ଏନକାଉଣ୍ଟର: ଜେଜେର ଶବ ଉପରେ ବସି କାନ୍ଦୁଥିବା ଶିଶୁକୁ ଗୁଳିରୁ ରକ୍ଷାକଲେ ଯବାନ

ରାସ୍ତା ଉପରେ ପଡ଼ିଛି ରକ୍ତ ଜୁଡୁବୁଡୁ ମୃତଦେହ । ତା ଉପରେ ବସି କାନ୍ଦୁଛି ଅବୋଧ ପିଲାଟିଏ । ଜମ୍ମୁ କଶ୍ମୀରର ସୋପୋର । ଏଠି ଆଜି ସକାଳୁ ସକାଳୁ ଶୁଭିଲା ଗୁଳିର ଆବାଜ୍‌ । ଆତଙ୍କବାଦୀ ଓ ଭାରତୀୟ ଜଓ୍ଵାନ୍‌ଙ୍କ ମଧ୍ୟରେ ଚାଲିଥିଲା ଗୁଳି ବିନିମୟ । ଆତଙ୍କବାଦୀଙ୍କୁ ଠିକଣା ଜବାବ ଦେଉଥିଲେ ଯବାନ୍‌ମାନେ । ହେଲେ ତାରି ଭିତରେ ସହିଦ ହୋଇଗଲେ ଜଣେ ସିଆରପି ଜଓ୍ଵାନ୍‌ । ତାଙ୍କ ସହିତ ଆହତ ହେଲେ ତିନି ଜଣ। କିନ୍ତୁ ଏସବୁ ଭିତରେ ଜୀବନ ଚାଲିଗଲା ଜଣେ ସ୍ଥାନୀୟ ନାଗରିକଙ୍କର । ଯିଏକି ଆତଙ୍କବାଦୀ ଓ ଜବାନ୍‌ଙ୍କ ଏହି ଲଢ଼େଇ ମଝିରେ ପଡ଼ିଗଲେ ।

ସକାଳେ ନିଜର ତିନି ବର୍ଷର ନାତିକୁ ଧରି କ୍ଷୀର କିଣିବାକୁ ଯାଇଥିଲେ ବ୍ୟକ୍ତି ଜଣକ । ତେବେ ଅଚାନକ ଆରମ୍ଭ ହୋଇଗଲା ଫାୟାରିଂ । ଗୁଳି ଆସି ବାଜିଲା ତାଙ୍କ ଦେହରେ । ସେଇଠି ଟଳି ପଡ଼ିଲେ ସେ । ତାଙ୍କ ସହ ଥିବା ତିନି ବର୍ଷର ପିଲାଟି କିଛି ବୁଝି ପାରୁନଥିଲା କଣ ହେଉଛି ବୋଲି । ବେଶ୍‌ କିଛି ସମୟ ତଳେ ପଡ଼ିଥିବା ନିଜ ଜେଜେ ବାପାର ଶବ ଉପରେ ବସି ରହିଥିଲା । ତାକୁ ବଞ୍ଚାଇବା ପାଇଁ ସିଆରପିଏଫ୍‌ ଜଓ୍ଵାନମାନେ ଆତଙ୍କବାଦୀଙ୍କୁ ଉପରେ ଜୋରସୋରରେ ହମ୍‌ଲା କଲେ । ନିଜ ନିଜ ଜୀବନକୁ ବାଜି ଲଗାଇ ଆତଙ୍କୀଙ୍କ ଆକ୍ରମଣର ସାମନା କଲେ । ସୌଭାଗ୍ୟକୁ ପିଲାଟି ଆପେ ଆପେ ଶବ ଉପରୁ ଉଠି ଜବାନ୍‌ଙ୍କ ପାଖକୁ ଚାଲି ଆସିଲା । ଆଉ ଶେଷରେ ସେମାନେ ଉଦ୍ଧାର କଲେ ପିଲାଟିକୁ । ସେ ରାହା ଧରି କାନ୍ଦୁଥିଲା । ତାକୁ ବିସ୍କୁଟ ଦେଇ ବୋଧ କରିବାକୁ ଚେଷ୍ଟା କରୁଥିଲେ ସେମାନେ । ତେବେ ପିଲାଟି ଖୋଜୁଥିଲା ତା ମା’କୁ । ଜବାନ୍‌ମାନେ ପିଲାଟିକୁ ତା ଘରେ ଛାଡ଼ି ଦେଲେ । ଯେଉଁଠି ଏବେ କାନ୍ଦରେ ଫାଟି ପଡୁଛି ସାରା ଅଞ୍ଚଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.