବ ଆଳୁ ପ୍ରଜାତିର ଏକ ଗଛ, ଟୁଙ୍ଗ ଓ ଦୁଇ ପ୍ରକାରର ଚୁଇଁ ଗଛ। ଅମ୍ବିକା ପ୍ରସାଦ ରିସର୍ଚ୍ଚ ଫାଉଣ୍ଡେସନ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜିତ କୁମାରଙ୍କ ଠାରୁ ମିଳିଥିବା ସୂଚନା ମୁତାବକ, ଭୁବନେଶ୍ୱର ଉପକଣ୍ଠ ଉତ୍ତରାରୁ ‘ୟୁଟ୍ରିକୁଲାରିଆ ଓଡ଼ିଶାନେନ୍ସିସ୍’ ବା ଚୁଇଁ ନାମକ ଏକ ଉଦ୍ଭିଦ ଚିହ୍ନଟ ହୋଇଛି।

ଅନ୍ୟପଟେ କଟକ ଜିଲ୍ଲା ଅନ୍ତର୍ଗତ ଅଂଶୁପା ନିକଟସ୍ଥ ଜଙ୍ଗଲରୁ ଚୁଇଁର ଅନ୍ୟ ଏକ ପ୍ରଜାତି ‘‘ୟୁଟ୍ରିକୁଲାରିଆ ଅରୁଆଭର ଓଡ଼ିଶାନେନ୍ସିସ୍’’ ନାମକ ଉଦ୍ଭିଦ ଆବିଷ୍କାର କରାଯାଇଛି। ଏହି ଦୁଇଟି ବୃକ୍ଷରେ ଡାଇବେଟିସ୍ ଭଳି ଦୂରାରୋଗ୍ୟ ବ୍ୟାଧିକୁ ଭଲ କରିବା କ୍ଷମତା ରହିଛି। ଏହି ଦୁଇଟି ଉଦ୍ଭିଦ ନିଜ ଜନ୍ମସ୍ଥାନର ଜଳ ପ୍ରଦୂଷଣ ସମ୍ବନ୍ଧରେ ସୂଚନା ମଧ୍ୟ ଦେଇ ପାରିବେ। ସଞ୍ଜିତ କୁମାରଙ୍କ ସୂଚନାନୁସାରେ, ଏହି ଉଦ୍ଭିଦ କେବଳ ପ୍ରଦୂଷିତ ଜଳ ଥିବା ଅଞ୍ଚଳରେ ଜନ୍ମିଥାନ୍ତି। କାରଣ ଏଠାକାର ଜଳର ପିଏଚ୍ ୪ରୁ ୬ ଯାଏଁ କମ୍ ରହିଥାଏ। ଫଳରେ ଲାର୍ଭା ଦ୍ରୁତ ଗତିରେ ବଂଶ ବିସ୍ତାର କରିଥାନ୍ତି। ଏହି ଉଦ୍ଭିଦଗୁଡ଼ିକ ମାଂସାଶୀ ହୋଇଥିବା ସୂଚନା ମିଳିଛି।

ସେହିପରି ଢେଙ୍କାନାଳର କପିଳାସ ପର୍ବତାଞ୍ଚଳରୁ ଠୁଙ୍ଗା ନାମକ ଉଦ୍ଭିଦକୁ ଉଦ୍ଧାର କରାଯାଇଛି। ଏହାର ନୂତନ ନାମକରଣ କରାଯାଇଛି ନାଁ ରଖାଯାଇଛି ‘ୟୁଟ୍ରିକୁଲାରିଆ କପିଳାସନେନସିସ୍’। ଏହି ଉଦ୍ଭିଦ ମଧୁମେହ ରୋଗକୁ ମୂଳରୁ ଭଲ କରିବା ଦିଗରେ କାମ କରିବ।
ସେହିଭଳି କଟକ ମହାନଦୀ ଅବବାହିକାରୁ ଚିହ୍ନଟ କରାଯାଇଥିବା ବଡ଼ ଆଳୁ ପ୍ରଜାତିର ଗଛର ନାଁ ରଖାଯାଇଛି ‘ଡାଇସସ୍କୋରିଆ ମହାନଦୀନେନ୍ସିସ୍’। ଏହି ଉଦ୍ଭିଦ ମହିଳାଙ୍କ ବନ୍ଧ୍ୟାକରଣ ଓ କ୍ୟାନସର ଭଳି ମାରାତ୍ମକ ରୋଗ ପାଇଁ ଅମୋଘ ଔଷଧ ଭଳି କାମ ଦେବ। ଚର୍ମରୋଗରୁ ମୁକ୍ତି ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରିବ ବୋଲି ସୂଚନା ମିଳିଛି। ଏଥିରେ ଦଶମୂଳାରିଷ୍ଟ ଭଳି ସମସ୍ତ ଔଷଧୀୟ ଗୁଣ ରହିଥିବା ଶ୍ରୀ କୁମାର କହିଛନ୍ତି।

ଶ୍ରୀ କୁମାର ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଟିମ୍ ରାଜ୍ୟ ବାହାରେ ବି ଉଦ୍ଭିଦଙ୍କ ଔଷଧୀୟ ଗୁଣ ସମ୍ବନ୍ଧରେ ଗବେଷଣା କରୁଛନ୍ତି ଓ ଏଥିରେ ସଫଳ ମଧ୍ୟ ହୋଇଛନ୍ତି। ଏଭଳି ଗବେଷଣା କରିବାରେ ତାଙ୍କ ଟିମ୍ ଓଡ଼ିଶାରେ ପ୍ରଥମ ବୋଲି ସେ କହିଛନ୍ତି। ତେବେ ସଞ୍ଜିତ କୁମାରଙ୍କର ଏହି ଗବେଷଣା ଭାରତୀୟ ଉଦ୍ଭିଦ ବିଜ୍ଞାନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବ ବୋଲି ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.