ବଞ୍ଚିବାକୁ କରୁଛନ୍ତି ସଂଘର୍ଷ, ତିନି ବର୍ଷ ହେଲାଣି ରୋଗ ଶଯ୍ୟାରେ ବିଜୟ

ତିନି ବର୍ଷ ହେଲାଣି ରୋଗ ଶଯ୍ୟାରେ ବିଜୟ । ସବୁ ଟଙ୍କା ସରିଗଲା ଏବେ ଆଉ କିଛି ଟଙ୍କା ପଇସା ନାହିଁ ଚିକିତ୍ସା କରିବା ପାଇଁ କି ମେଡ଼ିସିନ କିଣିଵା ପାଇଁ । ଚିକିତ୍ସା ପାଇଁ ସରକାରକୁ ଗୁହାରି କରିଛନ୍ତି ଉଭୟ ସ୍ବାମୀ ସ୍ତ୍ରୀ ।

୩ ବର୍ଷ ଧରି ଶଯ୍ୟାକୁ ନିଜର କରିଛନ୍ତି । କାରଣ ପକ୍ଷାଘାତରେ ପୀଡ଼ିତ ହେବା ପରେ କେବଳ ଏଇ ବିଛଣା ହିଁ ତାଙ୍କର ସବୁକିଛି । ଇଚ୍ଛା ଥିଲେ ତଳେ ପାଦ ଥୋଇ ଦୁଇ ପାଦ ଚାଲି ପାରୁ ନାହାଁନ୍ତି କି କାହାକୁ ହାତ ଠାରି ଡାକି ପାରୁନାହାଁନ୍ତି । ତାଙ୍କ ଜୀବନରେ ସତେ ଯେପରି କଳା ବାଦଲ ଘୋଟିଯାଇଛି । ଆଉ ତାଙ୍କୁ ସବୁକିଛି ଅନ୍ଧାର ଅନ୍ଧାର ଦିଶୁଛି । ମନରେ ଅନେକ ବେଦନା ରଖି ବିଛଣା ପଡ଼ି ରହିଛନ୍ତି । ଏ ହେଉଛନ୍ତି ମାଛକୁଣ୍ଡ ଗାଁର ବିଜୟ କୁମାର ମାଛ । ବୟସ ୪୧ ହେବ । ହେଲେ ୩ ବର୍ଷ ହୋଇଯିବ ଶଯ୍ୟାରେ ପଡ଼ି ରହିଛନ୍ତି ବିଜୟ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ମାଛକୁଣ୍ଡ ଗ୍ରାମରେ ।

ପେସାରେ ସେ ଜଣେ ଡ୍ରାଇଭର। ସେଥିରୁ ଦୁଇ ପଇସା ରୋଜଗାର କରି ନିଜ ପରିବାରର ପୁଅ ଦୁଇ ଝିଅ ଓ ସ୍ତ୍ରୀ ସହିତ ବେଶ୍ ଖୁସିରେ ଜୀବନ ଯାପନ କରୁଥିଲେ। କିନ୍ତୁ ଏହି ହସଖୁସି ପରିବାରରେ ସତେ ଯେପରି କାହାର ନଜର ଲାଗିଗଲା। ଆଜକୁ ତିନି ବର୍ଷ ପୂର୍ବେ ବିଜୟ ମଧୁମେୟ ରୋଗରେ ଆକ୍ରାନ୍ତ ହେଲେ l ଧୀରେ ଧୀରେ ବିଭିନ୍ନ ରୋଗରେ ସେ ଆକ୍ରାନ୍ତ ହୋଇ ଦେହ ସମ୍ପୂର୍ଣ୍ଣ ଖରାପ ହେବାରେ ଲାଗିଲା। ଶେଷରେ ବିଜୟଙ୍କ ଦୁଇ ଗୋଡ଼ ଓ ଗୋଟିଏ ହାତ ପକ୍ଷାଘାତ ରୋଗ ଦ୍ଵାରା ସମ୍ପୂର୍ଣ୍ଣ ଅଚଳ ହୋଇଗଲା। ସାହାରା ବିନା ସେ ଖଟରୁ ତଳକୁ ଓହ୍ଲାଇ ପାରନ୍ତି ନାହିଁ। ବେଳେ ବେଳେ ଖଟରେ ହିଁ ଝାଡ଼ା ପରିସ୍ରା କରି ଦିଅନ୍ତି। ଏଥି ପାଇଁ ଘରର ସମସ୍ତେ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥାଆନ୍ତି। ଗରିବ ପରିବାର ହୋଇଥିବାରୁ ବଡ଼ ଡାକ୍ତରଖାନାକୁ ଯାଇ ଚିକିତ୍ସା କରାଇ ପାରୁନାହାଁନ୍ତି । କୋରାପୁଟ ସରକାରୀ ହସ୍ପିଟାଲକୁ ଥରେ ଯାଇ ଚିକିତ୍ସା ହୋଇ ଫେରିଥିଲେ କିନ୍ତୁ ଏଥିରେ ସୁସ୍ଥ ହୋଇପାରିଲେ ନାହିଁ ଶେଷରେ ଦେଶୀ ଚିକିତ୍ସା ମଧ୍ୟ କରିଥିଲେ କିନ୍ତୁ ଏଥିରେ ମଧ୍ୟ ସୁସ୍ଥ ହୋଇ ପାରିଲେ ନାହିଁ ଘରେ ଯେତିକି ଟଙ୍କା ପଇସା ଥିଲା ସବୁ ସରିଗଲା ଏବେ ଆଉ କିଛି ଟଙ୍କା ପଇସା ନାହିଁ ଚିକିତ୍ସା କରିବା ପାଇଁ କି ମେଡ଼ିସିନ କିଣିଵା ପାଇଁ ।

