ବ୍ରହ୍ମକମଳ ଉପରେ ବିରାଜମାନ ହୋଇଥାନ୍ତି ଭଗବାନ ବ୍ରହ୍ମା, ଜାଣନ୍ତୁ କଣ ରହିଛି ଏହାର ବିଶେଷତ୍ୱ

ବର୍ଷକୁ ଥରେ ଏବଂ କେବଳ ଗୋଟିଏ ରାତିରେ ଫୁଟୁଥିବା ରହସ୍ୟମୟୀ ବ୍ରହ୍ମକମଳ ଫୁଲ ପ୍ରତିବର୍ଷ ଜୁଲାଇ-ଅଗଷ୍ଟ ମାସ ମଧ୍ୟରେ ଫୁଟିଥାଏ। କିନ୍ତୁ ଚଳିତ ବର୍ଷ ଏହା ଅକ୍ଟୋବର ମାସରେ ଫୁଟିଥିଲା ଯାହାକୁ ନେଇ ବିଶେଷଜ୍ଞ ମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ତେବେ ଦିବ୍ୟ ବିବେଚନା କରାଯାଉଥିବା ଏହି ବ୍ରହ୍ମକମଳ ଫୁଲ ଉତ୍ତରାଖଣ୍ଡର ଚମୋଳିରେ ପ୍ରଚୁର ପରିମାଣ ଦେଖିବାକୁ ମିଳୁଛି। ଆସନ୍ତୁ ଜାଣିବା ବ୍ରହ୍ମକମଳ ଫୁଲର ବିଷୟରେ କିଛି ଖାସ ଓ ଅଜଣା କଥା।

କଣ କହୁଛି ମାଇଥୋଲୋଜି:

ବିଶ୍ୱର ରଚନା କରିଥିବା ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ଏହି ଫୁଲ ପ୍ରିୟ ବୋଲି କୁହାଯାଏ। ହିନ୍ଦୁ ମାଇଥୋଲୋଜି ଅନୁସାରେ ଭଗବାନ ବ୍ରହ୍ମା ସବୁବେଳେ ଯେଉଁ ପଦ୍ମ ଫୁଲ ଉପରେ ବସିଥାନ୍ତି ଏହା ସେଇ ଫୁଲ ହୋଇଥିବାର ମାନ୍ୟତା ରହିଛି। ରାମାୟଣରେ ମଧ୍ୟ ଏହି ବ୍ରହ୍ମକମଳ ଫୁଲ ବିଷୟରେ ବର୍ଣ୍ଣିତ ହୋଇ ରହିଛି। କୁହାଯାଏ ଯେ, ରାମାୟଣରେ ଲକ୍ଷ୍ମଣ ନିଜ ଚେତା ହରାଇଥିଲେ ଓ ତାଙ୍କ ଚେତା ଫେରିଲା ପରେ ସ୍ୱର୍ଗରୁ ଦେବତା ମାନେ ଏହି ଫୁଲର ବର୍ଷା କରାଇଥିଲେ।

brmhakamal

ଠାକୁରଙ୍କ ପୂଜାରେ ଲାଗିଥାଏ:

ପାହାଡରେ ବିରାଜମାନ ରହିଥିବା ମା ନନ୍ଦାଦେବୀଙ୍କର ମଧ୍ୟ ଏହା ପ୍ରିୟ ପୁଷ୍ପ ବୋଲି କୁହାଯାଏ। ଏହି ଫୁଲକୁ ନନ୍ଦାଷ୍ଟମି ପୂଜା ସମୟରେ କିଛି ବିଶେଷ ନିୟମ ସହିତ ତୋଳା ଯାଇଥାଏ। ଫୁଲ ତୋଳିବା ପୂର୍ବରୁ ଏହାର ନିୟମ ଅନୁଯାୟୀ ଗାଧୋଇବା ଏବଂ କୌଣସି ଭୁଲ ଚିନ୍ତାଧାରାକୁ ମୁଣ୍ଡରେ ନପୂରାଇବା ଆବଶ୍ୟକ। ଏହା ସହିତ ପିନ୍ଧିଥିବା ଲୁଗା ମଧ୍ୟ ସଫା ହୋଇଥିବା ଆବଶ୍ୟକ। ନନ୍ଦାଦେବୀଙ୍କ ବ୍ୟତୀତ କେଦାରନାଥ ଓ ବଦରିନାଥରେ ମଧ୍ୟ ଏହି ପୁଷ୍ପକୁ ଦେବତାଙ୍କ ପୂଜାରେ ଲଗାଯାଏ।

