ବିଜୟା ଏକାଦଶୀ ବ୍ରତ ; ଜାଣନ୍ତୁ ଏହାର ତିଥି, ପୂଜାବିଧି ଓ ମହତ୍ତ୍ୱ

ଫାଲଗୁନ ମାସ କୃଷ୍ଣପକ୍ଷ ଏକାଦଶୀ ତିଥିକୁ ବିଜୟା ଏକାଦଶୀ କୁହାଯାଏ। ଏହି ଏକାଦଶୀ ବ୍ରତ କରିବା ଦ୍ୱାରା ପୂର୍ବ ଜନ୍ମର ପାପରୁ ମୁକ୍ତି ମିଳିଥାଏ। ଚଳିତ ବର୍ଷ ବିଜୟା ଏକାଦଶୀ ଫେବ୍ରୁଆରୀ ୨୬ ଶନିବାର ସକାଳ ୧୦.୩୯ ମିନିଟରୁ ଆରମ୍ଭ ହୋଇ ଫେବ୍ରୁଆରୀ ୨୭ ଅର୍ଥାତ, ରବିବାର ସକାଳ ୮.୧୨ମିନିଟ୍‌ରେ ଶେଷ ହେବାକୁ ଯାଉଛି। ଉଦୟା ତିଥି ଅନୁସାରେ ଏହି ଏକାଦଶୀ ବ୍ରତ ଫେବ୍ରୁଆରୀ ୨୭ରେ ପାଳନ କରାଯିବ।

ହିନ୍ଦୁ ଶାସ୍ତ୍ର ଅନୁସାରେ ଏହି ଏକାଦଶୀ ତିଥିକୁ ସର୍ବ ପୁରାତନ ଏକାଦଶୀ ବୋଲି କୁହାଯାଏ। ପଦ୍ମ ପୁରାଣ ଅନୁସାରେ ସ୍ୱୟଂ ମହାଦେବ ଦେବର୍ଷି ନାରଦଙ୍କୁ ଏହି ଏକାଦଶୀ କରିବାକୁ ଉପଦେଶ ଦେଇଥିଲେ। ଏହି ଏକାଦଶୀ କରିବା ଦ୍ୱାରା ବହୁତ ପୁର୍ଣ୍ୟ ମିଳିଥାଏ। ଏହି ବ୍ରତ କରୁଥିବା ବ୍ୟକ୍ତିଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳେ ଓ ପୂର୍ବ ଜନ୍ମରୁ ଆରମ୍ଭ କରି ଏହି ଜନ୍ମ ପର୍ଯ୍ୟନ୍ତ ସମସ୍ତ ପାପରୁ ମୁକ୍ତି ମିଳିଥାଏ।

ବିଜୟା ଏକାଦଶୀ ବ୍ରତ ଏବଂ ପୂଜା ବିଧି:

ଏହି ଏକାଦଶୀର ଗୋଟେ ଦିନ ପୂର୍ବରୁ ଏକ ବେଦୀ ପ୍ରସ୍ତୁତ କରି ଏଥିରେ ସାତ ଶସ୍ୟ ରଖନ୍ତୁ।  ବେଦୀ ଉପରେ ସୁନା, ଚାନ୍ଦି, ତମ୍ବା ଓ ମାଟିର କଳସ ସ୍ଥାପନ କରନ୍ତୁ। ଏକାଦଶୀ ଦିନ ସକାଳୁ ଗାଧୋଇ ସାରି ବ୍ରତର ସଂକଳ୍ପ ନିଅନ୍ତୁ। କଳସରେ ପଞ୍ଚପଲ୍ଲବ ରଖନ୍ତୁ ଓ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ। ଧୂପ, ଦୀପ, ଚନ୍ଦନ, ଫଳ, ଫୁଲ ଓ ତୁଳସୀ ଆଦିରେ ଭଗବାନ ଶ୍ରୀହରିଙ୍କୁ ପୂଜା କରନ୍ତୁ। ଏହି ଦିନ ଉପବାସ ରହିବା ସହ ଭଗବାନଙ୍କ କଥା ପଢନ୍ତୁ ଓ ଶୁଣନ୍ତୁ ଏବଂ ରାତିରେ ଶ୍ରୀହରିଙ୍କ ନାମରେ ଭଜନ କୀର୍ତ୍ତନ କରନ୍ତୁ। ଦ୍ୱାଦଶୀ ଦିନ ବ୍ରାହ୍ମଣ ଭୋଜନ କରାନ୍ତୁ ଓ କଳସକୁ ଦାନ କରିଦିଅନ୍ତୁ।

ଏହି ବ୍ରତ ତ୍ରେତୟା ଯୁଗ ସହ ଜଡିତ। ଭଗବାନ ଶ୍ରୀ ରାମଚନ୍ଦ୍ର ଲଙ୍କା ଆକ୍ରମଣ କରିବାକୁ ଯାଇ  ସମୁଦ୍ର ତଟରେ ପହଞ୍ଚିଥିଲେ ଓ ସମୁଦ୍ର ଦେବଙ୍କୁ ଲଙ୍କାକୁ ଯିବାର ମାର୍ଗ ଦେଖାଇବା ପାଇଁ ପ୍ରାର୍ଥନା କରିଥିଲେ। କିନ୍ତୁ ସେହି ସମୟରେ ସମୁଦ୍ର ଦେବ ମଦିରା ନିଶାରେ ଥିଲେ ଓ ଶ୍ରୀ ରାମଚନ୍ଦ୍ରଙ୍କୁ ଲଙ୍କାକୁ ଯିବାର ମାର୍ଗ ଦେଖାଇଲେ ନାହିଁ। ଏହାପରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ବକଦାଲଭ୍ୟ ମୁନି ଙ୍କ ଆଜ୍ଞାରେ ବିଜୟା ଏକାଦଶୀ କରିଥିଲେ। ଏହି ବ୍ରତର ପ୍ରଭାବରେ ସମୁଦ୍ର ଶ୍ରୀରାମଙ୍କୁ ମାର୍ଗ ଦେଖାଇଲେ। ଶ୍ରୀରାମ ରାବଣକୁ ପରାସ୍ତ କରି ବିଜୟଲାଭ କରିଲେ। ସେଥିପାଇଁ ଏହି ତିଥିକୁ ବିଜୟା ଏକାଦଶୀ କୁହାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.