ଅଜବ ଦେଶ: ଯେଉଁଠି ମହିଳାଙ୍କୁ ଭୋଟ୍ ଦେବାକୁ ମନା, ସେଇଠି ଲୋକଙ୍କ ଘର କାନ୍ଥରେ ଲାଗିଥାଏ ସ୍ତ୍ରୀଙ୍କ ଫଟୋ !
ଦୁନିଆରେ ପାଖାପାଖି ଯେତେ ବି ଦେଶ ଅଛି, ସମସ୍ତଙ୍କର କିଛି ନା କିଛି ରୋଚକ କଥା ନିଶ୍ଚିତ ରହିଛି। ଏମିତି ହିଁ ଏକ ଦେଶ ହେଉଛି ବ୍ରୁନେଇ। ଏହି ଦେଶର ରୋଚକ କଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ବ୍ରୁନେଇ ଏକ ମୁସ୍ଲିମ ବହୁଳ ଦେଶ, ଯେଉଁଠି ଆଜି ମଧ୍ୟ ମହିଳାମାନଙ୍କୁ ଭୋଟ ଦେବା ଅଧିକାର ଦିଆଯାଇନାହିଁ। ଇଣ୍ଡୋନେସିଆ ନିକଟବର୍ତ୍ତୀ ଏହି ଦେଶରେ ଆଜି ମଧ୍ୟ ରାଜତନ୍ତ୍ର ଚାଲିଛି, ଅର୍ଥାତ୍ ଏଠାରେ ରାଜାଙ୍କ ଶାସନ ଚାଲିଛି। ଯଦିଓ ଅନେକ ଦେଶ ଭଳି ବ୍ରୁନେଇ ମଧ୍ୟ ଇଂରେଜମାନଙ୍କ ଅଧୀନରେ ରହିଥିଲା, ଯାହାକୁ ୧ ଜାନୁଆରୀ ୧୯୮୪ରେ ସ୍ୱତନ୍ତ୍ରତା ମିଳିଥିଲା।
ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବ୍ରୁନେଇ ଏମିତି ଏକ ଦେଶ, ଯେଉଁଠି ଘରର କାନ୍ଥଗୁଡ଼ିକରେ ସ୍ତ୍ରୀଙ୍କ ଫଟୋ ଲଗାଇବା ଏକ ପରମ୍ପରା। କାହା କାହା ଘରେ ଏକରୁ ଅଧିକ ସ୍ତ୍ରୀଙ୍କର ବି ଫଟୋ ଦେଖିବାକୁ ମିଳିଥାଏ। ଏହାଛଡ଼ା ଲୋକେ ଏଠାକାର ସୁଲତାନଙ୍କ ଫଟୋ ମଧ୍ୟ କାନ୍ଥରେ ଲଗେଇ ଥାଆନ୍ତି।
ବ୍ରୁନେଇର ସୁଲତାନଙ୍କୁ ଦୁନିଆର ସବୁଠୁ ଧନୀ ରାଜାଙ୍କ ମଧ୍ୟରୁ ଜଣେ ବୋଲି ଗଣାଯାଇଥାଏ। ୨୦୦୮ର ଏକ ରିପୋର୍ଟ ମୁତାବକ, ତାଙ୍କ ସମ୍ପତ୍ତିର ମୂଲ୍ୟ ପାଖାପାଖି ୧୩୬୩ ବିଲିୟନ ଟଙ୍କା। ତାଙ୍କର ଗାଡ଼ି ପ୍ରତି ବହୁତ ଦୁର୍ବଳତା ରହିଛି ଏବଂ ଏହି କାରଣରୁ ତାଙ୍କ ପାଖରେ ପାଖାପାଖି ୭,୦୦୦ କାର୍ ଅଛି। ସୁଲତାନଙ୍କ ବ୍ୟକ୍ତିଗତ କାର୍ ସୁନାରେ ଖଚିତ। ସେ ଯେଉଁ ମହଲରେ ରୁହନ୍ତି, ତାହାକୁ ଦୁନିଆର ସବୁଠାରୁ ବଡ଼ ଆବାସୀୟ ମହଲ ଗଣାଯାଇଥାଏ। ଏଥିରେ ୧୭୦୦ରୁ ବି ଅଧିକ କୋଠରୀ ରହିଛି।
ଦେଶରେ ସାର୍ବଜନୀକ ସ୍ଥାନରେ ମଦ ପିଇବା ଉପରେ ପ୍ରତିବନ୍ଧକ ଲାଗିଛି। ସେହିପରି ଏଠାକାର ଲୋକେ ରାସ୍ତାରେ ଯିବା ଆସିବା କଲା ବେଳେ କିଛି ଖାଇ, ପିଇ ମଧ୍ୟ ପାରିବେ ନାହିଁ। ସବୁଠୁ ଖାସ୍ କଥା ହେଉଛି, ବ୍ରୁନେଇର ଲୋକେ ଫାଷ୍ଟ ଫୁଡ୍ ଖାଇବାକୁ ବେଶି ପସନ୍ଦ କରନ୍ତି ନାହିଁ। କୁହାଯାଏ, ଏହି ଦେଶରେ ଯେତେ ବି ଘର ଅଛି, ତା’ଠାରୁ ଅଧିକ ଲୋକଙ୍କ ପାଖରେ କାର୍ ଅଛି। ଏକ ରିପୋର୍ଟ ମୁତାବକ, ଏଠାରେ ପ୍ରତି ୧୦୦୦ ଲୋକଙ୍କ ପାଖରେ ପାଖାପାଖି ୭୦୦ କାର୍ ରହିଛି। ସୂଚନାଥାଉ କି, ଏଠାରେ କାର୍ ଅଧିକ ଥିବା କାରଣରୁ ତେଲର ଦାମ୍ ବହୁତ ଶସ୍ତା ଅଛି।