ଏପରି ଏକ କୁକୁଡ଼ା ଯାହାର ହାଡ଼, ମାଂସ ଓ ରକ୍ତ ସବୁ କଳା, ଔଷଧର ଭଣ୍ଡାର କଡକନାଥ କୁକୁଡ଼ା

କଳା ଥଂଟ, କଳା ରକ୍ତ, କଳା ମାଂସ, କଳା ଅଣ୍ଡା ତଥା ସମ୍ପୁର୍ଣ୍ଣ ଶରୀର କଳା । ଏହା ଦେଖିବାକୁ ଯେତେ ସୁନ୍ଦର, ସ୍ୱାଦ ତାଠୁ ବି ବେଶୀ ସୁନ୍ଦର। ଏହା ବିଶ୍ୱର ଏକମାତ୍ର ବିରଳ କୁକୁଡା ଯାହାର ବାହାର ଓ ଭିତରେ ଥିବା ସମସ୍ତ ଅଙ୍ଗପ୍ରତ୍ୟଙ୍ଗର ରଙ୍ଗ କଳା ହୋଇଥାଏ । ଏହା ଔଷଧିୟଗୁଣ ଯୁକ୍ତ ତଥା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ହିତକର ହୋଇଥିବାରୁ ଏହାର ଚାହିଦା ଦେଶ ବିଦେଶରେ ବିପୁଳ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ଏହା ହେଉଛି କଡକନାଥ କୁକୁଡାର ପରିଚୟ । ବଡ ବଡ ସେଲେବ୍ରିଟି ଠୁଁ ଆରମ୍ଭ କରି ସ୍ପୋର୍ଟସମ୍ୟାନ ମାନଙ୍କୁ ଏହା ଖାଇବା ପାଇଁ ତାଙ୍କ ଡାଇଟିସିଆନ ମାନେ ପରାମର୍ଶ ଦେଉଛନ୍ତି । ତାହେଲେ ଆସନ୍ତୁ ଜାଣିବା କାହିଁକି ରହିଛି ଏହାର ଏତେ ଚାହିଦା ।

ଏହାର ରଙ୍ଗ କଳା କାହିଁକି ହୋଇଥାଏ

କଡକନାଥ କୁକୁଡାର ଥଂଟ, ଜିଭ, ଚମଡା ଓ ପକ୍ଷୀଟାରୁ ଆରମ୍ଭ କରି ତାର ରକ୍ତ, ମାଂସ ଓ ହାଡ ମଧ୍ୟ କଳା ରଙ୍ଗର ହୋଇଥାଏ । ଏବେ ଜାଣିବା ଏହାର ରଙ୍ଗ କଳା କାହିଁକି ହୋଇଥାଏ । ଏହା ପଛରେ ମଧ୍ୟ ବିଜ୍ଞାନ ରହିଛି । ଆଇରନ ଓ ମେଲାନିନ ପ୍ରଚୁର ମାତ୍ରାରେ ରହିଥିବାରୁ ଏହାର ରଙ୍ଗ ସମ୍ପୁର୍ଣ୍ଣ କଳା ହୋଇଥିବା ବେଜ୍ଞାନିକମାନେ ମତପ୍ରକାଶ କରନ୍ତି । ଏହା ସହ ଏଥିରେ ଅନ୍ୟ କୁକୁଡା ମୁକାବିଲାରେ ୟୁରିକ ଏସିଡର ମାତ୍ରା ମଧ୍ୟ ପ୍ରଚୁର ରହିଥିବାରୁ ଏହା ଶିଘ୍ର ପାଚନରେ ସହାୟକ ହୋଇଥାଏ । ଏହା ସହ ଅନ୍ୟ କୁକୁଡା ତୁଳନାରେ ଏଥିରେ ବହୁତ କମ କୋଲେଷ୍ଟ୍ରଲ ଓ ଫ୍ୟାଟ  ରହିଥିବାରୁ ଏହାକୁ ଯେ କୌଣସି ଲୋକ ଖାଇପାରିବେ ଏବଂ ଏହା ଆପଣଙ୍କୁ କୌଣସି କ୍ଷତି ପହଂଚାଇବ ନାହିଁ, ଓଲଟା ବହୁତ ଲାଭ ପ୍ରଦାନ କରିବ । ବ୍ଲଡପ୍ରେସର, ଡାଇବେଟିସ ଓ ହାର୍ଟ ରୋଗୀମାନଙ୍କ ପାଇଁ ଏହା ବରଦାନ ସଦୃଶ । ଏହା ସହ ଏହାକୁ ଦେଶୀ ଭାଇଗ୍ରା ମଧ୍ୟ କୁହାଯାଇଥାଏ । ଏହା ସେବନ କଲେ ଯୌନଶକ୍ତି ବୃଦ୍ଧି ପାଇଥାଏ ବୋଲି ମାନ୍ୟତା ରହିଛି । ଏସବୁ ସହ ଏହାର ସ୍ୱାଦ ଏତେ ସ୍ୱାଦିଷ୍ଟ ହୋଇଥାଏ ଯେ, କେହି ଏହାକୁ ନ ଖାଇଲା ପର୍ଯ୍ୟନ୍ତ ବିଶ୍ୱାସ କରି ପାରିବ ନାହିଁ ।

Image result for kadaknath kukut palan

ଏପରି ନାମକରଣ କାହିଁକି ?

