ପ୍ରଧାନ ବିଚାରପତି ମୋ ପ୍ରେରଣା, ମୁଁ କେବେବି ସେଦିନକୁ ଭୁଲି ପାରିବିନି : ପ୍ରଜ୍ଞା ସାମଲ

ସମୟ ବଦଳିଛି । ତାସହ ବଦଳିଛି ନାରୀର ସଂଜ୍ଞା । ଏବେ ନାରୀ ଦୁର୍ବଳା କି ଅବଳା ନୁହେଁ । ବରଂ ପ୍ରତିଟି ନାରୀ ହେଉଛନ୍ତି ଦେଶର ଶକ୍ତି । ତେଣୁ ନାରୀଙ୍କୁ ସବୁବେଳେ ସମ୍ମାନର ଊର୍ଦ୍ଧ୍ଵରେ ରଖାଯାଇଥାଏ । କଥାରେ ଅଛି ଯଦି ନିଜର ଇଚ୍ଛା ଶକ୍ତି ଦୃଢ଼ ଅଛି ତେବେ ସବୁ ଅସମ୍ଭବ ସମ୍ଭବ ହୋଇ ପାରିବ । ଯାହାକୁ ସତ ପ୍ରମାଣିତ କରିଛନ୍ତି ଓଡ଼ିଆ ଝିଅ ପ୍ରଜ୍ଞା ।

ନୂଆଦିଲ୍ଲୀ: ସମୟ ବଦଳିଛି । ତାସହ ବଦଳିଛି ନାରୀର ସଂଜ୍ଞା । ଏବେ ନାରୀ ଦୁର୍ବଳା କି ଅବଳା ନୁହେଁ। ବରଂ ପ୍ରତିଟି ନାରୀ ହେଉଛନ୍ତି ଦେଶର ଶକ୍ତି । ତେଣୁ ନାରୀଙ୍କୁ ସବୁବେଳେ ସମ୍ମାନର ଊର୍ଦ୍ଧ୍ଵରେ ରଖାଯାଇଥାଏ । ନାରୀ ପରିବାର ବି ଚଳାଇ ପାରେ ଆଉ ଅଫିସ ଏବଂ ଦେଶ ବି । କଥାରେ ଅଛି ଯଦି ନିଜର ଇଚ୍ଛା ଶକ୍ତି ଦୃଢ଼ ଅଛି ତେବେ ସବୁ ଅସମ୍ଭବ ସମ୍ଭବ ହୋଇ ପାରିବ । ଯାହାକୁ ସତ ପ୍ରମାଣିତ କରିଛନ୍ତି ଓଡ଼ିଆ ଝିଅ ପ୍ରଜ୍ଞା ।

ସୁପ୍ରିମକୋର୍ଟରେ ଓଡ଼ିଆ ଝିଅ ପ୍ରଜ୍ଞାଙ୍କୁ ସମ୍ବର୍ଦ୍ଧନା । ପ୍ରଜ୍ଞା ସାମଲଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼। ନିକଟରେ ପ୍ରଜ୍ଞା ଆମେରିକାର ଦୁଇଟି ବିଶ୍ୱବିଦ୍ୟାଳୟରେ ଆଇନର ସ୍ନାତକୋତ୍ତର ଶିକ୍ଷା ପାଇଁ ସ୍କଲାରସିପ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରଜ୍ଞାଙ୍କ ପିତା ଅଜୟ କୁମାର ସାମଲ ସୁପ୍ରିମକୋର୍ଟରେ ରୋଷେୟା ଭାବେ କାର୍ଯ୍ୟ କରନ୍ତି । ତେବେ ସୁପ୍ରିମକୋର୍ଟଙ୍କ ରୋଷେୟାଙ୍କ ଝିଅ ଏବେ ସମସ୍ତଙ୍କ ପାଇଁ ଏକ ବଡ଼ ଉଦାହରଣ ସାଜିଛନ୍ତି ।

ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଜ୍ଞାଙ୍କ ସଫଳତା ପାଇଁ ତାଙ୍କର ପିତାମାତାଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ। ପ୍ରଧାନବିଚାରପତି ଚନ୍ଦ୍ରଚୂଡ଼ କହିଥଲେ ପ୍ରଜ୍ଞାଙ୍କ ସଫଳତା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ । ଏହା ସହ ସେ କହିଥିଲେ ‘ପ୍ରଜ୍ଞା ପ୍ରମାଣ କରିଛନ୍ତି ଯେ ଯଦି ଆପଣଙ୍କ ପାଖରେ କିଛି ପାଇବା ପାଇଁ ଉତ୍ସାହ ଏବଂ ଶକ୍ତି ଅଛି, ତା’ ହେଲେ ଆପଣ ଏହାକୁ ହାସଲ କରିବା ପାଇଁ ସମ୍ବଳ ଏବଂ ସୁବିଧା ପାଇପାରିବେ’ । ତେବେ ୧୪୦ କୋଟି ଲୋକଙ୍କ ସ୍ୱପ୍ନ ସେ ନିଜ କାନ୍ଧରେ ନେଇ ଯିବେ ବୋଲି ସେ କହିଛନ୍ତି । ଏହାସହିତ ସେ ପ୍ରଜ୍ଞାଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି ।

ଏହି ଅବସରରେ ପ୍ରଧାନବିଚାରପତି ପ୍ରଜ୍ଞାଙ୍କୁ ନିଜ ଦସ୍ତକତରେ ଗୋଟିଏ ପୁସ୍ତକ ପ୍ରଦାନ କରିଥିଲେ। ପୁସ୍ତକକୁ ଗ୍ରହଣ କରି ଏହା ତାଙ୍କ ପାଇଁ ସୌଭାଗ୍ୟ ଓ ସମ୍ମାନ ବୋଲି ପ୍ରଜ୍ଞା କହିଛନ୍ତି । ଏହା ସହିତ ସ୍କୁଲ ଦିନରୁ ହିଁ ମା’ବାପା ତାଙ୍କ ପାଇଁ ସବୁକିଛି ତ୍ୟାଗ କରିଥିବା କଥା ପ୍ରଜ୍ଞା କହିଛନ୍ତି । ତଥାପି ଆଇନକୁ ବାଛିବା ଲାଗି ପ୍ରେରଣା ସେ ପ୍ରଧାନ ବିଚାରପତିଙ୍କଠାରୁ ପାଇଛନ୍ତି । ସେ ଯୁବ ଓକିଲମାନଙ୍କୁ ସବୁବେଳେ ପ୍ରୋତ୍ସାହିତ କରିଥାନ୍ତି । ତାଙ୍କର ଶବ୍ଦ ଖୁବ୍ ଶକ୍ତି ଦେଇଥାଏ । ପ୍ରଧାନ ବିଚାରପତି ତାଙ୍କ ପ୍ରେରଣା ବୋଲି ପ୍ରଜ୍ଞା କହିଛନ୍ତି । ଆଗାମୀ ଦିନରେ ସେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ହେବାର ବି ବଡ ଆଶା ରଖିଥିବା ପ୍ରକାଶ କରିଛନ୍ତି ।

ଏ କଥା ସତ କି, ଯେକୌଣସି ମଣିଷର ମନବଳ ଯଦି ଦୃଢ ଅଛି, ଇଚ୍ଛାଶକ୍ତି ଯଦି ସେତେ ମଜବୁତ୍ ଅଛି ତେବେ କୌଣସି ପରିସ୍ଥିତି ଆସିଲେ ମଧ୍ୟ ନିଜ ଲକ୍ଷ ସ୍ଥଳରେ ସେ ପହଞ୍ଚିବାରେ ସକ୍ଷମ ହୁଏ । ତା ଆଗରେ ହାର ମାନିଥାଥାଏ ପ୍ରତିବନ୍ଧକ । ସେ ନିଜ ପରିଶ୍ରମ ଜାରି ରଖିଥାଏ । ଯାହା ତାକୁ ନିଶ୍ଚିତ ସଫଳତା ଆଣିଦେଇଥାଏ । ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ସୁପ୍ରିମକୋର୍ଟରେ କାର୍ଯ୍ୟରତ ଏହି ଓଡ଼ିଆ ରୋଷେୟାଙ୍କ ଝିଅ ପ୍ରଜ୍ଞା ସାମଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.