Below header

ସମବାୟ ସମିତିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତିରେ ଘୋଟାଲା, ଉପଯୁକ୍ତ ପ୍ରାର୍ଥୀଙ୍କୁ ଏ ଯାଏଁ ମିଳିନି ନିଯୁକ୍ତି ପତ୍ର

ଯାଜପୁର ଟାଉନ: ସମବାୟ ସମିତିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତିରେ କେଳେଙ୍କାରୀ ଅଭିଯୋଗ । ଜାଲିଆତି ହୋଇଥିବା ପ୍ରମାଣିତ ହେବା ପରେ ବି ଉପଯୁକ୍ତ ପ୍ରାର୍ଥୀଙ୍କୁ ଏ ଯାଏଁ ମିଳିନି ନିଯୁକ୍ତି ପତ୍ର । ସେପଟେ ଅଭିଯୋଗକୁ ସ୍ୱିକାର କରି ସଂପୂର୍ଣ୍ଣ ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି  ଏଆରସିଏସ ।

ଯାଜପୁର ଜିଲା ତଳିହା ପ୍ରାଥମିକ କୃଷି ସମବାୟ ସମିତିରେ ଏମିତି ଜାଲିଆତି ହୋଇଥିବା ଅଭିଯୋଗ ଆସିଛି । ଏଠାରେ ଧରାପଡିଛି ସମବାୟ ସମିତିରେ ନିଯୁକ୍ତି କେଳେଙ୍କାରି । ତଳିହା ସମବାୟ ସମିତିରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀ ନିଯୁକ୍ତିରେ ହୋଇଥିଲା ବ୍ୟାପକ ହେରଫେର । ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ନ ଦେଇ କମ ମାର୍କ ରଖିଥିବା ପ୍ରାର୍ଥୀଙ୍କୁ ଦିଆଯାଇଥିଲା ନିଯୁକ୍ତି । ସମବାୟ ବିଭାଗ ପକ୍ଷରୁ ହୋଇଥିବା ତଦନ୍ତରୁ ଏ କଥା ସ୍ପଷ୍ଟ ହୋଇଛି ।

officeକିନ୍ତୁ ତଦନ୍ତ ରିପୋର୍ଟ ଆସିବା ପରେ ବି ପ୍ରକୃତ ପ୍ରାର୍ଥୀଙ୍କୁ ଏ ଯାଏଁ ମିଳିନି ନିଯୁକ୍ତି ପତ୍ର । ଆମେ କହୁଛୁ ଯାଜପୁର ବଡ ଆଦମପୁର ଗାଁର ଶାରଦା ପ୍ରସନ୍ନ ତ୍ରିପାଠୀଙ୍କ କଥା । ଗତ ବର୍ଷ ଅକ୍ଟୋବର ମାସରେ ତଳିହା ପ୍ରାଥମିକ କୃଷି ସମବାୟ ସମିତିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀ ପାଇଁ ବାହାରିଥିଲା ବିଜ୍ଞାପନ । ଏଥିପାଇଁ ଆବଶ୍ୟକ ପ୍ରମାଣପତ୍ର ସହିତ ଆବେଦନ କରିଥିଲେ ଶାରଦା । ସମସ୍ତ ଆବେଦନକାରୀଙ୍କ ଠାରୁ ଶାରଦାଙ୍କର ଅଧିକ ମାର୍କ ରହିବା କଥା କିନ୍ତୁ ଏଥିରେ ହେରଫେର କରାଯାଇ ଅନ୍ୟ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା । ଶାରଦା ଦେଇଥିବା ବିଭିନ୍ନ ସାର୍ଟିଫିକେଟକୁ ଗାଏବ କରାଯାଇ ତାଙ୍କ ମାର୍କକୁ କମାଯାଇଥିବା ଅଭିଯୋଗ ଆଣିଥିଲେ । ଏହାପରେ ବିଭାଗୀୟ ତଦନ୍ତ ପରେ ନିଯୁକ୍ତିରେ ଜାଲିଆତି ହୋଇଥିବା ଜଣାପଡିଛି ।

ସମବାୟ ସମିତିରେ ହୋଇଥିବା ଏହି କେଳେଙ୍କାରି ସଂପର୍କରେ ଶାରଦା ଏଆରସିଏସ ଙ୍କ ଠାରୁ ଆରମ୍ଭ କରି ଯାଜପୁର ଜିଲାପାଳ ଏପରିକି ସମବାୟ ମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । ବିଭାଗ ପକ୍ଷରୁ ହୋଇଥିବା ତଦନ୍ତରେ ନିଯୁକ୍ତି ପ୍ରକିୟାରେ ହେରଫେର ହୋଇଥିବା ଜଣାପଡିଛି । କିନ୍ତୁ ତଥାପି ଏ ଯାଏଁ ଶାରଦାଙ୍କୁ ନିଯୁକ୍ତି ପତ୍ର ମିଳିନାହିଁ । ଯାହାକୁ ନେଇ ହତାଶ ହୋଇପଡିଛନ୍ତି ଶାରଦା ।  ଅନ୍ୟପଟେ ଏହି ନିଯୁକ୍ତି କେଳେଙ୍କାରି ସଂପର୍କରେ ଆମେ ଯାଜପୁର ଏଆରସିଏସ ଙ୍କୁ ପଚାରିବାରୁ ଅଭିଯୋଗକୁ ସ୍ୱିକାର କରିବା ସହିତ ସଂପୂର୍ଣ୍ଣ ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

nijukti ghitalaତେବେ ଏବେ ପ୍ରଶ୍ନ ଉଠୁଛି କିଏ କରିଥିଲା ଏପରି ସାଂଘାତିକ ଷଡଯନ୍ତ୍ର, ଏହା ପଛରେ ଜଣେ ନା ଏକାଧିକ ବ୍ୟକ୍ତି ସାମିଲ ଅଛନ୍ତି? ସବୁ ଅଭିଯୋଗର ଲେଖାଯୋଖା ପ୍ରମାଣ ସମବାୟ ବିଭାଗ ପାଖରେ ଥିବା ବେଳେ କାହିଁକି ନିଆଯାଉନି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଉ କାହିଁକି ଶାରଦାଙ୍କୁ ଦିଆଯାଉନି ନିଯୁକ୍ତି ପତ୍ର ତାହା ଏବେ ବି ରହସ୍ୟ ହୋଇ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.