ପ୍ରତ୍ୟେକ ଜୀବ ବ୍ରହ୍ମକୁ ବୁଝିବା ଦରକାର, ସୃଷ୍ଟିର ରହସ୍ୟମୟ ଆତ୍ମାକୁ ଜାଣିବା ଦରକାର…

ପରିବର୍ତ୍ତନ ଏକ ପ୍ରକ୍ରିୟା । ଜଗତର ନାଥ ଜଗନ୍ନାଥ, ଭଉଣୀ ସୁଭଦ୍ରା ଓ ଭାଇ ବଳଭଦ୍ର ମଧ୍ୟ ପରିବର୍ତ୍ତନ ପ୍ରକ୍ରିୟାରେ ବନ୍ଧା । ୪୦୦ ବର୍ଷ ଧରି ପ୍ରଭୁ ଜଗନ୍ନାଥଙ୍କ ବ୍ରହ୍ମ ପରିବର୍ତନ ପ୍ରକ୍ରିୟା ଜାରି ରହିଛି। ପରମ୍ପରା ଅନୁଯାୟୀ ଯେଉଁ ବର୍ଷ ଯୋଡ଼ା ଆଷାଢ଼ ମାସ ପଡ଼େ ସେହି ବର୍ଷ ବିଧି ଅନୁଯାୟୀ କରାଯାଏ ବ୍ରହ୍ମ ପରିବର୍ତ୍ତନ । ଯୋଡା ଆଷାଢ଼ ୧୨ରୁ ୧୪ ବର୍ଷ ଭିତରେ ପଡ଼ିଥାଏ । କିନ୍ତୁ ୨୦୧୫ର ନବକଳେବର ୧୯ ବର୍ଷ ପରେ ପଡ଼ିଥିଲା। ଆଗାମୀ ନବକଳେବର ୧୦୩୪ରେ ହେବାକୁ ଯାଉଛି । ନବକଳେବର ପାଇଁ ଏକ ସ୍ୱତନ୍ତ୍ର ନମ୍ବ ଗଛକୁ ଚିହ୍ନଟ କରାଯାଏ। ଏହି ଗଛକୁ ଦାରୁ କୁହାଯାଏ ।
ଇନ୍ଦ୍ର ନୀଳମଣି ପୋଥୀରେ ଉଲ୍ଲେଖ ରହିଛି, ବିଗ୍ରହଙ୍କ ପାଇଁ ବ୍ୟବହାର ହେବାକୁ ଥିବା ଦାରୁ କେମିତି ହେବା ଦରକାର୍। ସାଧାରଣ ନିମ୍ବଗଛ, ଦାରୁ ନିମ୍ବଗଛ ଭିତରେ ବହୁତ୍ ଫରକ୍ ଥାଏ। ଦାରୁବ୍ରହ୍ମ ହେବା ପାଇଁ ଗୋଟିଏ ନିମ୍ବ ଗଛରେ ୧୪ଟି ଲକ୍ଷଣ ରହିବା ଆବଶ୍ୟକ। ସେହି ନିମ୍ବ ଗଛର ରଙ୍ଗ ଈଷତ୍ ଲାଲ ଏବଂ କଳା ହେବା ଦରକାର। ଦାରୁ ବୃକ୍ଷ ସଳଖ ହେବା ଦରକାର୍। ଦାରୁବୃକ୍ଷର ଉଚ୍ଚତା ସାତରୁ ବାର ହାତ ଯାଏ ହେବା ଦରକାର୍ । ଚାରୋଟି ଶାଖା ଥିବା ଦରକାର୍ । ଵୃକ୍ଷ ନିକଟରେ ନଦୀ, ପୋଖରୀ ନଚେତ୍ ତିନି ଛକର ରାସ୍ତା ରହିବା ଦରକାର୍ । ନଚେତ୍ ତିନିଟି ପାହାଡ଼ ବୃକ୍ଷକୁ ଘେରୀ ହୋଇ ରହିଥିବା ଆବଶ୍ୟକ । ଏହି ଗଛ ନିକଟରେ ଶ୍ମଶାନ ରହିଥିବ । ଶିବ ମନ୍ଦିର ଥିବ । ଏହି ବୃକ୍ଷରେ କୌଣସି ପକ୍ଷୀ ବସା ନ ଥିବ କି ଗଛରେ ଅନ୍ୟ କୌଣସି ଲତା ମାଡ଼ି ନ ଥିବ। ବନ୍ୟା, ବାତ୍ୟାରେ ଯେମିତି ବୃକ୍ଷର ଟିକେ ବି କ୍ଷତି ହୋଇ ନ ଥିବ। ବୃକ୍ଷ ଆଖପାଖରେ ଉଈ ହୁଙ୍କା ରହିବା ଦରକାର୍, ପ୍ରତ୍ୟେକ ଦିନ ସାପ ଗଛ ତଳେ ଯା ଆସ କରିବା ଦରକାର୍ ।
