କି ସେଲ୍ଫି ନିଶାରେ ବାବା! ବରଫ ନଦୀରେ ବୁଡ଼ି ଯାଉଥିଲା କାର…ନିଜ ଜୀବନ ବଞ୍ଚାଇବା ପରିବର୍ତ୍ତେ ଫଟୋ ଉଠାଇବାରେ ବ୍ୟସ୍ତ ଥିଲେ ମହିଳା

ଆଜିକା ସମୟରେ ସମସ୍ତେ ସେଲ୍ଫି ପାଇଁ ପାଗଳ। ଦୁନିଆରେ ଏମିତି ଅନେକ ମାମଲା ଦେଖା ଯାଇଛି, ଯେଉଁଠି ଲୋକମାନେ ସେଲ୍ଫି ନେବା ନିଶାରେ କିଛି ନା କିଛି କରି ବସିଛନ୍ତି। ଏପରିକି, କିଛି ଲୋକ ସେଲ୍ଫି ଚକ୍କରରେ ନିଜ ଜୀବନକୁ ମଧ୍ୟ ମୃତ୍ୟୁ ମୁଖକୁ ଠେଲି ଦେଇଛନ୍ତି। ଜୀବନକୁ ଖାତିର ନ କରି ଅତ୍ୟନ୍ତ ବିପଦପୂର୍ଣ୍ଣ ଜାଗାରେ ବି ଲୋକେ ସେଲ୍ଫି ନେବାକୁ ପଛାନ୍ତି ନାହିଁ। ଏବେ ଠିକ୍‌ ଏମିତି ହିଁ ଏକ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଭିଡିଓଟି ଖୁବ୍‌ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଆପଣ ଦେଖି ପାରିବେ ଯେ ସଂପୂର୍ଣ୍ଣ ଭାବେ ବରଫରେ ଜମି ଯାଇଥିବା ନଦୀରେ ଏକ କାର୍‌ ବୁଡ଼ି ଯାଉଛି। ହେଲେ ଏଥିରେ ଫସିଥିବା ମହିଳା ଜଣକ ନିଜ ଜୀବନ ବଞ୍ଚାଇବା ପରିବର୍ତ୍ତେ ବିପଜ୍ଜନକ ମୁହୂର୍ତ୍ତରେ ମଧ୍ୟ ସେଲ୍ଫି ନେଉଛନ୍ତି। ସେଲ୍ଫି ନିଶାରେ ସେ କିଛି ବି ଦେଖି ପାରୁ ନାହାନ୍ତି।

ଭାରତରେ ଶୀତ ଦିନେ ଯେଉଁଠି କିଛି ଲୋକ ଗାଧୋଇବା ଏବଂ ଥଣ୍ଡା ପାଣିରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତି, ସେଠି ବିଦେଶରେ ଏତେ ଥଣ୍ଡା ପଡ଼ିଥାଏ ଯେ ନଦୀ, ପୋଖରୀ ସବୁ ବରଫ ପାଲଟି ଯାଏ। ଏଭଳି ପରିସ୍ଥିତିରେ ଲୋକେ ମଜା ଉଠାଇବାକୁ ବାହାରକୁ ବାହାରି ଯାଆନ୍ତି ଏବଂ ବରଫାବୃତ୍ତ ଜାଗାଗୁଡ଼ିକର ଭରପୂର ମଜା ଉଠାନ୍ତି। ଠିକ୍‌ ଏମିତି ହିଁ ହୋଇଛି କାନାଡାରେ। ଏଠାରେ ଫ୍ରିଜ୍ ହୋଇ ଯାଇଥିବା ଏକ ନଦୀରେ ଜଣେ ମହିଳା କାର ନେଇ ବାହାରି ପଡ଼ିଥିଲେ।

କୁହାଯାଉଛି ଯେ ମହିଳା ଜଣକ କାନାଡାର ଉପନଗର ମନୋଟିକରେ ଥିବା ରିଡ୍ୟୁ ନଦୀରେ କାର ଚଲାଉଥିଲେ। ଏହି ସମୟରେ ବରଫାବୃତ୍ତ ନଦୀରେ ଫାଟ ସୃଷ୍ଟି ହେବା କାରଣରୁ କାରଟି ନଦୀ ମଝିରେ ଫସି ଯାଇଥିଲା, ଯାହା ଫଳରେ କାର ଡ୍ରାଇଭରଙ୍କୁ ବଞ୍ଚାଇବା ପାଇଁ ସ୍ଥାନୀୟ ଲୋକ ଏବଂ ପ୍ରଶାସନକୁ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା। ଆଉ ଏପଟେ କାର୍‌ରେ ଥିବା ମହିଳା ଜଣକ ବିପଜ୍ଜନକ ପରିସ୍ଥିତିରେ ଦୁଃସାହସିକ ଭାବେ ସେଲ୍ଫି ନେଉଥିବାର ନଜର ଆସିଥିଲେ। ଆଶ୍ଚର୍ଯ୍ୟ ହେବେ ଯେ ବରଫ ପାଣିରେ ବୁଡ଼ି ଯାଉଥିବା କାର ଉପରେ ଛିଡ଼ା ହୋଇ ମହିଳା ଜଣକ ଅତି ସାହସର ସହିତ ସେଲ୍ଫି ନେଇଥିଲେ।

ସୋସିଆଲ ମିଡିଆରେ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଦେଖାଯାଇ ପାରିବ ଯେ କାର୍‌ ସହିତ ବୁଡ଼ି ଯାଉଥିବା ମହିଳାଙ୍କୁ ବଞ୍ଚାଇବା ପାଇଁ ସ୍ଥାନୀୟ ଲୋକମାନେ ଏକ କାୟାକ ସାହାଯ୍ୟରେ ତାଙ୍କୁ ପାଣିରୁ ବାହାର କରୁଛନ୍ତି। ସେପଟେ ଏହି ଭିଡିଓରେ ଜଣେ ଟ୍ୱିଟର ବ୍ୟବହାରକାରୀ ରିଟ୍ୱିଟ କରିବାକୁ ଯାଇ ମହିଳା ସେଲ୍ଫି ନେଉଥିବାର ଫଟୋ ସେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି କି, ଯେଉଁ ସମୟରେ ଲୋକେ ତାଙ୍କ ଜୀବନ ବଞ୍ଚାଇବା ପାଇଁ ବ୍ୟସ୍ତ ହୋଇ ପଡ଼ୁଥିଲେ, ସେହି ସମୟରେ ସେ ସେଲ୍ଫି ନେବାରେ ବ୍ୟସ୍ତ ଥିଲେ।