ଗ୍ରୀଷ୍ମର ନିଦାଘକୁ ଶାନ୍ତ କରୁଥିବା ମୌସୁମୀ ସୃଷ୍ଟି ହୁଏ କେମିତି, କୁଆଡ଼ୁ ଆସେ ଥଣ୍ଡା ବାୟୁ

ମନ୍‌ସୁନ୍‌ ବା ମୌସୁମୀର ଆଗମନ ଯୋଗୁ ଚାରିଆଡ଼େ ଖେଳିଯାଇଛି ଖୁସିର ଲହରୀ। ଗ୍ରୀଷ୍ମର ନିଦାଘ ପରେ ମୌସୁମୀ ବର୍ଷା ପୃଥିବୀକୁ ଶାନ୍ତ କରିବାକୁ ଆସୁଛି। ବର୍ଷାର ବୁନ୍ଦେ ଜଳ ପାଇଁ ଆଉଟୁପାଉଟୁ ହୋଇପଡ଼ୁଛନ୍ତି ଜୀବଜନ୍ତୁଙ୍କ ଠାରୁ ଆରମ୍ଭ କରି ଗଛ ପତ୍ର ଯାଏଁ। ଟାଇଁ ଟାଇଁ ଖରାରେ ମୌସୁମୀ ବର୍ଷା ହିଁ ଏକ ମାତ୍ର ମାଧ୍ୟମ ଜୀବଜଗତକୁ ଶାନ୍ତ କରିବାକୁ। ଏଣୁ ବର୍ଷ ସାରା ଅପେକ୍ଷା ରହିଥାଏ ମୌସୁମୀର ଆଗମନକୁ। ତେବେ ଏହି ମୌସୁମୀ କ’ଣ, କେମିତି ସୃଷ୍ଟି ହୁଏ ଓ ଏହାର ଅର୍ଥ କ’ଣ ସେ ବିଷୟରେ ବୋଧେ ଅଧିକାଂଶ ଲୋକ ଜାଣିନଥିବେ। ଆଜି ଆସନ୍ତୁ ଜାଣିବା ମୌସୁମୀ ବିଷୟରେ…

ଭାରତ ମହାସାଗର ଓ ଆରବ ସାଗର ଆଡ଼ୁ ଭାରତର ଦକ୍ଷିଣ-ପଶ୍ଚିମ ତଟକୁ ଆସୁଥିବା ପବନକୁ ମୌସୁମୀ ବାୟୁ ବୋଲି କୁହାଯାଏ। ଏହି ବାୟୁ ପାଣି ଥିବା ବାଦଲ ନେଇ ଆସେ। ଏହା ପ୍ରବାହିତ ହେବା ଫଳରେ ଭାରତ, ପାକିସ୍ତାନ, ବାଂଲାଦେଶ ଆଦି ଦେଶରେ ପ୍ରବଳ ବର୍ଷା କରାଇଥାଏ। ଗ୍ରୀଷ୍ମ ଦିନର ପ୍ରବଳ ଗରମ ପରେ ଏହି ବର୍ଷା ଆସୁଥିବାରୁ ଏହାକୁ ମୌସୁମୀ ବା ମନ୍‌ସୁନ୍‌ କୁହାଯାଏ। ମୌସୁମୀ ଆସିବା ପରେ ଖରା ଗରମରୁ ଆଶ୍ୱସ୍ତି ମିଳେ। ଦକ୍ଷିଣ ଏସିଆରେ ଏହି ମୌସୁମୀ ବାୟୁ ଜୁନ୍‌ରୁ ସେପ୍ଟେମ୍ବର ଯାଏଁ ୪ ମାସ ସକ୍ରିୟ ରହିଥାଏ। ସାଧାରଣ ପବନ ଯେତେବେଳେ ଦିଗ ପରିବର୍ତ୍ତନ କରେ, ସେତେବେଳେ ମୌସୁମୀ ଆସିଥାଏ। କେରଳ ଉପକୂଳ ଠାରୁ ମାଇଲ ମାଇଲ ଦୂରରୁ ମୌସୁମୀ ବାୟୁ ନିଜ ସହ ଜଳୀୟାଂଶ ନେଇ ଆସେ। ଯାହା ଧୀରେ ଧୀରେ ଭାରତ ମହାଦ୍ୱୀପ ଆଡ଼କୁ ବଢ଼େ। ମୌସୁମୀ ବାୟୁ ଥଣ୍ଡାରୁ ଗରମ ଅଞ୍ଚଳ ଆଡ଼କୁ ବହୁଥିବାରୁ ଏଥିରେ ଅଧିକ ଜଳୀୟାଂଶ ଥାଏ, ଯାହା ପ୍ରଭାବରେ ବର୍ଷା ହୁଏ।

ମୌସୁମୀ ଶବ୍ଦର ଅର୍ଥ କ’ଣ?