ସବୁଠୁ ବଡ ସଂକେତ, ଏହି ବୃକ୍ଷରେ ଶଙ୍ଖ, ଚକ୍ର, ଗଦା ଏବଂ ପଦ୍ମ ଚିହ୍ନ ରହିବା ଆବଶ୍ୟକ । ବୃକ୍ଷ ନିକଟରେ ବାହାଡା ଗଛ, ସାହାଡ଼ା ଗଛ ଏବଂ ବେଲ ଗଛ ଉଠିଥିବା ଦରକାର। ବୃକ୍ଷ ନିକଟରେ ମଠ ମନ୍ଦିର ଆଶ୍ରମ ଥିବା ଦରକାର । ଯଦି ଏହି ସବୁ ଲକ୍ଷଣ କୌଣସି ନିମ୍ବ ଗଛ ମୂଳରେ ଥାଏ, ତେବେ ସେହି ବୃକ୍ଷ ଦାରୁବ୍ରହ୍ମ ରୂପରେ ବ୍ୟବହାର କରାଯାଇ ପାରିବ । ଏଭଳି ନିମ୍ବ ଗଛକୁ ବର୍ଷ ବର୍ଷ ଧରି ଏକ ସ୍ଵତନ୍ତ୍ର ଦଇତା ପତି ଓ ସେବାୟତ ଦଳ ଚିହ୍ନଟ କରନ୍ତି । ବିଶ୍ଵାବସୁଙ୍କ ପରିବାରର ଅଂଶଙ୍କୁ ଏବେ ଆମେ ଦଇତାପତି କହୁଛୁ। ଯେତେବେଳେ ଦାରୁ ବ୍ରହ୍ମ ଚିହ୍ନଟ ହୋଇଯାଏ, ସେହି ବୃକ୍ଷକୁ ପ୍ରଥମେ ପୂଜା କରାଯାଇ ତା’ ପରେ କଟାଯାଏ । ସେଠାରୁ ସିଧା ଶ୍ରୀକ୍ଷେତ୍ର ପଠାଯାଏ ଦାରୁ । ଦାରୁ ପଠାଯିବା ପରେ ତାକୁ କାଟି ସେଥିରେ ଚତୁର୍ଦ୍ଧା ମୂର୍ତ୍ତି ନିର୍ମାଣ କରାଯାଏ ଏବଂ ପରେ ସେଥିରେ ବ୍ରହ୍ମ ପରିବର୍ତ୍ତନ କରାଯାଏ।

ତେବେ କେବେଠାରୁ ବ୍ରହ୍ମ ପରିବର୍ତ୍ତନ ବିଧି ଚାଲି ଆସୁଛି, ତାହା ସ୍ପଷ୍ଟ ଜଣା ନାହିଁ। ହେଲେ ଦାବି କରାଯାଏ, ୮୦୦ ଶତାବ୍ଦୀରେ ରକ୍ତବାହୁ ନାମକ ଏକ ଆକ୍ରମଣକାରୀ ସମୁଦ୍ର ମାର୍ଗ ଦେଇ ପୁରୀ ପହଞ୍ଚି ପୁରୀରେ ଥିବା ସେହି ସମୟର ରାଜା ସୁଖମ୍ ଦେଵଙ୍କୁ ଯୁଦ୍ଧରେ ହରାଇଥିଲେ। ସେହି ସମୟରେ ରାଜା ନିଜ ସହଯୋଗୀଙ୍କ ସହ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ମୂର୍ତ୍ତି ଧରି ପୁରୀରୁ ପଳାଇ ଥିଲେ। ସେଠାରୁ ଜଙ୍ଗଲ ଭିତର ହୋଇ ସିଧା ପହଞ୍ଚିଥିଲେ ସୋନପୁର। ସୋନପୁରରେ ଥିବା ଗୋପାଳି ଗୁମ୍ଫାରେ ଏହି ମୂର୍ତ୍ତି ସବୁ ରଖି ଗୁମ୍ଫାଟିକୁ ବନ୍ଦ କରିଦେଲେ।
