ଜଙ୍ଗଲ ବଞ୍ଚାଇବା ପାଇଁ ବନ ବିଭାଗର ନିଆରା ପ୍ରୟାସ, ମହିଳାଙ୍କୁ ଶିଖାଯାଉଛି ଜିଆଖତ ତିଆରି ପ୍ରଣାଳୀ

ରୋଜଗାର ପାଇଁ ମହିଳା ମାନଙ୍କୁ ଯିବାକୁ ପଡ଼ିବ ନାହିଁ ଜଙ୍ଗଲ । ଗ୍ରାମବାସୀଙ୍କୁ ସ୍ୱାବଲମ୍ବୀ କରିବାକୁ ଅଣ୍ଟା ଭିଡ଼ିଛି ବନ ବିଭାଗ । ବନ ବିଭାଗ କିଣି ନେଉଛି ଜିଆଖତ ।ଏହି ଉପାୟ ଜରିଆରେ ମହିଳା ରୋଜଗାରକ୍ଷମ ହେବାସହ ଜଙ୍ଗଲର ସୁରକ୍ଷା ହୋଇପାରିବ ।

କେନ୍ୟୁଜ୍‌(ବ୍ୟୁରୋ): ରୋଜଗାର ପାଇଁ ମହିଳା ମାନଙ୍କୁ ଯିବାକୁ ପଡ଼ିବ ନାହିଁ ଜଙ୍ଗଲ । ଜିଆଖତ ମାଧ୍ୟମରେ ଜଙ୍ଗଲ ନିକଟରେ ବସବାସ କରୁଥିବା ଗ୍ରାମବାସୀଙ୍କୁ ସ୍ୱାବଲମ୍ବୀ କରିବାକୁ ଅଣ୍ଟା ଭିଡ଼ିଛି ବନ ବିଭାଗ । କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ଅଧୀନରେ ରହିଛି ଅଟେଇ ସଂରକ୍ଷିତ ଜଙ୍ଗଲ । ଏହି ଜଙ୍ଗଲ ନିକଟବର୍ତ୍ତୀ ଗାଁ ଗୁଡ଼ିକର ଅଧିବାସୀ ଜଙ୍ଗଲ ଜାତ ଦ୍ରବ୍ୟ ଓ କାଠ ଆଦି ସଂଗ୍ରହ କରିଥାନ୍ତି । ଏହାକୁ ବଜାରରେ ବିକ୍ରିକରି ଦି ପଇସା ରୋଜଗାର କରିଥାନ୍ତି । ଏମାନେ ଜଙ୍ଗଲକୁ ଗଲେ ଏମାନଙ୍କ ପ୍ରତି ତଥା ବନ୍ୟ ଜୀବଙ୍କ ପ୍ରତି ବିପଦ ରହିଛି । ଏହାସହ ଜଙ୍ଗଲ ମଧ୍ୟ କ୍ଷୟ ହେଉଛି । ନିକଟରେ ଏହି ଜଙ୍ଗଲରେ ବାଘ ରହିଥିବା ଟ୍ରାପ କ୍ୟାମେରାରୁ ଜଣା ପଡ଼ିଥିଲା । ତେଣୁ ଏମାନଙ୍କ ରୋଜଗାର ପାଇଁ ବନ ବିଭାଗ ଜିଆଖତ ତିଆରି କରିବାର ସୁବିଧା ଯୋଗାଇ ଦେଉଛି । ଏହାସହ ବନ ବିଭାଗ ଏମାନଙ୍କ ଠାରୁ ସେହି ଖତକୁ କିଣି ନେଉଛି । ଯାହା ଫଳରେ ଏମାନେ ରୋଜଗାରକ୍ଷମ ହୋଇ ପାରୁଛନ୍ତି ।

ଜଙ୍ଗଲୀ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଗାଁ ଗାଁରେ ସଚେତନ କରୁଛି ବନବିଭାଗ । ଲୋକମାନେ ଜଙ୍ଗଲକୁ ନଯାଇ ଘରେରହି ରୋଜଗାର କରିବାର ବିକଳ୍ପ ପନ୍ଥା ଧରାଇବାକୁ ଚେଷ୍ଟା ଆରମ୍ଭ କରିଛି ବିଭାଗ । ଜଙ୍ଗଲ ନିକଟବର୍ତ୍ତୀ ୧୪ଟି ଗାଁରେ ୧୦୬ ସ୍ୱଂୟ ସହାୟକ ଗୋଷ୍ଠୀ ମହିଳାଙ୍କୁ ଜିଆଖତ କିଟ୍‌ ପ୍ରଦାନ କରିବା ସହ ଖତ ପ୍ରସ୍ତୁତି ପ୍ରଣାଲିର ତାଲିମ ଦେଇଛି ବିଭାଗ । ତିନି ମାସରେ ଗୋଟିଏ କିଟରୁ ୩ରୁ ୪ କୁଇଣ୍ଟାଲ ଖତ ପ୍ରସ୍ତୁତ ହେବ । ଏହି ଖତକୁ କିଲୋପ୍ରତି ୨୦ ଟଙ୍କା ଦେଇ କିଣିବ ବନବିଭାଗ । ଏହି ଉପାୟ ଜରିଆରେ ମହିଳା ରୋଜଗାରକ୍ଷମ ହେବାସହ ଜଙ୍ଗଲର ସୁରକ୍ଷା ହୋଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.