Below header

ଋଗଣ ଶିଳ୍ପର ପୁନରୁଦ୍ଧାର ପ୍ରବାସୀ ଶ୍ରମିକଙ୍କ ଥଇଥାନ ପାଇଁ ଏକ ବଡ଼ ବିକଳ୍ପ ହୋଇ ପାରିବ

ଏଇ କୋଭିଡ୍ ସଂକଟ ସମୟରେ ରାଜ୍ୟବାସୀଙ୍କ ଜୀବନ ଜୀବିକାକୁ ସୁଧାରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ୧୭ ହଜାର କୋଟି ଟଙ୍କାର ଅନୁଦାନ । ଯାହାକୁ ମିଳିଛି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ । ଏଥିରେ ଅନ୍ୟ କିଛି ପ୍ରସଙ୍ଗ ସହ ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ନିରାପତ୍ତା ଯୋଜନାରେ ସାମିଲ କରିବାର ପ୍ରସ୍ତାବ ମଧ୍ୟ ରହିଛି । ପର‌୍ୟ୍ୟଟନ ଠାରୁ ଆରମ୍ଭ କରି କୃଷି, ଏମ୍‌ଏସ୍‌ଏମ୍‌ଇ, ଯାଏ ପ୍ରତ୍ୟେକ କ୍ଷେତ୍ରର ସ୍ଥିତି ସୁଧାରିବା ଲାଗି ପ୍ରୟାସ କରିଛନ୍ତି ରାଜ୍ୟ ସରକାର । କାରଣ ଏହି କରୋନା ଲକ୍‌ଡାଉନ୍ ଯୋଗୁଁ ପ୍ରତ୍ୟେକ କ୍ଷେତ୍ର ପ୍ରଭାବିତ ହୋଇଛି । ଖୁବ୍ ଶୀଘ୍ର ଯଦି ଏସବୁରେ ସୁଧାର ନଆସେ ତେବେ ଅର୍ଥନୈତିକ କ୍ଷେତ୍ରରେ ରାଜ୍ୟ ଆହୁରି ପଛୁଆ ହୋଇଯିବ ।
ତେବେ ରାଜ୍ୟ ସରକାରଙ୍କର ଏହି ସବୁ ବଳିଷ୍ଠ ପଦକ୍ଷେପ ଭିତରେ ଗୋଟିଏ କଥା ମନକୁ ଆସୁଛି । ଯଦି ପୁନରୁଦ୍ଧାର ଅପେକ୍ଷାରେ ଥିବା କିଛି ପ୍ରକଳ୍ପ ଏବଂ କାରଖାନାକୁ ନୂଆ ଜୀବନ ଦିଆଯାଏ ତେବେ ରୋଜଗାର କ୍ଷେତ୍ରରେ ବେଶ୍ କିଛି ସମସ୍ୟା ଦୂର ହୋଇଯାନ୍ତା । କାରଣ ସରକାର ଲକ୍ଷାଧିକ ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଆଣିଛନ୍ତି । ସେମାନେ ଅଧିକ ଦିନ ହାତବାନ୍ଧି ଘରେ ବସିବା ସମ୍ଭବ ନୁହେଁ । ଏମିତିକି ମନରେଗା ଯୋଜନାରେ ମଧ୍ୟ ସମସ୍ତଙ୍କୁ ଆବଶ୍ୟକ କାମ ଯୋଗାଇବା ସହଜ ହେବ ନାହିଁ ତେଣୁ ଏବେ ସମୟ ଆସିଛି ବନ୍ଦ ପଡ଼ିଥିବା ଅନେକ କଳକାରଖାନାକୁ ପୁଣି ଆରମ୍ଭ କରି ସେଥିରେ ଏହି ପ୍ରବାସୀମାନଙ୍କୁ ଥଇଥାନ କରି ହେବ ।

