ଏକ ନିଆରା ବିବାହ ଯାହାର ସାକ୍ଷୀ ‘କରୋନା ଭାଇରସ’, ଲକଡାଉନରେ ଖାଦ୍ୟ ବାଣ୍ଟୁଥିବା ଯୁବକଙ୍କୁ ହେଲା ଭିକ ମାଗୁଥିବା ଝିଅ ସହ ପ୍ରେମ

ପ୍ରେମ ଶାଶ୍ୱତ ଏବଂ ଅନ୍ଧ। ପ୍ରେମ ଦେଖେନା ଧନୀ ଗରିବ, ଉଚ୍ଚ ନୀଚ। ପ୍ରେମ ଦେଖେନା ବୟସ କି ରଙ୍ଗ। ପ୍ରେମ ଏକ ସୁନ୍ଦର ଅନୁଭବ। ଏହି ପ୍ରେମ ଦୁଇ ମନର ମିଳନ। ଆଉ କାହାକୁ କେତେବେଳେ ଯେ ପ୍ରେମ ହୋଇଯାଏ ତାହା କେହି ଜାଣନ୍ତିନି। ଏହି ଅଢେଇ ଅକ୍ଷର ପ୍ରେମର କେତେ ଯେ ଶକ୍ତି ତାହା ଆଜି ଆପଣ ଏହି ପାଠ୍ୟକ୍ରମରେ ଜାଣିବେ।

କାନପୁରରେ ରହୁଥିବା ଅନିଲ ଏବଂ ନିଲମଙ୍କ ପାଇଁ ‘କରୋନା ଭାଇରସ’ ସେମାନଙ୍କର ୭ ଜନ୍ମରସାକ୍ଷୀ ପାଲଟିଛି। ଆଜି ଆମେ ଆପଣଙ୍କୁ ଏକ ନିଆରା ପ୍ରେମ କାହାଣୀ ବିଷୟରେ ଜଣାଇବୁ। କେମିତି ଓ କେଉଁଠି ଏହି ଦୁଇ ମନର ମିଳନ ହେଲା ତାହା ବି ଜଣାଇବୁ। କାହିଁକିନା ଏହି ପ୍ରେମ ଏବଂ ବିବାହ ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଁଟୁଛି।

ଏହି ସତ୍ୟ କାହାଣୀ ହେଉଛି କାନପୁରର ଝିଅ ନିଲମର। ବାପା ମା ଛେଉଣ୍ଡ ନିଲମ ନିଜ ଭାଇ ଓ ଭାଉଜଙ୍କ ସାହାରାରେ ଚଳୁଥିଲେ। କିନ୍ତୁ ସେହି ଶେଷ ସାହାରା ବି ଚାଲିଗଲା, ଭାଇ ଓ ଭାଉଜ ମିଶି ନିଲମଙ୍କୁ ମାଡ଼ ଦେଇ ଘରୁ ବାହାର କରିଦେଲେ। ଏହାପରେ ଥରେ ଏହି ଦୁଃଖିନୀ ଭଉଣୀର ଖବର ମଧ୍ୟ ନେଲେନି। ଶେଷରେ ବେସାହାରା ନିଲମ ନିର-ଛିର ଚୌରହେ ନିକଟସ୍ଥ କାକଦେବ ଇଲାକାରେ ରହୁଥିବା ଭିକାରୀ ମାନଙ୍କ ସହିତ ମିଶି ଭିକ୍ଷା ମାଗିବାକୁ ବାଧ୍ୟ ହେଲେ।

coupleଏହା ମଧ୍ୟରେ ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ମହାମାରୀ ଆରମ୍ଭ ହୋଇଗଲା। ଯେଉଁ କାରଣରୁ ସାରା ଦେଶକୁ କରିଦିଆଗଲା ତାଲାବନ୍ଦ। ଆଉ ପରିସ୍ଥିତି ଏମିତି ହୋଇଗଲା ଯେ ନିଲମଙ୍କ ଯେଉଁ ଅଳ୍ପ ମୁଠିଏ ଖାଇବା ମିଳୁଥିଲା ତାହା ବି ମିଳିଲାନାହିଁ। ପେଟକୁ ମୁଠିଏ ଖାଦ୍ୟ ଯୋଗାଇବା ହୋଇଗଲା ସ୍ୱପ୍ନ।

