ରିପୋର୍ଟ କହୁଛି ଭାରତରେ ପୋଲିସ୍‌ ଚାକିରି ସହଜିଆ ନୁହେଁ

‘କଥାରେ ଥିଲା ଚାକିରି କରିବ ପୁଲିସି ମାଛ ଖାଇବ ଇଲିସି’ । କିନ୍ତୁ ଏହି ଉକ୍ତିଟି ଦିନକୁ ଦିନ ଲୋପ ପାଇବାକୁ ବସିଲାଣି । ଆମ ଦେଶରେ ପୋଲିସରେ କାମ କରିବା ଆଉ ଏତେଟା ସହଜ ହୋଇ ରହି ନାହିଁ । ଆପଣ ଯଦି ବଡ ପଦବିରେ କାମ କରୁଛନ୍ତି ତ ତେବେ କଥା ଅଲଗା । କିନ୍ତୁ ଯେଉଁମାନେ ତଳ ଶ୍ରେଣୀରେ କାମ କରୁଛନ୍ତି ସେମାନଙ୍କ ଅବସ୍ଥା ନ କହିଲେ ଭଲ । ଏମାନଙ୍କର କାର୍ଯ୍ୟ କରିବାର କୌଣସି ନିର୍ଦ୍ଦିଷ୍ଟ ସମୟ ଥାଏ ନା ସାପ୍ତାହିକ ଛୁଟି ଥାଏ ।

POLICE-6

ଏହି କଥା ‘ଷ୍ଟେଟ ଅଫ ପୋଲିସିଂ ଇନ ଇଣ୍ଡିଆ ୨୦୧୯’ ର ସଦ୍ୟ ପ୍ରକାଶିତ ଏକ ରିପୋର୍ଟରେ ପ୍ରକାଶିତ ହୋଇଥିଲା । ଏହାକୁ ‘ସେଣ୍ଟର ଫର ଷ୍ଟଡିଜ ଅଫ ଡେଭଲପିଙ୍ଗ ସୋସାଇଟିଜ’ ତରଫରୁ ହିଁ ପ୍ରକାଶିତ କରାଯାଇଥିଲା । ଏଥିରେ ପୋଲିସ ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ଏହା ମଧ୍ୟରୁ କିଛି ତଥ୍ୟ ଅତ୍ୟନ୍ତ ରୋଚକ ଏଠି ଉପସ୍ଥାପନ କରୁଛୁ ।

POLICE-4ପୋଲିସ ନିକଟକୁ ଲୋକ ଯିବାକୁ ଡରୁ ଥିବାରୁ ଅନେକ ସମୟରେ ବହୁ ମାମଲା ରୁଜୁ ହୋଇପାରେ ନାହିଁ । ଯଦି ନାବାଳକମାନେ କୌଣସି ଅପରାଧ ଘଟାଇଥାନ୍ତି ତେବେ ସେମାନଙ୍କ ସହିତ ବଡ ଲୋକଙ୍କ ଭଳି ହିଁ ବ୍ୟବହାର କରାଯାଇଥାଏ । ମହିଳାଙ୍କ ସହ ମଧ୍ୟ ପୋଲିସ ସମ୍ବେଦନଶୀଳତାର ସହ ବ୍ୟବହାର କରେ ନାହିଁ । ଏହା ପଛରେ ମଧ୍ୟ ଏକ କାରଣ ରହିଛି । ଏକ ନିର୍ଦ୍ଦିଷ୍ଟ ସମୟରେ କାମ କରୁନଥିବାରୁ ସେମାନେ ଆବଶ୍ୟକ ପରିମାଣରେ ବିଶ୍ରାମ ପାଇ ପାରିନଥାନ୍ତି । ଫଳରେ ମାନସିକ ଓ ଶାରୀରିକ ଭାବେ ଚାପଗ୍ରସ୍ତ ଥାନ୍ତି । ଖାଲି ଏତିକି ନୁହେଁ କିଛି ତଳ ସ୍ତରର ପୋଲିସ କର୍ମଚାରୀଙ୍କୁ ଜାତି ଓ ବର୍ଣ୍ଣ କ୍ଷେତ୍ରରେ ନିଜ ସହକର୍ମୀମାନଙ୍କ ଦ୍ୱାରା ପାତର ଅନ୍ତରର ଶିକାର ହେବାକୁ ପଡିଥାଏ ।

