ଭାରତର ଘୃଣ୍ୟ ପରମ୍ପରା: ଏଠାରେ ଘରର ବଡ଼ ବୟସ୍କଙ୍କୁ ଜୀବନରୁ ମାରି ଦେଇଥାନ୍ତି ପରିବାର ଲୋକେ
ଘରର ବଡ଼ ବୟସ୍କ ଲୋକମାନେ ଆମକୁ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇଥାନ୍ତି। ହାତ ଧରି ବାଟ ଚାଲିବା ଶିଖାଇଥାନ୍ତି। କେଉଁଠି ଝୁଣ୍ଟି ପଡ଼ିଲେ ଆମ ହାତ ଧରି ନେଇଥାନ୍ତି। ଭୁଲ ବାଟରେ ପାଦ ଦେଲେ ଠିକ୍ ମାର୍ଗ ଦେଖାଇଥାନ୍ତି। ଏଣୁ ସମସ୍ତଙ୍କ ଜୀବନରେ ବୟୋଜ୍ୟେଷ୍ଠମାନେ ରହିବା ନିହାତି ଆବଶ୍ୟକ। କାରଣ ବଡ଼ ମାନେ ନ ଥିଲେ ଆମେ ଠିକ୍ ବାଟକୁ ଯାଇପାରିବା ନାହିଁ। ଏଣୁ ଭାରତୀୟ ସମାଜ ସବୁବେଳେ ଘରର ବଡ଼ ଲୋକଙ୍କୁ ସମ୍ମାନ କରିବା ଶିକ୍ଷା ଦେଇଥାଏ। ଆମେ ଭାରତୀୟମାନେ ଜାଣିଛୁ ଯେ ମଣିଷ ବୃଦ୍ଧ ହୋଇଗଲେ ବି ତାଙ୍କ ଅନୁଭବ କେବେ ବି ପୁରୁଣା ହୁଏ ନାହିଁ। କିନ୍ତୁ ଭାରତରେ ଏବେ ବି ଏକ ଏମିତି ସ୍ଥାନ ରହିଛି ଯେଉଁଠାରେ ବଡ଼ ବୟସ୍କ ଲୋକଙ୍କୁ ତାଙ୍କ ପରିବାର ଲୋକମାନେ ହିଁ ମାରି ଦିଅନ୍ତି। ତେବେ ଏହି ଆଶ୍ଚର୍ଯ୍ୟଜନକ ପ୍ରଥା ପଛରେ ବିଭିନ୍ନ କାରଣ ବି ରହିଛି।
ଘରର ବୟସ୍କମାନଙ୍କୁ ହତ୍ୟା କରିବା ପ୍ରଥା ରହିଛି ଭାରତର ତାମିଲନାଡ଼ୁ ରାଜ୍ୟରେ। ରାଜ୍ୟର ଦକ୍ଷିଣ ଅଞ୍ଚଳରେ ଥଲାଇକୁଥଲ ନାମକ ଏକ ପ୍ରଥା ଗତ କିଛି ଦିନ ହେଲାଣି ଜାରି ରହିଛି। ଏହି ପ୍ରଥା ଯେତିକି ଆଶ୍ଚର୍ଯ୍ୟ କରେ ସେତିକି ଭୟଙ୍କର ମଧ୍ୟ। ଏହି ପ୍ରଥା ଅନୁସାରେ, ଲୋକମାନେ ଘର ବଡ଼ ବୟସ୍କ ଲୋକଙ୍କୁ ହତ୍ୟା କରିଥାନ୍ତି।
ଅସାଧ୍ୟ ରୋଗରେ ପୀଡ଼ିତ ବୟସ୍କଙ୍କୁ ହତ୍ୟା କରିଥାନ୍ତି ଲୋକ:
ଯେଉଁ ସବୁ ସ୍ଥାନରେ ଥଲାଇକୁଥଲ ପ୍ରଥା ପାଳନ ହୁଏ ସେଠାରେ ଲୋକ ସବୁ ବୟସ୍କ ବ୍ୟକ୍ତିଙ୍କୁ ଜୀବନରୁ ମାରନ୍ତି ନାହିଁ। କେବଳ ସେମାନଙ୍କୁ ମାରନ୍ତି ଯେଉଁମାନେ କୌଣସି ଦୁରାରୋଗ୍ୟରେ ପୀଡ଼ିତ ଥାଆନ୍ତି। ଅସାଧ୍ୟ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ପାଇଁ ଇଚ୍ଛା ରଖୁଥିବା ବ୍ୟକ୍ତିଙ୍କର ହିଁ କେବଳ ଜୀବନ ନିଆଯାଏ। ବେଳେବେଳେ ଏହି ନିଷ୍ପତ୍ତି ପରିବାର ଲୋକ କିମ୍ବା ପଡ଼ୋଶୀମାନେ ମଧ୍ୟ ନେଇଥାନ୍ତି। ଯଦି କୌଣସି ବ୍ୟକ୍ତି କୋମାକୁ ଚାଲିଯାଆନ୍ତି କିମ୍ବା ମୃତ ପ୍ରାୟ ଅବସ୍ଥାରେ ପଡ଼ିଥାନ୍ତି, ତେବେ କେବଳ ସେମାନଙ୍କୁ ମୁକ୍ତି ଦେବାକୁ ହିଁ ଘର ଲୋକ ଏଭଳି କାମ କରିଥାନ୍ତି।
