କୋଲ୍ଡ ଡ୍ରିଙ୍କ୍ର ଗୋଟିଏ ବୋତଲ ଦାମ୍ ୩୬ ଲକ୍ଷ ଟଙ୍କା! ଜାଣନ୍ତୁ, ଡିସ୍କାଉଣ୍ଟ ଚକ୍କରରେ ଆସି କେମିତି ଫସିଗଲେ ଏହି ବ୍ୟକ୍ତି
ଆମେରିକାରେ ଜଣେ ବ୍ୟକ୍ତିଙ୍କୁ ଦୋକାନରୁ କୋଲ୍ଡ ଡ୍ରିଙ୍କ୍ କିଣିବା ଭାରୀ ପଡ଼ିଯାଇଛି। ଦୋକାନୀ ତାଙ୍କ ବିରୋଧରେ ପୋଲିସରେ କେସ୍ ଦେବା ପରେ ଅଭିଯୁକ୍ତଙ୍କ ଉପରେ ୫୦,୦୦୦ ଡଲାର ଅର୍ଥାତ୍ ୩୬ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି। ଏତିକି ହିଁ ନୁହେଁ, ଏଥିପାଇଁ ତାଙ୍କୁ ୭ ବର୍ଷ ଜେଲ୍ ଦଣ୍ଡ ବି ଭୋଗିବାକୁ ପଡ଼ିପାରେ। ସେପଟେ ଅଭିଯୁକ୍ତ ବ୍ୟକ୍ତି ଏହି ମାମୁଲି ଅପରାଧ ପାଇଁ ଏତେ ବଡ଼ ଦଣ୍ଡ ନ ଦେବାକୁ କୋର୍ଟଙ୍କୁ ନେହୁରା ହୋଇଛନ୍ତି। ସେ କହିଛନ୍ତି କି, ସେ ୩୬ ଲକ୍ଷ ଟଙ୍କା ଦେବା ପାଇଁ ସକ୍ଷମ ନୁହଁନ୍ତି।
ରିପୋର୍ଟ ମୁତାବକ, ଆମେରିକାର ପେନ୍ସିଲଭେନିୟାରେ ରହୁଥିବା ୩୮ ବର୍ଷୀୟ ଜୋସେଫ୍ ସୋବୋଲଭେକ୍ସିଙ୍କୁ କୋଲ୍ଡ ଡ୍ରିଙ୍କ୍ର ପୂରା ପଇସା ନ ଦେବା ଅଭିଯୋଗରେ ପୋଲିସ ଗିରଫ କରି ନେଇଛି। ସୂଚନାଥାଉ କି, ଜୋସେଫ୍ ଗତ ୨୩ ଅଗଷ୍ଟରେ ଏକ ଷ୍ଟୋର୍କୁ ଯାଇଥିଲେ, ଯେଉଁଠି କୋଲ୍ଡ ଡ୍ରିଙ୍କ୍ ବୋତଲ ଉପରେ ଡିସ୍କାଉଣ୍ଟ ମିଳୁଥିଲା। ଏହି ଡିସ୍କାଉଣ୍ଟ ଚକ୍କରରେ ଆସି ସେ ପୂରା ପଇସା ନ ଦେଇ ସେଠାରୁ କୋଲ୍ଡ ଡ୍ରିଙ୍କ୍ ନେଇ ଚାଲି ଯାଇଥିଲେ।
ଷ୍ଟୋର୍ରେ ଏକ ବୋର୍ଡ ଲାଗିଥିଲା, ଯେଉଁଥିରେ ଲେଖା ହୋଇଥିଲା କି, ‘୩ ଡଲାରରେ ୨ ବୋତଲ’। ଜୋସେଫ୍ କାଉଣ୍ଟରରେ ୨ ଡଲାର ଦେଇ ଗୋଟିଏ ବୋତଲ ନେଇ ଚାଲି ଯାଇଥିଲେ। ତେବେ ଏହି ଅଫର ସେତେବେଳେ ଲାଗୁ ହୋଇଥାଆନ୍ତା, ଯେତେବେଳେ ସେ ଦୁଇଟି ବୋତଲ କିଣିଥାଆନ୍ତେ। ଅର୍ଥାତ୍ ଗୋଟିଏ ବୋତଲ ୨.୨୯ ଡଲାରର ଥିଲା, ନୁହେଁ କି, ୧.୫୦ ଡଲାର। ଯେମିତି ହିଁ କ୍ୟାଶିୟରଙ୍କୁ ଜଣାପଡ଼ିଥିଲା ଯେ ଜୋସେଫ୍ ୪୩ ସେଣ୍ଟ୍ କମ୍ ଦେଇ ଯାଇଛନ୍ତି, ତ ସେ ତାଙ୍କ ପଛରେ ଦୌଡ଼ିଥିଲେ। କିନ୍ତୁ ସେତେବେଳକୁ ଜୋସେଫ୍ ନିଜ କାର୍ରେ ବସି ପଳାଇ ସାରିଥିଲେ।
ଏହାପରେ କ୍ୟାଶିୟର ପୋଲିସକୁ ଫୋନ୍ କରିଥିଲେ। ଏହାର କିଛି ସମୟ ପରେ ଜୋସେଫ୍ଙ୍କୁ ଧରାଯାଇଥିଲା। ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି କି, ତାଙ୍କୁ ୫୦,୦୦୦ ଡଲାରର ଜରିମାନା ଦେବାକୁ ହେବ। ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ୭ ବର୍ଷର ଜେଲ୍ ଦଣ୍ଡ ବି ଭୋଗିବାକୁ ପଡ଼ିପାରେ। ସେପଟେ ରିପୋର୍ଟ ମୁତାବକ, ଚୋରି ଅଭିଯୋଗରେ ଜୋସେଫ୍ ତୃତୀୟ ଥର ପାଇଁ ଧରା ହୋଇଛନ୍ତି।