ହେ ଭକ୍ତଗଣ ! ଚୋର, ଲୁଟେରାଙ୍କ ଦାଉରୁ ମନ୍ଦିର ବଞ୍ଚାଅ

ଯେଉଁ ଭକ୍ତ ଠାକୁରଙ୍କ ଆଶୀର୍ବାଦ ପାଇବାକୁ ଏତେ କଷ୍ଟ କରୁଛି । ଦାନଧର୍ମ କରି ମନ୍ଦିର ଗଢୁଛି ସିଏ କାହିଁକି ଖାଲି ‘ଘୋର କଳିକାଳ…’ କହି ଚୁପ୍‌ ବସୁଛି ?

ଆଜ୍ଞା, ଆପଣମାନେ ଏବେ ପ୍ରତିଦିନ ଟିଭିରେ ଦେଖୁଥିବେ ଆଉ ଖବରକଗଜରେ ପଢୁଥିବେ ମନ୍ଦିରରୁ ଚୋରି । ଆଲୋଚନା କରୁଥିବେ, ଇଏ ଘୋର କଳିଯୁଗ । ଠାକୁରଙ୍କୁ ବି ଛାଡ଼ିଲେନି । … ହେଲେ ଠାକୁରଙ୍କୁ ଛାଡ଼ିଲେନି କିଏ? ଏଇ ମଣିଷ ତ ? ଏବେ ଗୋଟିଏ ଭିଡିଓ ଆସିଥିଲା କି ଚୋରଟି ମନ୍ଦିରରେ ପଶି ପ୍ରଥମେ ପ୍ରାର୍ଥନା କଲା । ତା ପରେ ଚୋରି କଲା । ତେଣୁ ଠାକୁରେ ଯେତେବେଳେ ସମସ୍ତଙ୍କୁ ଏ ପୃଥିବୀକୁ ଆଣିଛନ୍ତି ସମସ୍ତଙ୍କ ପେଟପାଟଣା ବ୍ୟବସ୍ଥା ବି କରିବା ତାଙ୍କ ଦାୟିତ୍ୱ । ସେଥିଲାଗି ଚୋରକୁ ବି ତଥାସ୍ତୁ କହିବେ ।

କୁହାଯାଏ ଅତୀତରେ ଚମ୍ବଲର ଡକାୟତ ହୁଅନ୍ତୁ କି ଅନ୍ୟ ବଡ଼ ଡକାୟତ ଦଳ ସମସ୍ତେ ଦେବୀଙ୍କୁ ପୂଜାର୍ଚ୍ଚନା କରି ଲୁଟ୍‌ ପାଇଁ ବାହାରୁଥିଲେ । ସଫଳ ହେବା ପରେ ଆସି ଦେବୀଙ୍କୁ କୃତଜ୍ଞତା ମଧ୍ୟ ଜ୍ଞାପନ କରୁଥିଲେ । ଏବେକା କଥା ଟିକେ ଅଲଗା । ଲୁଟିବା ପରେ ସେଥିରେ ଅୟସ କରିବାରୁ ଫୁରୁସତ ମିଳୁନି । ତେଣୁ ଭଗବାନଙ୍କ କଥା ଭୁଲି ଯାଉଛନ୍ତି ଲୁଟେରା ।

ଆଗରୁ ପ୍ରତି ଗାଁରେ ଥିଲା ମନ୍ଦିର । ସମସ୍ତେ ମିଳି ମିଶି ପୂଜାର୍ଚ୍ଚନାରେ ଭାଗ ନେଉଥିଲେ । କୌଣସି ଉତ୍ସବ ହେଲେ ଭକ୍ତିଭାବନାର ସହ ସାମିଲ ହେଉଥିଲେ । ଏବେ ମଣିଷଙ୍କ ସଂଖ୍ୟା ବଢ଼ିବା ସହିତ ସହରର ଗଳିକନ୍ଦିରେ ମଧ୍ୟ ମନ୍ଦିର ଗଢ଼ି ଉଠିଛି । ବିଭିନନ ପର୍ବପର୍ବାଣୀରେ ଏସବୁ ମନ୍ଦିରରେ କିଭଳି ଭିଡ଼ ଜମେ ଏବଂ ମୁଣ୍ଡିଅ ମାରିବା ଆଉ ଭୋଗ କରିବା ପାଇଁ କିଭଳି ଟଣାଓଟରା ଓ ଧକ୍କା ଖାଇବାକୁ ପଡ଼େ ସେକଥାବି ବୁଝି ସାରିଥିବେ । ପୁଣି ସେହିଦିନଗୁଡ଼ିକରେ ମନ୍ଦିର ନନାମାନଙ୍କ ଅଣ୍ଟା କେମିତି ଓଜନିଆ ହୋଇଯାଏ ତାକୁ ବି ଅନେକ ଲକ୍ଷ୍ୟ କରିଥିବେ । ତେଣୁ ଭଗବାନ ସମସ୍ତଙ୍କ ପାଇଁ କିଛି କିଛି ରଖିଛନ୍ତି ।

