ସୁନ୍ଦରଗଡ଼ରେ ଗରିବଙ୍କ ଭାଗ୍ୟ ବଦଳାଇଛି ପରିବା ଚାଷ, ସରକାର ଦେଉଛନ୍ତି ସହାୟତା

ପରିବା ଚାଷ ଆପଣଙ୍କ ଭାଗ୍ୟ ବଦଳାଇ ଦେଇପାରେ । ରାଜ୍ୟ ହେଉ କି ରାଜ୍ୟ ବାହାରୁ ହେଉ ଏଭଳି ଉଦାହରଣ ଆମେ ଅନେକ ଦେଖିଛନ୍ତି । ଟାଙ୍ଗର ଭୂଇଁରେ ପରିବା ଫଳାଇ ଅନେକ ଚାଷୀ ଯେ କେବଳ ଆତ୍ମନିର୍ଭରଶୀଳ ହୋଇଛନ୍ତି ତାହା ନୁହେଁ ବରଂ ପରିବାରୁ ରୋଜଗାର ଅନେକଙ୍କର ଦୈନନ୍ଦିନ ଆର୍ଥିକ ଆବଶ୍ୟକତାକୁ ଅନେକମାତ୍ରାରେ ପୁରଣ କରୁଛି ।

ଆମେ ପହଞ୍ଚିଥିଲୁ ସୁନ୍ଦରଗଡ ଜିଲ୍ଲାର ହେମଗିରି ବ୍ଲକରେ । ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସୁନ୍ଦରଗଡ ତରଫରୁ ଜିଲ୍ଲାର ୬ଟି ବ୍ଲକରେ ପ୍ରାୟ ୩ ହଜାର ଏକର ଜାଗାରେ ୱାଡି କାର୍ଯ୍ୟକ୍ରମ ଚାଲିଛି । ଏହାରି ଅଧୀନରେ ୨୦୨୦ ମସିହାରୁ ବିଭିନ୍ନ ପ୍ରକାର ପନିପରିବା ଚାଷ କରାଯାଇଛି । ଟାଙ୍ଗରା ଭୂମିକୁ ଶସ୍ୟଶ୍ୟାମଳା କରି ଏଥିରେ ଏକାଧିକ ଫସଲ ଫଳାଇ ଲୋକଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିବାର ଏହି ଅଭିନବ ପ୍ରୟାସ ଅନେକାଂଶରେ ସଫଳ ହୋଇଛି ।
ଖଣି ଅଞ୍ଚଳ ଭାବେ ପରିଚିତ କୁତ୍ରା, କୋଇଡ଼ା, ଲହୁଣୀପଡା, ରାଜଗାଂଗପୁର, ହେମଗିରି, କୁଆଁରମୁଣ୍ଡା ଆଦି ବ୍ଲକରେ ପ୍ରାୟ ୫୦୦ ଏକର ଲେଖାଏଁ ଜମିରେ ଆମ୍ବ, ଲେମ୍ବୁ, ଲିଚୁ, କାଜୁବାଦାମ ଆଦି ଗଛ ଲଗାଯାଇଛି । ଏଠାରେ ଚାଷୀମାନଙ୍କୁ ବିହନ, ସାର, ସୌରଚାଳିତ ଜଳ ସେଚନ ବ୍ୟବସ୍ଥା ସହ ଶୀତଳ ଭଣ୍ଡାର ଏବଂ ବଜାର ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି । କ୍ଷେତରୁ ବାହାରୁ ଥିବା ପୋଟଳ, ବରଗୁଡି, ଲଙ୍କା ଏବଂ ବିଭିନ୍ନ ଶାଗ ଆଦିକୁ ବଜାରରେ ବିକ୍ରି କରି ଚାଷୀ ବେଶ୍ ଦୁଇ ପଇସା କମାଉଛନ୍ତି । ଏସବୁ ‘ମୋ ବାଡି ପରିବା’ ନାମରେ ବିକ୍ରୀ ହେଉଛି ।