୧୪୪ ବର୍ଷ ପରେ ସ୍ଵମ୍ ବଂଶୀୟ ରାଜା ଯଯାତି କେଶରୀ ଗୁମ୍ଫାଟିକୁ ଖୋଜିଥିଲେ ଏବଂ ସେ ଭିତରୁ ମୂର୍ତ୍ତି ସବୁ ଉଦ୍ଧାର କରିଥିଲେ। ୧୪୪ ବର୍ଷ ବାଲି ଓ ପଥରରେ ପୋତି ହୋଇ ରହିବା ଯୋଗୁ ମୂର୍ତ୍ତି ସବୁ ନଷ୍ଟ ହୋଇ ଯାଇଥିଲା। ମୂର୍ତ୍ତି ହାତରେ ଉଠିଲା ବେଳକୁ ଭାଙ୍ଗି ଯାଉଥିଲା । ହେଲେ ମୂର୍ତ୍ତି ଭିତରେ ଥିବା କିଛି ପଦାର୍ଥ ସତେଜ୍ ଥିଲା । ରାଜା ଯଯାତୀ କେଶରୀ ସେହି ବ୍ରହ୍ମ ପଦାର୍ଥକୁ ଧରି ସିଧା ଚାଲିଲେ ପୁରୀ । ସେଠାରେ ନୂଆ ମୂର୍ତ୍ତି ନିର୍ମାଣ ହେଲା, ତା’ ଭିତରେ ବ୍ରହ୍ମ ପରିବର୍ତ୍ତନ କରାଗଲା। ସେହି ସମୟରେ ଆଷାଢର ଯୋଡା ମାସ ଚାଲିଥିଲା । ତେଣୁ ଏହା ପରମ୍ ବ୍ରହ୍ମଙ୍କ ଆଦେଶ ମାନି ତା’ ପରଠାରୁ ଆଷାଢ଼ ଯୋଡା ମାସ ଯେବେ ପଡ଼େ ବ୍ରହ୍ମ ପରିବର୍ତ୍ତନ କରାଯାଏ ।
ତେବେ ବିଗ୍ରହ ତିଆରି ହୋଇଯିବା ପରେ ପୁରୀରେ କିଛି ସମୟ ପାଇଁ ଚରିଆଡ ଅନ୍ଧାର କରି ଦିଆଯାଏ । ବୟସ୍କ ପୂଜାରୀ ହିଁ ହାତରେ ଲାଲ କପଡ଼ା, ଆଖିରେ ଲାଲ କପଡ଼ା ବାନ୍ଧି ବ୍ରହ୍ମ ପରିବର୍ତ୍ତନ କରନ୍ତି । ଏହା ପୁରାଣରେ ଉଲ୍ଲେଖ ଅଛି। ଏହାକୁ କେହି ଆଜି ଯାଏ ଖାଲି ଆଖିରେ ଦେଖି ନାହାନ୍ତି କି ଖାଲି ହାତରେ ସ୍ପର୍ଶ କରି ନାହାନ୍ତି। କାହିଁକି ସେହି ରହସ୍ୟମୟ ପଦାର୍ଥକୁ କେହି ଛୁଇଁ ନାହାଁନ୍ତି ଜାଣିଛନ୍ତି । ବିଶ୍ବାସ କରାଯାଏ, ଏହି ବ୍ରହ୍ମ ହେଉଛି ଭଗବାନଙ୍କ ଆତ୍ମା । ଯାହାକୁ ନେଇ ଏତେ ସବୁ ଉତ୍ସବ ହୁଏ, ସେହି ଜିନିଷ କ’ଣ ତାହା କେହି ଜାଣି ନାହାନ୍ତି । ତେଣୁ ବ୍ରହ୍ମକୁ ନେଇ ରହସ୍ୟ ବଢୁଛି ସିନା କମିବାର ନାଁ ନେଉନି। କୁହାଯାଏ, ଏକ ପ୍ରାଚୀନ ପୋଥି ରେ ବ୍ରହ୍ମକୁ ନେଇ ବିଶ୍ଲେଷଣ କରାଯାଇଛି । ଏହା କ’ଣ ସେଥିରେ ଉଲ୍ଲେଖ ଅଛି, ହେଲେ ଏହି ପୋଥି ଏକ ଗୁପ୍ତ ପୋଥି ହିସାବରେ ରହିଛି । ବ୍ରହ୍ମ ପଦାର୍ଥ ପ୍ରକୃତରେ କ’ଣ ତାହା କାହାକୁ ଜଣା ନାହିଁ।

