ଦୁନିଆର ସେହି ନିଆରା ଦେଶ, ଯାହା ‘ମିନି ହିନ୍ଦୁସ୍ତାନ’ ନାଁରେ ଜଣାଶୁଣା, ହିନ୍ଦୀ ଭାଷାରେ ଲୋକେ ହୋଇଥାଆନ୍ତି କଥାବାର୍ତ୍ତା

ବିଶ୍ୱରେ ଏମିତି ଅନେକ ଦେଶ ଅଛିି, ଯେଉଁଠି ଭାରତୀୟମାନଙ୍କ ସଂଖ୍ୟା ବହୁତ ଅଧିକ ରହିଛି। ଦକ୍ଷିଣ ପ୍ରଶାନ୍ତ ମହାସାଗରର ମେଲାନେଶିଆରେ ମଧ୍ୟ ଏମିତି ହିଁ ଏକ ଦ୍ୱୀପୀୟ ଦେଶ ଅଛି, ଯେଉଁଠି ପାଖାପାଖି ୩୭ ପ୍ରତିଶତ ହେଉଛନ୍ତି ଭାରତୀୟ। ଏମାନେ ଶହ ଶହ ବର୍ଷ ଧରି ଏଠାରେ ରହି ଆସୁଛନ୍ତି। ଏହି କାରଣରୁ ଏଠାକାର ରାଜଭାଷାରେ ମଧ୍ୟ ହିନ୍ଦୀ ସାମିଲ ରହିଛି।

ଏହି ଦେଶର ନାଁ ‘ଫିଜି’। ଏଠାରେ ପ୍ରଚୁର ମାତ୍ରାରେ ଜଙ୍ଗଲ, ଖଣିଜ ଏବଂ ଜଳ ସ୍ରୋତ ରହିଛି। ଏଥିପାଇଁ ଫିଜିକୁ ପ୍ରଶାନ୍ତ ମହାସାଗର ଦ୍ୱୀପଗୁଡ଼ିକ ମଧ୍ୟରେ ସବୁଠୁ ଉନ୍ନତ ରାଷ୍ଟ୍ର ଗଣାଯାଇଥାଏ। ଏଠାରେ ବିଦେଶୀ ମୁଦ୍ରାର ସବୁଠୁ ବଡ଼ ସ୍ରୋତ ପର୍ଯ୍ୟଟନ ଏବଂ ଚିନି ରପ୍ତାନୀ ହୋଇଥାଏ। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ଅନେକ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିଥାଆନ୍ତି।

୧୮୭୪ ମସିହାରେ ବ୍ରିଟେନ ଏହି ଦ୍ୱୀପକୁ ନିଜ ନିୟନ୍ତ୍ରଣକୁ ନେଇ ନିଜର ଏକ ଉପନିବେଶ କରିଥିଲା। ଏହାପରେ ବ୍ରିଟେନ ହଜାର ହଜାର ଭାରତୀୟ ଶ୍ରମିକଙ୍କୁ ଏଠାକୁ ୫ ବର୍ଷିଆ ଚୁକ୍ତି ଆଧାରରେ ଆଣି ଆଖୁ ଖେତରେ କାମ କରେଇଥିଲା। ତେବେ ଭାରତୀୟଙ୍କ ସାମ୍ନାରେ ଏକ ସର୍ତ୍ତ ରଖାଯାଇଥିଲା କି, ୫ ବର୍ଷ ପୂରା ହେବା ପରେ ଯଦି ସେମାନେ ଚାହିଁବେ, ତ ନିଜ ଖର୍ଚ୍ଚରେ ଯାଇପାରିବେ। ଆଉ ଯଦି ସେମାନେ ଆହୁରି ୫ ବର୍ଷ କାମ କରିବାକୁ ଚାହିଁବେ, ତା’ହେଲେ ସେମାନଙ୍କୁ ବ୍ରିଟିଶ ଜାହାଜ ଭାରତ ପହଞ୍ଚାଇବ। ଏମିତିରେ ଅଧିକରୁ ଅଧିକ ଭାରତୀୟ କାମ କରିବାକୁ ହିଁ ଉଚିତ ମଣିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ଭାରତ ଫେରିପାରି ନ ଥିଲେ ଏବଂ ଫିଜିରେ ବସବାସ କରିବାକୁ ଲାଗିଲେ। ପରେ ୧୯୨୦ ଏବଂ ୧୯୩୦ ଦଶକରେ ମଧ୍ୟ ହଜାର ହଜାର ଭାରତୀୟ ସ୍ୱଇଚ୍ଛାରେ ଆସି ଏଠାରେ ରହିବାକୁ ଲାଗିଲେ।

ଫିଜି ଦ୍ୱୀପ ସମୂହରେ ମୋଟ ୩୨୨ଟି ଦ୍ୱୀପ ରହିଛି, ଯେଉଁଥିରୁ ୧୦୬ ଦ୍ୱୀପରେ ହିଁ ଲୋକେ ସ୍ଥାୟୀ ଭାବେ ବାସ କରୁଛନ୍ତି। ଦୁଇଟି ପ୍ରମୁଖ ଦ୍ୱୀପ ‘ଭିତି ଲେଭୁ’ ଏବଂ ‘ଭନୁଆ ଲେଭୁ’ରେ ଜନସଂଖ୍ୟା ୮୭ ପ୍ରତିଶତ ରହିଛି। ଫିଜିର ଅଧିକାଂଶ ଦ୍ୱୀପର ନିର୍ମାଣ ୧୫ କୋଟି ବର୍ଷ ପୂର୍ବେ ଆଗ୍ନେୟଗିରି ବିସ୍ଫୋରଣ କାରଣରୁ ହୋଇଛି। ଏଠାରେ ଏବେ ବି କେତେକ ଦ୍ୱୀପ ଅଛି, ଯେଉଁଠି ପ୍ରାୟତଃ ଆଗ୍ନେୟଗିରି ବିସ୍ଫୋରଣ ଲାଗି ରହୁଛି।

ଅନେକ ସଂଖ୍ୟାରେ ଭାରତୀୟ ରହୁଥିବାରୁ ଏହି ଦେଶକୁ ‘ମିନି ହିନ୍ଦୁସ୍ତାନ’ କୁହାଯାଇଥାଏ। ଏଠାରେ ବହୁତ ହିନ୍ଦୁ ମନ୍ଦିର ରହିଛି। ଏଠାକାର ସବୁଠାରୁ ବଡ଼ ମନ୍ଦିର ନାଦି ସହରରେ ଅଛି, ଯାହାକି ‘ଶ୍ରୀ ଶିବ ସୁବ୍ରମନ୍ୟା ହିନ୍ଦୁ ମନ୍ଦିର’ ନାଁରେ ଜଣାଶୁଣା। ଫିଜିରେ ରହୁଥିବା ହିନ୍ଦୁ ରାମନବମୀ, ହୋଲି ଏବଂ ଦୀପାବଳି ଭଳି ଉତ୍ସବ ମନାଇ ଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.