POLICE-3

ରିପୋର୍ଟର ମୁଖ୍ୟାଂଶ:

୧- ମାତ୍ର ୬ ପ୍ରତିଶତ ତଳ ବର୍ଗର ପୋଲିସ କର୍ମଚାରୀ ନିଜ କାର୍ଯ୍ୟକାଳ ମଧ୍ୟରେ ତାଲିମ ପାଇ ପାରିଥାନ୍ତି । ବାକିମାନଙ୍କୁ ସେମାନଙ୍କ ଭର୍ତ୍ତି ବେଳେ ହିଁ ଯେତିକି ତାଲିମ ଦିଆଯାଇଥାଏ । କିନ୍ତୁ ବରିଷ୍ଠ କର୍ମଚାରୀମାନଙ୍କୁ ମଝିରେ ମଝିରେ ବିଭିନ୍ନ ପ୍ରକାରର ପ୍ରଶିକ୍ଷଣ ସୁବିଧା ଯୋଗାଯାଇଥାଏ ।
୨ – ବର୍ତ୍ତମାନ ସମୟରେ ଦେଶର ୨୨ଟି ରାଜ୍ୟ ୭୦ଟି ଥାନା ଏପରି ଅଛି ଯେଉଁଠାରେ ୱୟାରଲେସ ଯୋଗାଯାଇ ପାରିନାହିଁ । ୨୨୪ଟି ଥାନାରେ ଏପର୍ଯ୍ୟନ୍ତ ଫୋନ ବ୍ୟବସ୍ଥା କରାଯାଇ ପାରିନାହିଁ । ୨୪ଟି ଥାନା ଅତ୍ୟନ୍ତ ଦୁଃସ୍ଥ ଅବସ୍ଥାରେ ପଡି ରହିଛି ।

POLICE-8

୩ – ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ୨୪୦ଟି ଥାନା ଏପରି ଅଛି ଯେଉଁଠି କୌଣସି ପ୍ରକାରର ଯାନବାହନ ନାହିଁ ।
ଦିଲ୍ଲୀର ଇଣ୍ଡିଆ ଇଣ୍ଟର ନ୍ୟାସିଓନାଲ ସେଣ୍ଟରରେ ଏହି ରିପୋର୍ଟକୁ ଔପଚାରିକ ଭାବେ ଜାରି କରାଯାଇଥିଲା । ଯେଉଁଥିରେ ସୁପ୍ରିମ କୋର୍ଟର ପୂର୍ବ ବିଚାରପତି ଜଷ୍ଟିସ ଚେମେଲେଶ୍ୱରଙ୍କ ସମେତ ଉତ୍ତର ପ୍ରଦେଶ ପୋଲିସ ଓ ସିଆରପିଏଫ୍‌ର ପୂର୍ବତନ ମହାନିର୍ଦ୍ଦେଶକ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ ସାମାଜିକ କର୍ମୀ ବୃନ୍ଦା ଗ୍ରୋବର ଓ ଅରୁଣା ରାୟ ମଧ୍ୟ ଯୋଗ ଦେଇଥିଲେ ।

ନିଜ ସମସ୍ୟା କଥା କହି ପାରନ୍ତି ନାହିଁ

ଆଇନ୍‌ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ଅଧୀନରେ ଆସୁଥିବାରୁ ସବୁ ରାଜ୍ୟରେ ପୋଲିସ ବ୍ୟବସ୍ଥ। ଅଲଗା ଅଲଗା ପ୍ରକାରର ହୋଇଥାଏ । କିନ୍ତୁ ଏକଥା ସତ ଯେ କୌଣସି ପୋଲିସ କର୍ମଚାରୀ ଏସବୁ ସମସ୍ୟା ବିରୋଧରେ ପ୍ରାୟତଃ ପାଟି ଖୋଲି ପାରନ୍ତି ନାହିଁ ।