କଡକ ଅର୍ଥ ହେଉଛି ଶକ୍ତ । ଏହା ଶରୀରକୁ ଶକ୍ତ ରଖୁଥିବା ତଥା ଶକ୍ତି ପ୍ରଦାନ କରୁଥିବାରୁ ଏହାକୁ କଡକନାଥ ଭାବରେ ନାମକରଣ କରାଯାଇଛି । ରାଜାରାଜୁଡା ଅମଳରୁ ରାଜାମାନେ ନିଜ ଶକ୍ତି ବର୍ଦ୍ଧନ ପାଇଁ ଏହାର ପାଳନ କରିବା ସହ ଏହାର ମାଂସ ଓ ଅଣ୍ଡାକୁ ଆହାର ଭାବେ ବ୍ୟବହାର କରୁଥିଲେ । ଏହା ଏକ ଜଙ୍ଗଲୀ କୁକୁଡା ଏବଂ ବସ୍ତର ଓ ଝାବୁଆ ଅଂଚଳର ଆଦିବାସୀମାନେ ହିଁ ଏହାର ଲାଳନ ପାଳନ କରି ଏହାକୁ ଆଜି ପର୍ଯ୍ୟନ୍ତ ବଂଚାଇ ରଖି ପାରିଛନ୍ତି । ଦେଶୀ କୁକୁଡା ଭଳି ଏମାନଙ୍କୁ ବିଶେଷ ଯତ୍ନର ଆବଶ୍ୟକତା ପଡି ନ ଥାଏ। ଚାଉଳ, ଗହମ, ଘାସ, ଶାଗ ଓ କିଟ ପତଙ୍ଗ ଯାହା ପାଇଲେ ଏମାନେ ତାକୁ ଖାଇ ଥାଆନ୍ତି । ଏମାନଙ୍କୁ ସେଭଳି କିଛି ବିଶେଷ ଦାନାର ଆବଶ୍ୟକତା ପଡି ନ ଥାଏ । ଆପଣଙ୍କ କିଚେନରୁ ବାହାରୁଥିବା ଆବର୍ଜନାକୁ ଖାଇ ମଧ୍ୟ ଏହି କୁକୁଡା ଚଳି ଯାଇପାରିବେ ।

