ବିମାନର ଜରୁରୀକାଳୀନ ଦ୍ୱାର ଖୋଲି ଓ୍ଵିଙ୍ଗ୍‌ ଉପରେ ଚଢ଼ିଗଲେ ମହିଳା, କହିଲେ ‘ଭିତରେ ଭାରି ଗରମ ଲାଗୁଛି ବସି ହେବନି’

ୟୁକ୍ରେନ୍‌ର ଜଣେ ମହିଳା ଏମିତି କାଣ୍ଡ କରିବସିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉଡ଼ାଜାହାଜ ଭିତରେ ଗରମ ଲାଗିବାରୁ ମହିଳା ଜଣକ ଆପତକାଳୀନ ଦ୍ୱାର ଖୋଲି ବିମାନ ଓ୍ଵିଙ୍ଗ୍‌ରେ ଯାଇ ବସିଯାଇଥିଲେ। ମହିଳାଙ୍କର ଏହି ବେପରୁଆ କାମ ପାଇଁ ଏୟାରଲାଇନ୍ସ ତାଙ୍କୁ ‘ବ୍ଲାକଲିଷ୍ଟେଡ୍‌’ କରିଛି। ସୋସିଆଲ ମିଡିଆରେ ଏବେ ଏହି ଭିଡିଓଟି ଖୁବ୍‌ ଭାଇରାଲ ହେଉଛି। ଏନେଇ ୟୁକ୍ରେନ୍‌ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ତରଫରୁ ମଧ୍ୟ ସୂଚନା ଦିଆଯାଇଛି ଯେ ମହିଳା ଆପାତକାଳୀନ ଗେଟ୍‌ ଖୋଲି ଯାଇ ଓ୍ଵିଙ୍ଗ୍‌ ଉପରେ ବସିଥିଲେ।

ଦେଖନ୍ତୁ ଭିଡିଓ:

ରିପୋର୍ଟ ମୁତାବକ ୟୁକ୍ରେନ୍‌ର କିବ୍‌ ସହରରେ ଓହ୍ଲାଇବା ପରେ ତୁର୍କୀରୁ ଆସିଥିବା ଏହି ମହିଳାଙ୍କୁ ବହୁତ ଗରମ ଲାଗୁଥିଲା ବୋଲି ସେ କହିଥିଲେ। ପରେ ସେ 737-86N ଏକ ଆପାତକାଳୀନ ଗୋଟ୍‌ ଖୋଲି ପବନ ଖାଇବାକୁ ବିମାନର ଡେଣାରେ ଚଢ଼ିଯାଇଥିଲେ। ଏନେଇ ଅନ୍ୟ ଜଣେ ଯାତ୍ରୀ କହିଛନ୍ତି ବିମାନ ଓହ୍ଲାଇବା ପରେ ପ୍ରାୟ ସବୁ ଯାତ୍ରୀ ଓହ୍ଲାଇଯାଇଥିଲେ। ମହିଳା ମଧ୍ୟ ତାଙ୍କ ପଛେ ପଛେ ଆସୁଥିଲେ। କିନ୍ତୁ କ’ଣ ଭାବିଲେ କେଜାଣି ହଠାତ୍‌ ଏମରଜେନ୍ସି ଦ୍ୱାର ଖୋଲି ଓ୍ଵିଙ୍ଗ୍‌ ଉପରକୁ ଚଢ଼ିଗଲେ। ସେତେବେଳକୁ ତାଙ୍କର ଦୁଇଟି ଛୁଆ ବିମାନ ବାହାରେ ମୋ ପାଖେ ଥିଲେ। ସେମାନେ ଚିଲ୍ଲାଇ ଚିଲ୍ଲାଇ କହୁଥିଲେ ‘ଇଏ ଆମ ମା’।

ତେବେ ମହିଳାଙ୍କ ଏହି କାରନାମା ସମ୍ପର୍କରେ ବିମାନ କର୍ତ୍ତୃପକ୍ଷଙ୍କୁ ଜଣାପଡ଼ିବା ପରେ ସେମାନେ ଉକ୍ତ ମହିଳାଙ୍କୁ ବ୍ଲାକ ଲିଷ୍ଟେଡ୍‌ କରି ଦେଇଛନ୍ତି। ଏବେ ଉକ୍ତ ମହିଳା ଆଉ କେବେ ବି ବିମାନରେ ଚଳାଚଳ କରିପାରିବେ ନାହିଁ। ତେବେ ଯାଞ୍ଚ ବେଳେ ମହିଳା କୌଣସି ନିଶା ସେବନ କରିନଥିବା ଜଣାପଡ଼ିଛି। ସେ ନିଜ ବୟାନରେ କହିଛନ୍ତି ଯେ ତାଙ୍କୁ ଗରମ ଲାଗିବାରୁ ସେ ଏଭଳି କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.