ଜୀବନରୁ ମାରିବା ପାଇଁ ଆପଣାଇଥାନ୍ତି ଏସବୁ ଉପାୟ:
ନିଜ ପରିଜନଙ୍କୁ ନିଜ ହାତରେ ହତ୍ୟା କରିବା ଆଦୌ ସହଜ କଥା ନୁହେଁ। ଘର ଲୋକଙ୍କୁ କଷ୍ଟରେ ଦେଖିଲେ ଆମ ହୃଦୟ କାନ୍ଦିଥାଏ। ଏଭଳି ସ୍ଥିତିରେ ତାଙ୍କୁ ମାରିବା ପାଇଁ କେତେ ଧୈର୍ଯ୍ୟ ଦରକାର ସହଜରେ ଅନୁମାନ କରିପାରୁଥିବେ। ତେବେ ଥଲାଇକୁଥଲ ପ୍ରଥାରେ ପରିଜନଙ୍କୁ ହତ୍ୟା କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଆପଣାଯାଏ। ଯେମିତି କି ପ୍ରଥମେ ତାଙ୍କୁ ତେଲରେ ଗାଧୋଇ ଦିଆଯାଏ। ତା’ ପରେ ତାଙ୍କୁ ଜବରଦସ୍ତି ପଇଡ଼ ପାଣି ପିଆଯାଏ। ଏହା ପରେ ତାଙ୍କୁ ତୁଳସୀ ରସକୁ କ୍ଷୀରରେ ମିଶାଇ ପିଇବାକୁ ଦିଆଯାଏ। ଏମିତି କରିବା ପଛରେ ବି ଖାସ୍ କାରଣ ରହିଛି। ତେଲ ଲଗାଇ ଗାଧୋଇବା ପରେ ତୁରନ୍ତ ଏସବୁ ଜିନିଷ ଖୁଆଇଲେ ଶରୀରର ତାପମାତ୍ରା କମିଯାଏ। ଫଳରେ ଅଙ୍ଗପ୍ରତ୍ୟଙ୍ଗ କାମ କରିବା ବନ୍ଦ କରିଦିଏ ଓ ବ୍ୟକ୍ତିଙ୍କର ମୃତ୍ୟୁ ଘଟେ।
ସେହିପରି ଆଉ ଏକ ଉପାୟ ହେଉଛି, ବିଛଣାରେ ପଡ଼ି ରହିଥିବା ବ୍ୟକ୍ତିଙ୍କୁ କିଛି ଏମିତି ଟାଣ ଜିନିଷ ଖାଇବାକୁ ଦିଆଯାଏ ଯାହାକୁ ସେ ଶୋଇଥିବା ଅବସ୍ଥାରେ ଢୋକି ପାରିବେ ନାହିଁ। ଏହି ଖାଦ୍ୟ ତାଙ୍କ ତଣ୍ଟିରେ ଲାଗିଯାଏ। ଫଳରେ ଅଣନିଃଶ୍ୱାସୀ ହୋଇ ତାଙ୍କ ମୃତ୍ୟୁ ଘଟିଥାଏ।
ପରିଜନଙ୍କୁ ମାରିବାକୁ ଏହି ଲୋକମାନେ ଆଉ ଏକ ଉପାୟ ଆପଣାଇଥାନ୍ତି। ସେମାନେ ମାଟିକୁ ପାଣିରେ ମିଶାଇ ରୁଗ୍ଣ ବ୍ୟକ୍ତିଙ୍କୁ ପିଆଇ ଦେଇଥାନ୍ତି। ଫଳରେ ଦରମରା ହୋଇଥିବା ବ୍ୟକ୍ତିଙ୍କ ପେଟ ଖରାପ ହୋଇଯାଏ ଓ ମୃତ୍ୟୁ ଘଟେ।
ତେବେ ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଏହି ପ୍ରକ୍ରିୟା ଚାଲିଥିବା ବେଳେ ହିଁ ପରିବାର ଲୋକ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥାନ୍ତି। ସେମାନେ ବ୍ୟକ୍ତିଙ୍କ ମୃତ୍ୟୁକୁ ଅପେକ୍ଷା ବି କରି ନଥାନ୍ତି। ଏଭଳି ସ୍ଥିତିରେ ସାଧାରଣତଃ ପୋଲିସ କେସ୍ ହୋଇନଥାଏ। କାରଣ ସମସ୍ତ ମୃତ୍ୟୁ ପ୍ରାକୃତିକ ମୃତ୍ୟୁ ଭଳି ଜଣାପଡ଼େ। ଫଳସ୍ୱରୂପ ଡାକ୍ତରମାନେ ବି ଦସ୍ତଖତ କରି ଦେଇଥାନ୍ତି। ତେବେ ପୂର୍ବରୁ ଗରିବ ଲୋକ ଯେଉଁମାନଙ୍କ ପାଖରେ ଚିକିତ୍ସା ପାଇଁ ପଇସା ନଥାଏ ସେମାନେ ଏହି ଉପାୟ ଆପଣାଇଥାନ୍ତି।