ଏହିସବୁ ଭିତରେ କାନପୁରର ଜଣେ ବ୍ୟକ୍ତିଙ୍କର ଭେଟ ହେଲା ନିଲମଙ୍କ ସହିତ। ନିଲମଙ୍କ ଦୁଃଖ ବୁଝି ସେହି ବ୍ୟକ୍ତି ଜଣଙ୍କ ପ୍ରତି ଦିନ ଖାଦ୍ୟ ଯୋଗାଇବାକୁ ନିଷ୍ପତ୍ତି ନେଲେ। ସେ ତାଙ୍କ ଡ୍ରାଇଭର ଅନିଲକୁ କହିଲେ ନିଲମ ଏବଂ ସେଠାରେ ଥିବା ଅନ୍ୟ ଲୋକମାନଙ୍କ ପାଖରେ ପ୍ରତି ଦିନ ଖାଦ୍ୟ ପହଞ୍ଚାଇବାକୁ। ପ୍ରାୟ ୪୫ ଦିନ ଏପରି ପ୍ରତ୍ୟେକ ଦିନ ନିଲମ ଏବଂ ତାଙ୍କ ସାଥୀଙ୍କ ପାଖରେ ଖାଦ୍ୟ ବାଣ୍ଟୁ ବାଣ୍ଟୁ ଅନିଲଙ୍କ ମନରେ ନିଲମଙ୍କ ପ୍ରତି ଜନ୍ମ ନେଲା ପ୍ରେମର ମଞ୍ଜି। କେବଳ ଏତିକି ନୁହେଁ ନିଲମ ମଧ୍ୟ ଅନିଲଙ୍କୁ ନେଇ ଦେଖୁଥିଲେ ସୁନ୍ଦର ସ୍ୱପ୍ନ।

ଏହି ପ୍ରେମୀ ଯୋଡ଼ିଙ୍କ ପ୍ରେମର ବାସ୍ନା ଯାଇ ପହଁଚିଲା ଅନିଲଙ୍କ ବାପାଙ୍କ ପାଖରେ। ଆଉ ସେ ନିଲମଙ୍କ ଅନୁମତି ନେଇ ସମସ୍ତଙ୍କ ସହଯୋଗରେ ସମ୍ପୂର୍ଣ୍ଣ ହିନ୍ଦୁ ପରମ୍ପରା ଅନୁଯାୟୀ ଅନିଲ ଏବଂ ନିଲମଙ୍କ ବିବାହ ସମ୍ପନ୍ନ ହେଲା।

ଏହା ଏକ ବାସ୍ତବ ପ୍ରେମ କାହାଣୀ। ଆଉ ଏହି ବିବାହ ଅନ୍ୟମାନଙ୍କ ପାଇଁ ସାଜିଛି ଉଦାହରଣ। ଜଣେ ବେସାହାରା ଭିକ୍ଷା ବୃତ୍ତି କରୁଥିବା ଝିଅ ପାଇଲା ସାହାରା। ବାସ୍ତବରେ ଯଦି ଲୋକଙ୍କ ଚିନ୍ତାଧାରା ବି ଯଦି ଅନିଲଙ୍କ ଭଳି ହୋଇଯିବ ତାହେଲେ ବୋଧହୁଏ କେହି ନିରୀହ ବେସାହାରା ଝିଅ ଆଉ ରାସ୍ତା କଡରେ, ମନ୍ଦିରରେ ବସି ଭିକ୍ଷା ବୃତ୍ତି କରିବେନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.