ମୌସୁମୀ ଶବ୍ଦଟି ଇଂରାଜୀର ମନ୍‌ସୁନ୍‌ରୁ ଆସିଛି। ଉର୍ଦ୍ଦୁରେ ପାଣିପାଗକୁ ମୌସମ କୁହାଯାଏ। ଏହି ମୌସମରୁ ହିଁ ମୌସୁମୀ ଶବ୍ଦ ଆସିଛି।

monsoon

ମୌସୁମୀର ପ୍ରକାର ଭେଦ:

ଭାରତର ଜଳବାୟୁ ଅପେକ୍ଷାକୃତ ଗରମ। ଏଣୁ ଏଠାରେ ଦୁଇ ପ୍ରକାରର ମୌସୁମୀ ବାୟୁ ପ୍ରବାହିତ ହୋଇଥାଏ। ଜୁନ୍‌ରୁ ସେପ୍ଟେମ୍ବର ଯାଏଁ ସମୁଦ୍ରରୁ ଭୂପୃଷ୍ଠ ଆଡ଼କୁ ପ୍ରବାହିତ ହେଉଥିବା ବାୟୁକୁ ଦକ୍ଷିଣ ପଶ୍ଚିମ ମୌସୁମୀ କୁହାଯାଉଥିବା ବେଳେ ଶୀତ ଦିନରେ ପ୍ରବାହିତ ହେଉଥିବା ମୌସୁମୀ ପବନ, ଯାହା ଭୂପୃଷ୍ଠରୁ ସମୁଦ୍ର ଆଡ଼କୁ ବହେ; ତାହାକୁ ଉତ୍ତର-ପୂର୍ବ ମୌସୁମୀ କୁହାଯାଏ।

ଅଧିକାଂଶ ଗ୍ରୀଷ୍ମକାଳୀନ ମୌସୁମୀରେ ପ୍ରବଳ ବେଗରେ ପବନ ଓ ବର୍ଷା ହୋଇଥାଏ। ଏହି କାରଣରୁ ପୃଥିବୀ ପୃଷ୍ଠରୁ ଉପରକୁ ଉଠୁଥିବା ବାୟୁରେ ଜଳୀୟବାଷ୍ପ ଅଧିକ ପରିମାଣରେ ରହିଥାଏ। ଫଳରେ ବର୍ଷା ହୁଏ। ଏହାର ତୀବ୍ରତା ଓ ଅବଧି ସବୁ ବର୍ଷ ସମାନ ନଥାଏ। ଏଣୁ କେତେ ବେଳେ ମୌସୁମୀ ଶୀଘ୍ର ଆସେ ତ ଆଉ କେବେ ଡେରିରେ। ଅନ୍ୟପଟେ ଶୀତକାଳୀନ ମୌସୁମୀ ବାୟୁ ସ୍ଥଳ ଭାଗରୁ ଜଳ ଭାଗକୁ ପ୍ରବାହିତ ହେଉଥିବାରୁ ଏହା ଶୁଷ୍କ ହୋଇଥାଏ। ଯାହା କେବଳ ଥଣ୍ଡା ଦିନେ ଅନୁଭୂତ ହୁଏ।

ମୌସୁମୀ ବାୟୁ ଆସିଲେ ମୁଖ୍ୟତଃ ଜଳ ପ୍ରଦାନ କରେ। ଫଳରେ କୃଷି କାର୍ଯ୍ୟ ହୋଇଥାଏ। କହିବାକୁ ଗଲେ ଏହା ଖାଦ୍ୟ ଶସ୍ୟ ଉତ୍ସାଦନର ମୂଳ ଉତ୍ସ। ଏଣୁ ମୌସୁମୀର ଆଗମନକୁ ଅପେକ୍ଷା ରହିଥାଏ ସାରା ବର୍ଷ।

Also Read: ‘ତାରକ ମେହେତା କା ଉଲ୍‌ଟା ଚଷମା’ ଫ୍ୟାନ୍‌ଙ୍କୁ ବଡ଼ ଝଟ୍‌କା: ୧୪ ବର୍ଷ ପରେ ଶୋ’କୁ ଅଲ୍‌ବିଦା କହୁଛନ୍ତି ତାରକ ମେହେତା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.