ନିଜର ହାତ ନଥିଲେ ବି ଭାଇ ହାତରେ ରାକ୍ଷୀ ବାନ୍ଧିଛି ସୁଭଦ୍ରା, ଦେଖନ୍ତୁ ଏକ ନିଆରା ରାକ୍ଷୀ ପୂର୍ଣ୍ଣିମା

ନିଜର ହାତ ନାହିଁ କିନ୍ତୁ ରାକ୍ଷୀ ପୂର୍ଣ୍ଣିମାରେ କେବେ ବି ଭାଇର ହାତକୁ ଖାଲି ରହିବାକୁ ଦେଇନି। ଠିକ୍‌ ଭାବେ ବାନ୍ଧିପାରୁନଥିଲେ ମଧ୍ୟ ଭାଇକୁ ରାକ୍ଷୀ ବାନ୍ଧିବାକୁ ସେ ଯେମିତି ପଣ କରିଛି। ଏଣୁ ଦିବ୍ୟାଙ୍ଗ ହାତରେ ବି ରାକ୍ଷୀ ବାନ୍ଧୁଛନ୍ତି ଭାଇକୁ। ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ତେରଣ୍ଟି ଗାଁର କଲୋନୀ ସାହି ମିଳିଛି ଏମିତି ଦୃଶ୍ୟ। ଏହି ଦିବ୍ୟାଙ୍ଗ ଭଉଣୀର ନାଁ ହେଉଛି ସୁଭଦ୍ରା। ବୟସ ୧୦ ବର୍ଷ। ଜନ୍ମରୁ ହିଁ ସେ ଏମିତି, ଅଧା ହାତ ଗୋଡ଼ ନାହିଁ। ତେଣୁ ଶ୍ରଦ୍ଧାରେ କଲୋନୀର ଲୋକେ ତାଙ୍କୁ ସୁଭଦ୍ରା ଡାକନ୍ତି।

ବାପା ଛେଉଣ୍ଡ ସୁଭଦ୍ରାର ଏକମାତ୍ର ସାହା ଭରସା ତା’ ଭାଇ। ତା’ଠୁ ମାତ୍ର ୩ ବର୍ଷ ବଡ଼। ପରିବାର ପୋଷିବାକୁ ମା’ ଏକ କାରଖାନାରେ ଦିନ ମଜୁରିଆ ଭାବେ କାମ କରୁଥିବାରୁ ଭାଇ ହିଁ ବୁଝେ ଭଉଣୀର ସବୁ କଥା। କୁଆଡ଼େ ନେବା ଆଣିବା କରିବାକୁ ହେଲେ ଭାଇ ହିଁ କାନ୍ଧରେ ବସାଇ ଭଉଣୀକୁ ନେବା ଆଣିବା କରେ। ଏଣୁ ସୁଭଦ୍ରାର ସବୁଠୁ ନିଜର ତା’ ଭାଇ।

rakhi2

ଭାଇକୁ ନିଜ ଜୀବନଠୁ ବଳି ଭଲ ପାଉଥିବା ସୁଭଦ୍ରା ପାଇଁ ରାକ୍ଷୀ ପୂର୍ଣ୍ଣିମା ଦିନଟି ସବୁଠୁ ଖାସ୍‌। କାରଣ ଏହି ଦିନ ଆସିଲେ ସୁଭଦ୍ରା ତା’ ଭାଇକୁ ରାକ୍ଷୀ ବାନ୍ଧେ। ଭାଇକୁ ରାକ୍ଷୀ ବାନ୍ଧିବାକୁ କେମିତି ପୂଜା ଥାଳି ଧରି ପ୍ରସ୍ତୁତ ହୋଇ ବସିଛି। ଭାଇକୁ ନିଜର ଦିବ୍ୟାଙ୍ଗ ହାତରେ ଖୁବ୍‌ ଯତ୍ନର ସହ ସିନ୍ଦୁର, ଫୁଲ ଦେଇ ବନ୍ଦାଇବା ପରେ ହାତରେ ବାନ୍ଧି ଦେଉଛି ରାକ୍ଷୀ। ଦୁଇ ହାତରେ ସେ ଭାଇକୁ ମିଠା ବି ଖୁଆଇ ଦେଉଛି। କେବଳ ନିଜ ଭାଇ ନୁହେଁ ଘର ପାଖର ଜଣେ ଭାଇ ଯିଏ କି ସୁଭଦ୍ରାକୁ ନିଜ ଭଉଣୀ ଭଳି ସ୍ନେହ କରନ୍ତି ତାଙ୍କୁ ବି ରାକ୍ଷୀ ବାନ୍ଧିଛି ସୁଭଦ୍ରା।

rakhi3

ଦିବ୍ୟାଙ୍ଗ ହୋଇଥିଲେ ବି ଆଜି ଯାଏଁ କେବେ ବି ସେ ଭଗବାନକୁ ଦୋଷ ଦେଇ ନାହିଁ। ହାତ ଓ ଗୋଡ଼ ସମ୍ପୂର୍ଣ୍ଣ ନଥିଲେ ମଧ୍ୟ ସୁଭଦ୍ରାକୁ ଏବେ ଯାଏଁ ମିଳିପାରିନାହିଁ ସରକାରୀ ସହାୟତା। ଏମିତି କି ଭିନ୍ନକ୍ଷମ ଗାଡ଼ିଟିଏ ବି ତାକୁ ଦିଆଯାଇନାହିଁ। ଘରର ଅବସ୍ଥା ଶୋଚନୀୟ ଥିବାରୁ ମା’ ବି ଝିଅ ପାଇଁ କିଛି କରିପାରିନାହାନ୍ତି। ନା ମୁଣ୍ଡ ଉପରେ ଅଛି ଛାତ ଘର ନା ଚଳିବାକୁ ଟଙ୍କା। ସ୍କୁଲରେ ଭଲ ପଢ଼ୁଥିଲେ ବି ଯିବା ଆସିବା କରିବାକୁ ସମସ୍ୟା ହେଉଥିବାରୁ ବୋଧେ ସୁଭଦ୍ରାର ଆଗକୁ ପାଠରେ ବି ଡୋରି ବନ୍ଧା ହୋଇଯିବ। ଏଣୁ ତାଙ୍କୁ ସାହାଯ୍ୟ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.