ହେମଗିରି ବ୍ଲକର ସୁରୁଲତା ଭଳି ଗାଁମାନଙ୍କରେ ପ୍ରାୟ ୨୦୦ ଏକର ଜାଗାରେ ଚଳିତ ବର୍ଷ ପୋଟଳ ଆଦି ଚାଷ ବେଶ୍ ଭଲ ହୋଇଛି । ଏଥିରେ ପ୍ରାୟ ୨୬୯ ଜଣ ଚାଷୀ ଚାଷୀ କାମ କରି ଲାଭବାନ ହୋଇଛନ୍ତି । ଏହି ଚାଷୀମାନେ ପ୍ରତି ରବିବାର ଦିନ ପୋଟଳ ତୋଳି ତାକୁ ନିକଟସ୍ଥ ହାଟରେ ବିକିବା ସହ ଏହାକୁ ଅନ୍ୟ ବଡ ବେପାରୀଙ୍କୁ ମଧ୍ୟ ବିକ୍ରି କରି ଥାଆନ୍ତି । ପୋଟଳର ଦମ ବର୍ଷର ବିଭିନ୍ନ ସମୟରେ କିଲୋପିଛା ୨୦ ଟଙ୍କାରୁ ୪୦ ଟଙ୍କାଯାଏ ବିକ୍ରିହୋଇଥାଏ । ପ୍ରତି ଚାଷୀ ବର୍ଷ ସାରା ପରିଶ୍ରମ କରି ପୋଟଳ ଆଦି ପରିବା ଚାଷରୁ ବର୍ଷକୁ ୮୦ ହଜାରରୁ ଲକ୍ଷେ ଟଙ୍କାଯାଏ ରୋଜଗାର କରିଥାଆନ୍ତି । ଛତିଶଗଡର ବେପାରୀମାନେ ଗାଡି ନେଇ ପ୍ରତି ରବିବାର ଦିନ ଏଠାରୁ ପରିବା ସଂଗ୍ରହ କରୁଥିବା ବେଳେ ଅନେକ ସମୟରେ ମହିଳାମାନେ ଏହି ପରିବାକୁ ନିଜ ପାଖ ଗାଁ ହାଟରେ ବିକ୍ରି କରିଥାଆନ୍ତି ।

pariba chasa-2

ଚାଷୀମାନେ ନିଜର ଏହି ରୋଜଗାରକୁ ନିଜ ପୁଅ ଝିଅ କିମ୍ବା ନାତିନାତୁଣୀଙ୍କ ପାଠପଢ଼ା ଏବଂ ସ୍ୱାସ୍ଥ୍ୟ ଓ ଚିକିତ୍ସା ପାଇଁ ଖର୍ଚ୍ଚ କରିଥାନ୍ତି । ଏହାଛଡ଼ା ନିଜ ଘର ମରାମତି କରିବା ସହ ବିଭିନ୍ନ ପର୍ବପର୍ବାଣୀରେ ମଧ୍ୟ ଏହି ଅର୍ଥ ସେମାନଙ୍କ କାମରେ ଲାଗେ । ପୋଟଳ ବାଦ୍ ଚାଷୀମାନେ ପୋଟଳ ଚାରା ମଧ୍ୟ ବିକ୍ରି କରିଥାଆନ୍ତି । ଏହି ବାବଦରେ ସେମାନେ ବର୍ଷକୁ ୩୦ରୁ ୪୦ ହଜାର ଟଙ୍କା ଅଲଗା ରୋଜଗାର କରି ଥାଆନ୍ତି ।

ଜିଲ୍ଲା ଖଣିଜ ପ୍ରତିଷ୍ଠାନ ତରଫରୁ ଏହି କୃଷିକାମର ନିୟମିତ ତଦାରଖ କରାଯାଇଥାଏ । ଚାଷୀମାନଙ୍କୁ ନର୍ସରୀ ବେଡ ପ୍ରସ୍ତୁତି, ଚାରା ପ୍ରସ୍ତୁତି, କମ୍ କୀଟନାଶକ ପ୍ରୟୋଗ କରି ଫସଲ କରିବା, ଜଳସେଚନ, ଫସଲ ଉତ୍ପାଦନ ଏବଂ ଏହାର ବିକ୍ରିବଟା ଉପରେ ନିୟମିତ ତାଲିମ ଦିଆଯାଇଥାଏ ।

ପରିବା ଚାଷରୁ ଆର୍ଥିକ ସମୃଦ୍ଧି ମିଳିବା ଦ୍ୱାରା ଅନେକ ନିମ୍ନ ଏବଂ ମଧ୍ୟବିତ୍ତ ପରିବାରର ନିଜ ନିଜର ଅପହଞ୍ଚ ସ୍ୱପ୍ନ ସବୁ ସାକାର ହେବାରେ ଲାଗିଛନ୍ତି । ଜୀବନ ବଞ୍ଚିବାର ନୂଆ ଦିଶା ଏବଂ ଦଶା ପ୍ରଦାନ କରିଛି ଏହି ପରିବା ଚାଷ।

pariba chasa-3

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.