ଆଜି ପୁରପଲ୍ଲୀରେ ପାଳିତ ହେଉଛି ପ୍ରଥମାଷ୍ଟମୀ ପର୍ବ, ପଢୁଆଁଙ୍କୁ କରାଯାଏ ପୂଜା-ଅର୍ଚ୍ଚନା

ପୁରୀ(କେନ୍ୟୁଜ୍): ପରମ୍ପରାକୁ ନେଇ ଗର୍ବ କରେ ଓଡ଼ିଆ। ଆଜି ପାଳିତ ହେଉଛି ପ୍ରଥମାଷ୍ଟମୀ ପର୍ବ।ଘରର ବଡ଼ମାନଙ୍କ ପାଇଁ ପାଳନ କରାଯାଇଥାଏ ଏହି ପର୍ବ । ନୂଆ ପୋଷାକ ସାଙ୍ଗକୁ ହଳଦି ପତର ପିଠାର ମହକରେ ମହକି ଉଠେ ପ୍ରତ୍ଯେକ ଓଡ଼ିଆଙ୍କ ଘର ।
ଆଜି ମାର୍ଗଶୀର ମାସ ଅଷ୍ଟମୀ । ଯାହା ପ୍ରଥମାଷ୍ଟମୀ ଭାବରେ ପରିଚିତ । ଆଉ ଏହାକୁ ବେଶ ଭଲ ଭାବରେ ପାଳିଥାନ୍ତି ପ୍ରତ୍ଯେକଟି ଓଡ଼ିଆ । ଏଥିପାଇଁ ବେଶ ଚଳଚଂଚଳ ଗାଁ ଠୁ ସହର । ଘର ଦ୍ୱାର ଲିପା ପୋଛା ସାଙ୍ଗକୁ ମୂରୂଜ ପକାଇବା ସବୁ କିଛି ବେଶ ଭଲ ଭାବରେ ଚାଲିଛି । ସେପଟେ ଶିଳରେ ଭଲ ଭାବରେ ବଟାଯାଇ ପ୍ରସ୍ତୁତ କରାଯାଉଛି ଓଡ଼ିଆଣିର ସେହି ପ୍ରିୟ ହଳଦି ପତ୍ରରେ ଏଣ୍ଡୁରୀ ପିଠା। ଛେନା ପୁରରେ ପ୍ରସ୍ତୁତ ହୋଇଥିବା ଏହି ହଳଦି ପତରରେ ଏଣ୍ଡୁରୀ ପିଠାର ମହକରେ ସତେ ଯେମିତି ପୁରୀ ଉଠୁଛି ଘର ପରିବେଶ । ଏମିତି ଏକ ପରିବେଶ ଦେଖିବାକୁ ମିଳିଥିଲା ଖୋର୍ଦ୍ଧା ଜିଲ୍ଲା ଇଟିପୁର ଗାଁରେ ।
ପିଠା ପ୍ରସ୍ତୁତ ହେବା ପରେ ବୃନ୍ଦାବତୀଙ୍କ ନିକଟରେ ପିଢାପଟା ପକାଯାଇ ଘରର ବଡ଼ମାନଙ୍କୁ ଚନ୍ଦନ ସିନ୍ଦୁରରେ ସୁନ୍ଦର ଭାବରେ ସଜ୍ଜାଯାଇ ବସା ଯାଇଥାଏ । ଏହା ପରେ ଦୁବ ବରକୋଳି ପତ୍ରରେ ବନ୍ଦାପନା କରିଥାନ୍ତି ଘରର ମହିଳାମାନେ । ତେବେ ପ୍ରତ୍ୟେକ ପୂଜା ପର୍ବାଣି ଅନେକଙ୍କ ସମ୍ମାନ ପାଇଁ ପାଳନ କରାଯାଉଥିବା ବେଳେ ପ୍ରଥମାଷ୍ଟମୀ ପର୍ବକୁ ଘରର ବଡମାନଙ୍କୁ ସେମାନଙ୍କୁ ବଡ ହେବାର ଅଧିକାର ପାଇଁ ପୂଜା କରାଯାଇଥାଏ। ଶ୍ରୀକ୍ଷେତ୍ରେରେ ବଡ ଠାକୁରଙ୍କୁ ମଧ୍ୟ ପଢୁଆଁ କରାଯାଇଥାଏ।