କିଛି ଆଦିବାସୀ ଅଂଚଳ ମଧ୍ୟରେ ସିମିତ ରହିଯାଇଥିବା ଏବଂ ବିଲୁପ୍ତପ୍ରାୟ ଏହି କୁକୁଡା ପ୍ରଜାତିର ପ୍ରଚାର ଓ ପ୍ରସାର ପାଇଁ ଛତିଶଗଡ ଓ ମଧ୍ୟପ୍ରଦେଶ ସରକାରଙ୍କ ଅବଦାନ ଉଲ୍ଲେଖନୀୟ। ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲା ଓ ଛତିଶଗଡର ବସ୍ତର ଜିଲ୍ଲାରେ ଏହାର ଉତ୍ପତି ବିଷୟରେ ସୁଚନା ମିଲେ। କିଛି ଦିନ ପୁର୍ବରୁ ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ରସଗୋଲାର ଜିଆଇ ଟ୍ୟାଗ ପାଇଁ ଦେଖା ଦେଇଥିବା ବିବାଦ ଭଳି କଡକନାଥ କୁକୁଡାର ଜିଆଇ ଟ୍ୟାଗ ପାଇବା ପାଇଁ ମଧ୍ୟପ୍ରଦେଶ ଓ ଛତିଶଗଡ ସରକାର ମଧ୍ୟରେ ବିବାଦ ଦେଖା ଦେଇଥିଲା । ଶେଷରେ ମଧ୍ୟପ୍ରଦେଶ ବାଜିମାତ କରିଥିଲା ଏବଂ କେନ୍ଦ୍ର ସରକାର ମଧ୍ୟପ୍ରଦେଶକୁ କଡକନାଥ କୁକୁଡାର ଜିଆଇ ଟେଗ ତଥା ପେଟେଂଟ ପ୍ରଦାନ କରିଥିଲେ । ଉଭୟ ରାଜ୍ୟ ସରକାର କଡକନାଥର ପ୍ରଚାର ପ୍ରସାର ପାଇଁ ଅନେକ କାର୍ଯ୍ୟ କରିଛନ୍ତି । ବିଶେଷ କରି ମଧ୍ୟପ୍ରଦେଶ ସରକାର ୨୦୧୦ରୁ ଝାବୁଆଠାରେ ଏକ କଡକନାଥ ଅନୁସନ୍ଧାନ କେନ୍ଦ୍ର ପ୍ରତିଷ୍ଠା କରି ସେଠାରୁ ଦେଶର କୋଣ ଅନୁକୋଣକୁ କଡକନାଥ ଚିଆଁ ବିକ୍ରି କରିବା ସହ ଏହାର ବିଭିନ୍ନ ଔଷଧିୟ ଗୁଣ ବିଷୟରେ ଅନୁସନ୍ଧାନ ଜାରି ଋଖିଛନ୍ତି । ଏହାର ମାଂସରୁ ଦେହରେ ହେଉଥିବା ଧଳା ଦାଗର ଔଷଧ ତିଆରି ପାଇଁ କେରଳରେ ଥିବା ଏକ ଅନୁସନ୍ଧାନ କେନ୍ଦ୍ର ଗବେଷଣା ଜାରି ରଖିଥିବା ଜଣା ପଡିଛି। କଡକନାଥ କୁକୁଡାର ଅନେକ ଔଷଧିୟ ଗୁଣ ଓ ସ୍ୱାଦ ଯୋଗୁଁ ଏବେ ଏହାର ଚାହିଦା ଦେଶ ତଥା ବିଦେଶରେ ମଧ୍ୟ ଦେଖା ଦେଲାଣି । ମଧ୍ୟପ୍ରଦେଶ ଓ ଛତିଶଗଡ ରାଜ୍ୟରେ ଏହି କୁକୁଡା କିଲୋ ପ୍ରତି ୫୦୦ ରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ବେଳେ ଅନ୍ୟ ରାଜ୍ୟ ଗୁଡିକରେ ଏହାର ଦର ଏବେ ଏଜ ହଜାର ରୁ ୧୨ ଶହ ଟଙ୍କା ପର୍ଯ୍ୟନ୍ତ ରହିଛି । ଗୋଟିଏ କିଲୋ ପର୍ଯ୍ୟନ୍ତ ହେବାକୁ ଗୋଟିଏ କଡକନାଥ କୁକୁଡାକୁ ଚାରିରୁ ପାଂଚ ମାସ ସମୟ ଲାଗିଥାଏ । ମାଂସ ଭଳିଚଡକନାଥର ଅଣ୍ଡାର ମଧ୍ୟ ବହୁତ ଚାହିଦା ରହିଛି । ଏହାର ଅଣ୍ଡାରେ ବହୁ ମାତ୍ରାରେ ପ୍ରୋଟିନ ରହୁଥରବାରୁ ଛୋଟ ଛୁଆମାନଙ୍କ ପାଇଁ ଏହା ବେଶ ଉପାଦେୟ ହୋଇଥାଏ । ଏହା ଛୋଟ ଛୁଆଙ୍କ ମାନସିକ ଓ ଶାରିରୀକ ବିକାଶ ଓ ଶକ୍ତି ପ୍ରଦାନରେ ବେଶ ସହାୟକ ହୋଇଥାଏ । ଏହି କାରଣରୁ ଏହାର ଅଣ୍ଡା ଗୋଟାକୁ ୩୦ ରୁ ୫୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ । ଏହି ସବୁ ଔଷଧିୟ ଗୁଣ ଗୁଡିକ କାରଣରୁ କଡକନାଥ ଅନୁସନ୍ଧାନ କେନ୍ଦ୍ର, ଝାବୁଆର ନିର୍ଦ୍ଦେଶକ ଭାରତ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲୀଙ୍କୁ କଡକନାଥ ଖାଇବା ପାଇଁ ପରାମର୍ଶ ଦେଇଛନ୍ତି । ଏହା ସହ କଙ୍ଗନା ରଣାୱତ ଷ୍ଟାରର ବଲିଉଡ ଫିଲ୍ମ ରିଭଲଭର ରାନୀର ପ୍ରୋମୋର ମଧ୍ୟ ଏହାର ବିଶେଶତ୍ୱ ବିଷୟରେ ଦର୍ଶା ଯାଇଥିଲା । ବଡିବିଲ୍ଡର ମାନଙ୍କୁ ମଧ୍ୟ ଏହା ଖାଇବାକୁ ପରାମର୍ଶ ଦିଆଯାଉଛି ।