OTM-3ଉଦାହରଣ ସ୍ୱରୂପ ଯଦି ଦେଖାଯାଏ ସେ କଟକ ଜିଲ୍ଲା ଚୌଦ୍ୱାରର ଶିଳ୍ପାଞ୍ଚଳ ଏବଂ ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଅନେକ ଋଗଣ ଶିଳ୍ପର ପୁନରୁଦ୍ଧାର କରିହେବ । ଯଦି ସରକାର ଭଲ ଭାବେ ଧ୍ୟାନ ଦେବେ ତେବେ ଦିନେ ବିଶ୍ୱରେ ବେଶ୍ ଖ୍ୟାତି ଅର୍ଜନ କରିଥିବା ଓଡ଼ିଶା ଟେକ୍ସଟାଇଲ୍ ମିଲ ବା ଓଟିଏମ୍ ପୁଣି ଜୀଇ ଉଠିବ । ଏଥିରେ ହଜାର ହଜାର ଶ୍ରମିକ ଜୀବିକା ପାଇ ପାରିବେ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନର ଏହି କାରଖାନା ୧୯୪୬ରେ ପ୍ରତିଷ୍ଠା ହୋଇ ୧୯୫୦ରେ ଉତ୍ପାଦନ ଆରମ୍ଭ ହୋଇଥିଲା । ୮୦ ଦଶକରେ ଦେଶ ବାହାରକୁ ବି ଏହାର କପଡ଼ା ରପ୍ତାନି ହେଉଥିଲା । ତେବେ ୧୯୯୯ ମହାବାତ୍ୟା ଏହାର ମେରୁଦଣ୍ଡ ଭାଙ୍ଗି ଦେଲା ଏବଂ ୨୦୦୧ରେ ସରକାର ଏହାକୁ ଋଗଣ ଶିଳ୍ପ ଭାବେ ଘୋଷଣା କଲେ ।
ଏଥିରେ କାମ କରୁଥିବା ହଜାର ହଜାର କର୍ମଚାରୀ ବେକାର ହୋଇଗଲେ ।

OTM-4

ପ୍ରତିଥର ନିର୍ବାଚନ ଆସିଲେ ଓଟିଏମ୍ ପୁଣି ଚାଲୁ ହେବା ନେଇ ଆଶା ସୃଷ୍ଟି ହୁଏ । ତେବେ ଧୀରେ ଧୀରେ ପୁଣି ଏହା ନିରବି ଯାଏ । ୧୯ ବର୍ଷ ପରେ ବି ଅନେକ କର୍ମଚାରୀ ଆଶା ବାନ୍ଧି ବସିଛନ୍ତି ପୁଣି ଚାଲିବ ଏହି କାରଖାନା । ପୁଣି ଓଡ଼ିଶାର କାରିଗରୀ ଦେଖିବ ସାରା ବିଶ୍ୱ । ଆଉ ଆଜି ଯଦି ଏହା ପୁଣି ଜୀଇ ଉଠନ୍ତା ତେବେ ଅନେକ ପେଟ ଭୋକ ଦାଉରୁ ବତ୍ତି ଯାଆନ୍ତେ । ପ୍ରବାସୀ ଓଡ଼ିଆଙ୍କୁ କାମ ମିଳିଯାନ୍ତା ।
କେବଳ ଓଟିଏମ୍ ନୁହେଁ ଚୌଦ୍ୱାର ଶିଳ୍ପାଞ୍ଚଳରେ ଵଲାରପୁର କାଗଜ କଳ, ଟିଟାଗଡ ପେପର ମିଲ, ଲିଵ୍ରା କାପେର୍ଟ ଏବଂ ଟାଙ୍ଗୀ ଭଗତ ପୁର ଠାରେ ଓଡ଼ିଶା କଟନ୍ ମିଲ୍/ଓସିଏମ୍ ଆଦି ଅନେକ ଶିଳ୍ପ ସଂସ୍ଥା ଋଗଣ ଅବସ୍ଥାରେ ପଡ଼ି ରହିଛନ୍ତି । ଏସବୁ ଯଦି ଜୀବନ ଦାନ ପାଆନ୍ତେ ତେବେ ଚଳଚଞ୍ଚଳ ହୋଇ ଉଠନ୍ତା ଅପନ୍ତରା ପଡ଼ିଥିବା ଜାଗା ସବୁ । ରାଜ୍ୟ ଅର୍ଥନୀତି ଆହୁରି ବେଗ ଧରନ୍ତା । ଆଉ ଘର ବାହୁଡ଼ିଥିବା ଆମ ଭାଇ ଭଉଣୀମାନେ କାମରେ ଲାଗିଯାନ୍ତେ । ପ୍ରବାସରେ ରହି ଆଉ ପର ଦୁଆରେ ହାତ ପତାନ୍ତେ ନାହିଁ ।
ଆଶା କରୁଛୁ ନୂଆ ପ୍ରକଳ୍ପ ସହ ରାଜ୍ୟ ସରକାର ଏଭଳି ବନ୍ଦ ପଡ଼ିଥିବା ପୁରାତନ ଶିଳ୍ପଗୁଡ଼ିକୁ ପୁଣି ଚଳାଇବାକୁ ପ୍ରୟାସ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.