POLICE-1ତିନି ବର୍ଷ ତଳେ ବିହାରର ଗୃହରକ୍ଷୀ ବାହିନୀର ୫୩ ହଜାର କର୍ମଚାରୀ ମିଳିତ ଭାବେ ଅନିର୍ଦ୍ଦିଷ୍ଟ କାଳ ଯାଏ ଆନ୍ଦୋଳନ କରିଥିଲେ । ୨୦୧୬ ମସିହା ଜୁନ ମାସରେ କର୍ଣ୍ଣାଟକର ପୋଲିସ କର୍ମଚାରୀମାନେ କମ୍‌ ଦରମା, କାମ କରିବାର ସମୟସୀମା ଓ ସାପ୍ତାହିକ ଛୁଟି ଦାବିରେ ଏକ ବଡ ଧରଣର ବିକ୍ଷୋଭ କରିବାର ଧମକ ଦେଇଥିଲେ । ସେହିପରି ଓଡ଼ିଶାରେ ମଧ୍ୟ କିଛି ବର୍ଷ ତଳେ ଗୃହରକ୍ଷୀମାନେ ଆନ୍ଦୋଳନ କରିଥିଲେ ।

ଆଲୋଚନା ହୋଇଛି, ହେଲେ ସମାଧାନ ହୋଇନି

ଯେତେବେଳେ ବି ପୋଲିସ ବ୍ୟବସ୍ଥାରେ ସଂସ୍କାର ଆଣିବା କଥା ଉଠିଛି ସେତେବେଳେ ପ୍ରକାଶ ସିଂଙ୍କ ନାମ ନିଶ୍ଚିତ ରୂପେ ସାମ୍ନାକୁ ଆସିଛି । ସେ ହିଁ ପ୍ରଥମେ ଏ ବାବଦରେ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ୨୦୦୬ ମସିହାରେ ସୁପ୍ରିମ କୋର୍ଟ ପୋଲିସ୍‌ ବ୍ୟବସ୍ଥାରେ ସଂସ୍କାରକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ମଧ୍ୟ ଦେଇଥିଲେ ।

POLICE-5ପ୍ରକାଶ ସିଂହଙ୍କ କହିବା ଅନୁସାରେ ପୋଲିସ ଆଇନ୍‌ କାନୁନର ରକ୍ଷକ ହେବା ବଦଳରେ ନିଜ ନିଜ ଉପରିସ୍ଥ ଅଧିକାରୀଙ୍କ ବୋଲହାକ ଅଧିକ କରିଥାଏ । ସେଣ୍ଟର ଫର ଦ ଷ୍ଟଡିଜ ଅଫ ଡେଭେଲପିଂ ସୋସାଇଟି ଓ କମନ କଜ୍‌ ନାମକ ଏକ ବେସରକାରୀ ସଂସ୍ଥା ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ ମହାରାଷ୍ଟ୍ର ହିଁ ଏକ ମାତ୍ର ରାଜ୍ୟ ଯେଉଁଠିକି ପୋଲିସ କର୍ମଚାରୀମାନଙ୍କ ନିମନ୍ତେ ସାପ୍ତାହିକ ଛୁଟିର ବ୍ୟବସ୍ଥା କରାଯାଇଛି । ଗରିବ ରାଜ୍ୟ ଓଡିଶା ଓ ଛତିଶଗଡର ପ୍ରାୟ ୯୦ ପ୍ରତିଶତ ପୋଲିସ କର୍ମଚାରୀମାନଙ୍କ ପାଇଁ ସପ୍ତାହରେ ଗୋଟିଏ ମାତ୍ର ଛୁଟି ନଥାଏ । ସେମାନଙ୍କ କାର୍ଯ୍ୟ କରିବା ସମୟ ଯଦି ଆପଣ ଜାଣିବେ ତାହେଲେ ଆପଣଙ୍କ ଆଶ୍ଚର୍ଯ୍ୟର ସୀମା ରହିବ ନାହିଁ । ଏମାନେ ପୂରା ଦେଶରେ ଲଗାତାର ୧୪ ଘଣ୍ଟା କାମ କରୁଥିବା ବେଳେ ଓଡିଶା ଓ ପଞ୍ଜାବରେ ଏମାନଙ୍କ କାମ କରିବାର ସମୟ ୧୭ରୁ ୧୮ ଘଣ୍ଟା । ଏମିତିକି ଏହି ସମୟ ମଧ୍ୟରେ ତଳିଆ କର୍ମଚାରୀମାନେ ଉପରିସ୍ଥ ଅଧିକାରୀଙ୍କ ବୋଲହାକ କରିଥାନ୍ତି ବୋଲି ରିପୋର୍ଟରେ କୁହାଯାଇଛି । ଏ କ୍ଷେତ୍ରରେ ରାଜସ୍ଥାନ, ଓଡିଶା ଓ ଉତ୍ତରାଖଣ୍ଡର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । କିନ୍ତୁ ପଶ୍ଚିମବଙ୍ଗ, ଗୁଜୁରାଟ ଓ ପଞ୍ଜାବ ପୋଲିସ ଏ କ୍ଷେତ୍ରରେ ଯଥେଷ୍ଟ ଆଗରେ ଅଛନ୍ତି ।

