ଏ କି ଦୃଶ୍ୟ! ଟ୍ରେନ୍କୁ ପେଲି ପେଲି ଆଗକୁ ନେଲେ ଶହ ଶହ ଯାତ୍ରୀ; ଜାଣନ୍ତୁ କାହିଁକି ଆସିଲା ଏମିତି ପରିସ୍ଥିତି

ମିରଟରେ ଦେଖିବାକୁ ମିଳିଛି ଏକ ଅଜବ ଦୃଶ୍ୟ। ଟ୍ରେନରେ ବସିଥିବା ଶହ ଶହ ଯାତ୍ରୀ ଯେତେବେଳେ ସହାରନପୁରରୁ ଦିଲ୍ଲୀ ଅଭିମୁଖେ ଯାଉଥିଲେ, ତ ହଠାତ୍ ରାସ୍ତାରେ ଟ୍ରେନ୍ଟି ଖରାପ ହୋଇ ଯାଇଥିଲା। ଏହି ସମୟରେ ଯାତ୍ରୀମାନେ ଟ୍ରେନ୍କୁ ଧକ୍କା ମାରି ମାରି ଆଗକୁ ନେଇଥିଲେ। ଟ୍ରେନକୁ ଧକ୍କା ମାରି ନେଉଥିବାର ଏକ ଭିଡିଓ ଏବେ ଇଣ୍ଟରନେଟ୍ରେ ଖୁବ୍ ଭାଇରାଲ ହେଉଛି।
କହି ରଖୁଛୁ, ଶନିବାର ସକାଳେ ସହାରନପୁରରୁ ଏକ ପାସେଞ୍ଜର ଟ୍ରେନ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା। ଦୌରାଲା ଷ୍ଟେସନରେ ପହଞ୍ଚିବା ପରେ ଏକ ବଗିରେ କୌଣସି କାରଣବଶତଃ ନିଆଁ ଲାଗି ଯାଇଥିଲା। ଏହି ଅଗ୍ନିକାଣ୍ଡ ଯୋଗୁ ଯାତ୍ରୀମାନେ ଭୟଭୀତ ହୋଇ ଯାଇଥିଲେ ଏବଂ ଟ୍ରେନ୍କୁ ତତ୍କ୍ଷଣାତ ଷ୍ଟେସନରେ ହିଁ ଅଟକାଇ ଦେଇଥିଲେ। ଟ୍ରେନ ଅଟକିବା କ୍ଷଣି ସମସ୍ତ ଯାତ୍ରୀ ଓହ୍ଲାଇ ପଡ଼ିଥିଲେ। ରେଲୱେ ଏହି ଘଟଣା ସମ୍ପର୍କରେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲା।
ଯେପରି ଟ୍ରେନ୍ର ବାକି ଭାଗକୁ ନିଆଁ ନ ବ୍ୟାପିବ, ସେଥିପାଇଁ ସଙ୍ଗେ ସଙ୍ଗେ ଉଦ୍ୟମ ଆରମ୍ଭ ହୋଇଥିଲା। ଦୁଇଟି ବଗିକୁ ସଂଯୋଗ କରୁଥିବା କପଲିଂ ନ ଖୋଲିବାରୁ ତାହାକୁ ଭାଙ୍ଗି ଦିଆଯାଇଥିଲା। ସେତେବେଳକୁ ନିଆଁ ତୃତୀୟ ବଗିକୁ ବ୍ୟାପି ସାରିଥିଲା। ଏହାପରେ ରେଳ କର୍ମଚାରୀମାନେ ଟ୍ରେନର ଅନ୍ୟାନ୍ୟ ଅଂଶକୁ ନିଆଁ ମୁହଁରୁ ରକ୍ଷା କରିବା ପାଇଁ ଯାତ୍ରୀଙ୍କଠାରୁ ସାହାଯ୍ୟ ମାଗିଥିଲେ। ସଙ୍ଗେ ସଙ୍ଗେ ସମସ୍ତ ଯାତ୍ରୀ ଏକଜୁଟ ହୋଇ ଜଳନ୍ତା ବଗିରୁ ଅନ୍ୟ ବଗିଗୁଡ଼ିକୁ ଧକ୍କା ମାରି ଅଲଗା କରିଥିଲେ।
ଛତିଶଗଡର ପରିବହନ କମିଶନର ତଥା ସିନିୟର ଆଇପିଏସ୍ ଦାପାଂଶୁ କାବରା ଟ୍ରେନକୁ ଧକ୍କା ମାରି ନିଆଯାଉଥିବାର ଭିଡିଓ ଟ୍ଵିଟରରେ ସେୟାର କରିଛନ୍ତି। ସେ ଟ୍ଵିଟ୍ କରି କହିଛନ୍ତି, ‘ଆମେ ଏକଜୁଟ ହୋଇ ପାହାଡ଼କୁ ମଧ୍ୟ ଘୂଞ୍ଚାଇ ପାରିବା, ଏହା ତ ଟ୍ରେନ ଥିଲା। ଯାତ୍ରୀମାନଙ୍କର ସାହାଯ୍ୟର ଭାବନା ଏବଂ ମିଳିତ ପ୍ରୟାସର ଯେତେ ପ୍ରଶଂସା କରାଯିବ, ସେତେ କମ୍ ପଡ଼ିବ’। ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ନେଇ ଖବର ନାହିଁ।
हम एकजुट होकर पहाड़ हिला सकते हैं, ये तो फिर भी ट्रेन थी…
मेरठ में ट्रेन में आग लगने पर यात्रियों ने मिलकर धक्का मारा और ट्रेन को जलती बोगियों से अलग किया…उनकी मदद की भावना और एकजुट प्रयास की जितनी तारीफ़ की जाए कम है! pic.twitter.com/nbvtG8s0Wk
— Dipanshu Kabra (@ipskabra) March 5, 2022