ଓଡିଆ ମହାଭାରତ ଲେଖିଥିବା ଆଦି କବି ସାରଳା ଦାସ ଏହି ପ୍ରସଙ୍ଗ ବିଷୟରେ ଇଙ୍ଗିତ କରିଛନ୍ତି। ଯାହାକୁ ନେଇ କୁହାଯାଏ, ଯେତେବେଳେ ଶ୍ରୀକୃଷ୍ଣଙ୍କ ମୃତ୍ୟୁ ହେଲା, ତାଙ୍କ ଅନ୍ତିମ ସଂସ୍କାର ସମୟରେ ଶ୍ରୀକୃଷ୍ଣଙ୍କ ଶରୀର ପଞ୍ଚଭୂତରେ ବିଲିନ ତ ହେଲା, ହେଲେ ତାଙ୍କ ନାଭି ନିଆଁରେ ଜାଳିଲା ନାହିଁ । ପାଣ୍ଡବମାନେ ଏହି ନାଭିକୁ ସମୁଦ୍ରରେ ପ୍ରବାହିତ କରି ଦେଇଥିଲେ। ଯାହା ସମୟ କ୍ରମେ ଭସିଆସି ପୁରୀ ସମୁଦ୍ର କୂଳରେ ଲାଗିଥିଲା । ହେଲେ ଏହି ତଥ୍ୟରେ କେତେ ସତ ଅଛି, ତାହା ପ୍ରମାଣିତ ହୋଇନାହିଁ।
ଅନ୍ୟ ଲୋକ କୁହନ୍ତି, ଏହି ବ୍ରହ୍ମ ଗୌତମ ବୁଦ୍ଧଙ୍କ ଚିତାକୁ ଏକାଠି କରିବା ପରେ ବାହାରିଥିବା ପଦାର୍ଥ । ଯାହା ହୃଦୟ ଆକାରର। ଏହାକୁ କଳିଙ୍ଗକୁ ଅଣାଯାଇଥିଲା। ଏହା ହୁଏତ ସେହି ବ୍ରହ୍ମ। ହେଲେ ଶ୍ରୀଲଙ୍କାରେ ଥିବା ବୁଦ୍ଧ ମନ୍ଦିରରେ ଗୌତମ ବୁଦ୍ଧଙ୍କ ଚିତାରୁ ବାହାରିଥିବା ଶେଷ ଅଂଶ ରହିଛି। ତେଣୁ ପୁରୀରେ ଥିବା ବ୍ରହ୍ମ ସହ ବୁଦ୍ଧଙ୍କ କିଛି ସମ୍ପର୍କ ନାହିଁ ବୋଲି ବି କୁହାଯାଏ । ତେବେ କିଏ କୁହେ ଜଗନ୍ନାଥଙ୍କ ବ୍ରହ୍ମ ସୁନାରେ ତିଆରି ଏକ ଯନ୍ତ୍ର ଏବଂ ଶାଳଗ୍ରାମ। ଯାହା ଆଜି ବି ଜୀବିତ ଅଛି। ହେଲେ ଏହା କେବଳ ଲୋକଙ୍କ ଧାରଣା, ଯାହା ସତ ବୋଲି ପ୍ରମାଣ ନାହିଁ।
ତେବେ ବୈଜ୍ଞାନିକଙ୍କ କହିବା ହେଲା, ଜଗନ୍ନାଥଙ୍କ ଭିତରେ ଥିବା ବ୍ରହ୍ମ ଏକ ଶକ୍ତି। ଯାହା ଠୁଳ ହୋଇ ରହିଛି । ଯାହା ଏକ କରେଣ୍ଟ ଭଳି । ଏହାକୁ ଖାଲି ହାତରେ ଧରିଲେ ଝଟକାରେ ମଣିଷର ମୃତ୍ୟୁ ହେବ। ଏହାକୁ କାଠ ଛଡ଼ା ଅନ୍ୟ ବସ୍ତୁରେ ରଖାଯାଇ ପାରିବ ନାହିଁ। ଏହା ଆଲୋକ ସଂସ୍ପର୍ଶରେ ଆସିଲେ ନିଜେ ନଷ୍ଟ ହେବ ନଚେତ୍ ଖଣ୍ଡ ମଣ୍ଡଳ ନଷ୍ଟ କରିଦେବ । ହୁଏତ ଏହାର ବ୍ୟବହାର କରି ଯେ କୌଣସି ଶକ୍ତି ବା ଏନର୍ଜିକୁ ବ୍ୟବହାର କରାଯାଇ ପାରିବ। ତେଣୁ ଏହାର ରହସ୍ୟ ରହସ୍ୟକୁ ଆହୁରି ରହସ୍ୟ ଭିତରକୁ ଠେଲି ଦେଉଛି। ଯାହା ବିଷୟରେ ଯେତେ ଆଲୋଚନା କଲେ ବି କମ୍ ହେବ।