ପରିବାରରେ ବିଜୟ ଜଣେ ମାତ୍ର ହିଁ ରୋଜଗାରିଆ ଥିଲେ । ଏବେ ସ୍ତ୍ରୀ ବବିତା ଓଡ଼ିଶା ସରକାରଙ୍କ ଦ୍ଵାରା ପରିଚାଳିତ ଓଡ଼ିଶା ଜୀବନ ଜୀବିକା ମିଶନ ସଂସ୍ଥାରେ ମାସିକ ୪ ହଜାର ଟଙ୍କା ବେତନରେ କାର୍ଯ୍ୟ କରୁଛନ୍ତି ଯାହାକି ଚାରି ପ୍ରାଣୀ କୁଟୁମ୍ବକୁ ସମୁଦ୍ରକୁ ସଙ୍ଖେ ସଦୃଶ । ୪ ହଜାର ଟଙ୍କାରେ ବିଜୟଙ୍କ ରୋଗ ପାଇଁ ଖର୍ଚ୍ଚ କରିବେ ନା ପରିବାରର ଗୁଜୁରାଣ ମେଣ୍ଟାଇବେ ଏନେଇ ସାରା ପରିବାର ଚିନ୍ତାରେ । ସାହି ପଡିଶା ଯଦି କିଏ କିଛି ଦେଲେ ପରିବାରରେ ଚୁଲି ଜଳେ ନହେଲେ ଦିନେ ଦିନେ ଭୋକ ଉପାସରେ ରହିବା ପାଇଁ ପଡ଼େ ବୋଲି ସ୍ଵାମୀ ସ୍ତ୍ରୀ କହିଛନ୍ତି । ଗୋଟିଏ ଓଳି ଖାଇଲ ଆଉ ଗୋଟିଏ ଓଳି ଭୋକରେ ଶୋଇବା ପାଇଁ ପଡ଼ୁଛି ବୋଲି ବିଜୟ କହିଛନ୍ତି। ସରକାରୀ ସୁବିଧା କହିଲେ ରେସନ କାର୍ଡ ଖଣ୍ଡେ ପାଇଛନ୍ତି ପରିବାର । ଚିକିତ୍ସା ପାଇଁ ସରକାରକୁ ଗୁହାରି କରିଛନ୍ତି ଉଭୟ ସ୍ବାମୀ ସ୍ତ୍ରୀ । ଯଦି ଚିକିତ୍ସା ପାଇଁ କିଛି ଆର୍ଥିକ ସହାୟତା ଯୋଗାଇ ଦେବେ ସରକାର ମୁଁ ଭଲ ହେବି ବୋଲି କୋହଭରା କଣ୍ଠରେ କହିଛନ୍ତି ବିଜୟ । ଏହାସହ ସ୍ଥାନୀୟ ଲୋକେ ମଧ୍ୟ ଚିକିତ୍ସା ବିଜୟଙ୍କୁ ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.