ଔଷଧୀୟ ଗୁଣ:

ବର୍ଷକୁ କେବଳ ଗୋଟିଏ ରାତିରେ ଫୁଟୁଥିବା ବ୍ରହ୍ମକମଳ ଫୁଲକୁ ଫୁଟିବାକୁ ଦୁଇ ଘଣ୍ଟା ସମୟ ଲାଗିଥାଏ ଓ ସେହି ମଧ୍ୟରେ ଏହା ୮ ଇଞ୍ଚ ପର୍ଯ୍ୟନ୍ତ ଫୁଟିଥାଏ। ଏହି ଫୁଲକୁ ଆର୍ୟୁବେଦରେ ଅନେକ ମାନ୍ୟତା ମଧ୍ୟ ମିଳିଛି। ଏପିଥିଲମ୍‌ ଅକ୍ସିପେଟାଲାମ ବେଜ୍ଞାନିକ ନାମ ରହିଥିବା ଏହି ଫୁଲକୁ ଅନେକ ଔଷଧ ତିଆରିରେ ବ୍ୟବହାର କରାଯାଏ। ବିଶେଷ କରି କାସ ପାଇଁ ଏହା ଅଧିକ ଉପଯୋଗୀ ହୋଇଥାଏ।

ଅସାଧ୍ୟ ରୋଗର ନିବାରଣ:

brmhakamal3

କ୍ୟାନସର, ଯୌନାଙ୍ଗ ରୋଗ, ଯକୃତ ସଂକ୍ରମଣ, ଯୌନ ରୋଗ ଭଳି ଅନେକ ଅସାଧ୍ୟ ରୋଗର ଚିକିତ୍ସା ପାଇଁ ମଧ୍ୟ ଏହା ବ୍ୟବହାର ହୋଇଥାଏ। ହାଡରେ ଯନ୍ତ୍ରଣା ହେଲେ ଏହି ବ୍ରହ୍ମକମଳ ଫୁଲ ରସର ପୁଲ୍ଟିସ ବାନ୍ଧିବା ଦ୍ୱାରା ଆରାମ ମିଳିଥାଏ। କିନ୍ତୁ ଏପର୍ଯ୍ୟନ୍ତ ଏହାର କୌଣସି ବୈଜ୍ଞାନିକ ପୃଷ୍ଟି ମିଳିନାହିଁ।

ଚାଷ ମଧ୍ୟ ହେଉଛି:

ଭାରତ ବ୍ୟତୀତ ତିବ୍ଦତରେ ମଧ୍ୟ ଏହି ଫୁଲର ଅଧିକ ଚାହିଦା ରହିଛି। ଅଧିକ ଚାହିଦା ହେବାରୁ ବର୍ତ୍ତମାନ ଉତ୍ତରାଖଣ୍ଡରେ ଏହି ଫୁଲର ଚାଷ ହେବାରେ ଲାଗିଛି।ଏହା ପିଣ୍ଡରି ଠାରୁ ଆରମ୍ଭ କରି ଚିକଲା, ରୂପକୁଣ୍ଡ, ହେମକୁଣ୍ଡ, ବ୍ରଜଗଙ୍ଗା,ଫୁଲ ଉପତ୍ୟକା ଏବଂ କେଦାରନାଥ ପର୍ଯ୍ୟନ୍ତ ମିଳିଥାଏ।

ତେବେ ଚଳିତ ବର୍ଷ ଅକ୍ଟୋବର ମାସରେ ଏହା ଫୁଟିଥିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। କରୋନା କଟକଣା ଯୋଗୁଁ ପର୍ଯ୍ୟଟକଙ୍କ ଅନୁପସ୍ଥିତିରେ ଏଠାରେ ପ୍ରଦୂଷଣର ସ୍ତର ଖୁବ କମ୍‌ ହୋଇଯାଇଛି। ଏହାର ପ୍ରଭାବ ଫୁଲ ଉପରେ ପଡିବାରୁ ଏହା କମ୍‌ ଉଚ୍ଚତା ଏବଂ ଅବେଳରେ ଫୁଟିଛି ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.