ପାହାଡ଼ ଉପରେ ଲୋକଙ୍କୁ ଚକିତ କରୁଛି ଫୁଲବାଣୀର ରାଜା କୂଅ

ଫୁଲବାଣୀ (କେନ୍ୟୁଜ୍) : ଘାଟି ରାସ୍ତା, ସମୁଦ୍ର ପତନ ଠାରୁ ୨୩ ଶହ ଫୁଟ୍ ଉପରେ ରହିଛି ଏକ ବିସ୍ମୟ କୂଅ । ଯିଏ ଯାଏ କିଛି ସମୟ ଅଟକି ଯାଏ ଏଠାରେ। କନ୍ଧମାଳ ଜିଲ୍ଲା ଖଜୁରୀ ପଡ଼ା ବ୍ଲକ ରାଣୀ ପଦର ଘାଟିର ଏହି କୂଅ କାହିଁ କେଉଁ ଆବହମାନ କାଳରୁ ଜଙ୍ଗଲ ପାହାଡ ମଧ୍ୟରେ ରହିଛି। ଏକ ତ ପାହାଡ଼ ଉପରେ କୂଅ ତା ସହ କେବେ ସୁଖୁନି ତାର ପାଣି। ଯାହା ଲୋକଙ୍କୁ ଚକିତ କରେ। ଫୁଲବାଣୀରୁ ବୌଦ୍ଧ ଜିଲ୍ଲା ଯିବା ରାସ୍ତାରେ ଫୁଲବାଣୀ ସଦର ମହକୁମା ଠାରୁ ୨୩ କିଲୋମିଟର ଦୂରରେ ରହିଛି ଏହି କୂଅଟି।

ଏହି କୂଅର ନାଁ ରାଜା କୂଅ । କୁହାଯାଏ ବୌଦ୍ଧ ରାଜା ଶିକାର କରିବାକୁ ଆସିବା ସମୟରେ ଏହି ସ୍ଥାନରେ ଅଟକି ଏହାର ପାଣି ବ୍ୟବହାର କରୁଥିଲେ । ତାଙ୍କ ସହ ଆସିଥିବା ସୈନିକ ଏବଂ ରାଜାଙ୍କ ଘୋଡ଼ାମାନଙ୍କୁ ଏହି କୂଅ ପାଣି ଦିଆଯାଏ। ୧୦୦ ବର୍ଷ ତଳେ ରାଜା ଏହି କୂଅକୁ ବ୍ୟବହାର କରୁଥିଲେ, ଏତେ ଉପରକୁ ଘୋଡ଼ା ସାହାଯ୍ୟରେ କେବଳ ରାଜା ଏବଂ ତାଙ୍କ ସୈନ୍ୟମାନେ ହିଁ ଆସିପାରୁଥିଲେ। ତେଣୁ ସେବେଠାରୁ ଏହି କୂଅକୁ ରାଜା କୂଅ କୁହା ଯାଉଛି।

କାଳକ୍ରମେ ପାହାଡ କାଟି ରାସ୍ତା ତିଆରି ହେଲା, ଲୋକଙ୍କ ଯାତାୟାତ ସୁବିଧା କରାଗଲା, ହେଲେ ଏହି କୂଅ ଆଜିବି ଲୋକଙ୍କ ଶୋଷ ମେଣ୍ଟାଉଛି । ଏହାର ପାଣି ଏତେ ପାଖରେ ରହୁଛି ଯେ ଜଙ୍ଗଲୀ ଜନ୍ତୁ ଏବଂ ପଶୁ ପକ୍ଷୀ ବି ଏହି କୂଅରୁ ପାଣି ପିଉଛନ୍ତି।

ଅନେକ ଟ୍ରକ ଡ୍ରାଇଭର ଏଠି ଅଟକି ଯାଇ ଗାଡ଼ି ଇଞ୍ଜିନରେ କୂଅ ପାଣି ପକାଉଛନ୍ତି। ହେଲେ କୂଅଟି ବିଶେଷ ପରିଷ୍କାର ନାହିଁ। ପାହାଡ ଉପରେ ପାଣି ମିଳିବା କମ୍ କଥା ନୁହେଁ, ତଥାପି ଯେଉଁ ଭଳି ନିର୍ମଳ ରହିବା କଥା ଏଠାରେ ପାଣି ସେତିକି ସ୍ୱଚ୍ଛ ନାହିଁ। ଗଛ ପତ୍ର, ଡାଳ ପଡି ରହିଛି । ତା ସହ ରାସ୍ତା କଡ଼ରେ କୂଅଟି ଥିଲେ ସୁଦ୍ଧା ପର‌୍ୟ୍ୟଟକ ଜାଣି ପାରୁ ନାହାଁନ୍ତି । କାରଣ ଏଠାରେ କୌଣସି ଫଳକ ଲାଗି ନାହିଁ।

ଏକ ଐତିହାସିକ କୂଅ । ତା ସହିତ ଏବେବି ତୃଷାର୍ତ୍ତଙ୍କ ଶୋଷ ମେଣ୍ଟାଉଛି। ତେଣୁ ସ୍ଥାନୀୟ ପ୍ରଶାସନ ଏହାର ଦାୟିତ୍ୱ ନେଇ କୂଅ ପାଣିକୁ ସ୍ୱଚ୍ଛ ରଖିବା ସହ ଏହାର ରକ୍ଷଣା ବେକ୍ଷଣ କଲେ ଅନେକ ଲୋକ ଉପକୃତ ହୁଅନ୍ତେ। ଏଠାରେ ଏକ ଫଳକ ଲଗାଇଲେ ଏହି ରାଜା ରାଜୁଡ଼ା ଅମଳର କୂଅ ସମ୍ପର୍କରେ ଲୋକେ ଜାଣି ପାରନ୍ତେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.