POLICE-7ସରକାରଙ୍କ ତରଫରୁ ସମୟ ସମୟରେ ଏ ବାବଦରେ ଅନେକ କମିଟି ଗଠନ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେପରି କୌଣସି ଆଖି ଦୃଶିଆ ପଦକ୍ଷେପ ନିଆଯାଇ ନାହିଁ । ପୋଲିସ ଯଦି ନିଜର ପ୍ରକୃତ କାମ ଛାଡି ଅନ୍ୟ କାମରେ ଲାଗେ ତେବେ ଅସଲ କାମ ନିଶ୍ଚିତ ରୂପେ ପ୍ରଭାବିତ ହେବ । ଆମ ଦେଶ ଏପର୍ଯ୍ୟନ୍ତ ସେତେ ମାତ୍ରାରେ ଡିଜିଟାଲ କ୍ଷେତ୍ରରେ ଆଗେଇ ପାରିନାହିଁ । ତେଣୁ ବର୍ତ୍ତମାନ ଭିନ୍ନ ଭିନ୍ନ ଉପାୟରେ ଘଟୁଥିବା ଅପରାଧକୁ ରୋକିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଲାଣି । ଆଉ ଏକ ଚିନ୍ତାଜନକ ବିଷୟ ହେଉଛି ଦେଶରେ ପୋଲିସ ସଂଖ୍ୟା ଅତି କମ୍‌ ରହିଛି । ପ୍ରତି ୧ ଲକ୍ଷରେ ୧୯୨ ଜଣ ପୋଲିସ ହିଁ କାମ କରୁଛନ୍ତି । ତେବେ ରହିବା କଥା ୨୨୨ ଜଣ । ଭିଆଇପିଙ୍କ ସୁରକ୍ଷା ଓ ହିଂସାକାଣ୍ଡ ସାଙ୍ଗକୁ ଦୈନିକ ଘଟୁଥିବା ବିଭିନ୍ନ ଘଟଣା ଦୁର୍ଘଟଣା ଭଳି ଅନେକ ଚ୍ୟାଲେଞ୍ଜ ରହିଛି ପୋଲିସ୍‌ ସାମନାରେ ।

POLICE-9

ଶେଷରେ ଏତିକି କୁହାଯାଇପାରେ ଯେ ପୋଲିସ କର୍ମଚାରୀଙ୍କ ସମସ୍ୟା କିପରି ସୁଧାରି ହେବ ସେଥିପ୍ରତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଯତ୍ନବାନ ହେବ ଉଚିତ । କାରଣ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହେଲେ ଦେଶ ସୁରକ୍ଷିତ ରହିବ । ଆଉ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାର ଗୁରୁତ୍ୱପୂର୍ଣ୍ଣ ଭାର ରହିଛି ଏହି ଖାକି ପୋଷାକ ଉପରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.