ଆପଣମାନେ ମନ୍ଦିରକୁ ଦେଉଥିବା ଦାନରେ ମନ୍ଦିର ପରିଚାଳନା ହେଉଛି । ନନାମାନେ ଚଳୁଛନ୍ତି ଆଉ ବେଳେ ବେଳେ ସାତ୍ତ୍ୱିକ ଭାରତ ଡାଲମାରେ ପେଟ ଓ ମନ ବି ଆପଣମାନେ ଭରୁଛନ୍ତି ସେହିସବୁ ମନ୍ଦିରରେ । ତେଣୁ ଭଗବାନ ଚୋରର ପେଟ କାହିଁକି ଅପୋଷା ରଖିବେ ? ସେଥିଲାଗି ଟିକେ ସଂଖ୍ୟା ବଢ଼ାଇ ଦେଇଛନ୍ତି । ଏପଟେ ଆମର ଏଇ ପାଷାଣ୍ଡ ଚୋର ବି ଜାଣନ୍ତି ଠାକୁରଙ୍କ ବେକ ଅବା ମଥାରେ ଥିବା ମୂଲ୍ୟବାନ ଜିନିଷ ଆଉ ହୁଣ୍ଡିରେ ଆପଣମାନେ ଦେଇଥିବା ପଇସା ନେଇଯିବାରେ ବିଶେଷ କିଛି କଷ୍ଟ କରିବାକୁ ପଡ଼େ ନାହିଁ । କାରଣ ସବୁ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ନାହିଁ କି ସେଠାରେ ପୂଜା କରୁଥିବା ନନାମାନେ ବି ରୁହନ୍ତି ନାହିଁ । ଆଉ ସବୁଠୁ ବଡ଼ କଥା ହେଲା, ତୁମେ ଯାହା ସବୁ କରି ଗଲେ ବି ଠାକୁରେ ସେଇମିତି ଅନେଇ ଥିବେ ସିନା କିଛି କରିବେ କି କହିବେ ନାହିଁ । ତେଣୁ ଯଦି  ଚୋରଟି ଆସ୍ତିକ ହୋଇଥିବ ତେବେ ମୋତେ କ୍ଷମା କରିବେ, ମୋର ଭାରି ଦରକାର ଥିଲା କହି ଲୁଟି ନେବାରେ କିଛି ଅସୁବିଧା ନାହିଁ । ଆଉ ଯଦି ଚୋର ନାସ୍ତିକ ହୋଇଥିବ ତେବେ ତ ଆଦୌ କିଛି ସମସ୍ୟା ନାହିଁ । ନିଦ୍ଦ୍ଵର୍ନ୍ଦ୍ୱରେ କାମ ସାରି ବାହାରି ଯିବ ।

ଏଇ ମନ୍ଦିର ଲୁଟେରାମାନଙ୍କର ନିଶ୍ଚତ ଭାବେ କାହା ସହିତ ଲିଙ୍କ ମଧ୍ୟ ଥାଏ । ଯାହାଫଳରେ ଚୋରି ଅଳଙ୍କାର ଆଦି ବିକ୍ରି କରି ପାରିବେ । ସେମାନେ ବି ସେହି ଆସ୍ତିକ କିମ୍ବା ନାସ୍ତିକ ଗୋଷ୍ଠୀରେ ଯାଉଥିବେ । ଏପଟେ ମଝିରେ ରହିଲା ପୋଲିସ୍‌ । କେବେ ଖୋଜିଦିଏ ତ ଆଉ କେବେ ଫେଲ୍‌ ମାରେ । ପୋଲିସ ଭୟ ନାହିଁ କି ଠାକୁରଙ୍କୁ ଡର ନାହିଁ । ସେଥିପାଇଁ ବେଧଡ଼କ ଚାଲିଛି ମନ୍ଦିର ଚୋରି ।

ଆମର କହିବା କଥା, ଯେଉଁ ଭକ୍ତ ଠାକୁରଙ୍କ ଆଶୀର୍ବାଦ ପାଇବାକୁ ଏତେ କଷ୍ଟ କରୁଛି । ଦାନଧର୍ମ କରି ମନ୍ଦିର ଗଢୁଛି ସିଏ କାହିଁକି ଖାଲି ‘ଘୋର କଳିକାଳ…’ କହି ଚୁପ୍‌ ବସୁଛି ? ତେଣୁ ଆମର ଅନୁରୋଧ ଭକ୍ତିଭାବନା, ମନ୍ଦିର ସଂସ୍କୃତି ଏବଂ ଦେବାଦେବୀଙ୍କ ପ୍ରତି ସମ୍ମାନକୁ ବଜାୟ ରଖିବା ପାଇଁ ନିଜେ ଭକ୍ତମାନେ ପଦକ୍ଷେପ ନିଅନ୍ତୁ । ନହେଲେ ଏମିତି ଘଟି ଚାଲିଥିବ କଳାପାହାଡ଼ମାନଙ୍କ ଆକ୍ରମଣ ।

ହିମାଂଶୁ ପତିମିଶ୍ର, ସମ୍ପାଦକ, କେନ୍ୟୁଜ୍‌ ଓଡ଼ିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.