Related image

କଡକନାଥ କୁକୁଡାର ଚାହିଦାରେ ଦେଖା ଦେଇଥିବା ତୀବ୍ର ବୃଦ୍ଧି କାରଣରୁ ଦେଶର ଅନେକ ଜାଗାରେ ଏବେ ଏହାର ଫାର୍ମ ଗୁଡିକ ଖୋଲିବା ଆରମ୍ଭ କଲାଣି । ଝାବୁଆ ଅନୁସନ୍ଧାନ କେନ୍ଦ୍ର ବ୍ୟତିତ ଇଣ୍ଡିଆ ମାର୍ଟ ମଧ୍ୟ ଏବେ ଦେଶର କୋଣ ଅନୁକୋଣକୁ କଡକନାଥ ଚିଆଁ ଯୋଗାଇ ଦେଉଛନ୍ତି । କଡକନାଥ ଚିଆଁର ଦାମ ଗୋଟାକୁ ୭୦ ରୁ ୮୦ ଟଙ୍କା ପଡୁଥିବା ବେଲେ ଅନଲାଇନରେ ଆପଣ ବୁକିଂ କଲେ ସେମାନେ ଆପଣଙ୍କ ନିକଟସ୍ଥ ରେଲୱେ ଷ୍ଟେସନକୁ ପଠାଇ ଦେବେ । ଏହାର ଲାଳନପାଳନ ପାଇଁ ମଧ୍ୟ ବିଶେଷ କୌଣସି ଟ୍ରେନିଂର ମଧ୍ୟ ଆବଶ୍ୟକତା ନ ଥିବାରୁ ଯେ କୌଣସି ଚାଷୀ ଏହା ମାଧ୍ୟମରୁ ଆହୁରି କିଛି ରୋଜଗାର କରି ବେଶ ଲାଭବାନ ହୋଇପାରିବେ । କିନ୍ତୁ ଏହି କୁକୁଡାକୁ ଟିକେ ଖୋଲା ଜାଗାର ଆବଶ୍ୟକତା ପଡିଥାଏ । ଓଡିଶାରେ ମଧ୍ୟ ଏବେ ଏହାର ଚାହିଦାରେ ବୃଦ୍ଧି ଦେଖା ଦେଇଛି ଏବଂ କେତେକ ଯାଗାରେ କିଛି ଯୁବକ ଏହାର ଫାର୍ମ ମଧ୍ୟ କରି ସାରିଲେଣି । ବାଲେଶ୍ୱର, ମୟୁରଭଂଜ ଜିଲ୍ଲାର କେତେକ ଅଂଚଳରେ ଛୋଟ ମାତ୍ରାରେ କଡକନାଥ ଚିଆଁ ଅନଲାଇନରେ ମଗାଇ ଫାର୍ମ ଆରମ୍ଭ କରିଛନ୍ତି । ଏହି ବିଜନେସ ଏବେ ଦ୍ରୁତ ଗତିରେ ବଢିବା ଆରମ୍ଭ କଲାଣି ଏବଂ ଭବିଷ୍ୟତରେ ଏହା ଆହୁରି ଜୋର ଧରିବାର ଆବାସ ମିଲୁଛି ।

Image result for kadaknath kukut palan

ଯଦି ଆପଣ ନନଭେଜ ଖାଇବାର ଶୌକିନ, ଏବଂ ଆପଣଙ୍କୁ ଡାଇବେଟିସ, ବ୍ଲଡ ପ୍ରେସର ଓ ହାର୍ଟ ଭଳି ସମସ୍ୟା ଯୋଗୁଁ ଡାକ୍ତର ନନଭେଜ ଖାଇବା ପାଇଁ ମନା କରିଛନ୍ତି । ତାହେଲେ ଆଉ ଚିନ୍ତା କରିବା ଦରକାର ନାହିଁ । କଡକନାଥ ମାଂସ ଆପଣଙ୍କୁ କୌଣସି କ୍ଷତି ପହଂଚାଇବା ପରିବର୍ତ୍ତେ ଲାଭ ପହଂଚାଇବ ଏବଂ ଏହା ଏତେ ସ୍ୱାଦିଷ୍ଟ ଯେ ଏହା ଆପଣଙ୍କ ପାଟିର ଲାଳସାକୁ ମଧ୍ୟ ଦୁର କରି ପାରିବ । ଏତେ ଗୁଡାଏ ଔଷଧିୟ ଗୁଣ ଓ ସ୍ୱାଦରେ ଭରପୁର କଡକନାଥ କୁକୁଡାର ପ୍ରଚାର ଓ ପ୍ରସାର ପାଇଁ ସରକାର ଆହୁରୀ ପ୍ରୋତ୍ସାହନ ଯୋଗାଇ ଦେବାର ଆବଶ୍ୟକତା ରହିଛି ।

Leave A Reply

Your email address will not be published.