କରୋନାର ନୂଆ ଭ୍ୟାରିଏଣ୍ଟ ‘ଓମିକ୍ରନ୍‌’ର ଅର୍ଥ କ’ଣ? ଜାଣନ୍ତୁ, କାହିଁକି ଦିଆଯାଇଛି ଏମିତି ନାଁ

ରୂପ ବଦଳାଇ ପୁଣିଥରେ ସାମ୍ନାକୁ ଆସିଛି କରୋନା। ଏବେ କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍‌ ଆତଙ୍କ ରଚୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ ଏହି ଭ୍ୟାରିଏଣ୍ଟକୁ ଅତ୍ୟଧିକ ବିପଦପୂର୍ଣ୍ଣ ବୋଲି କୁହାଯାଇଛି। ତେବେ ଏହି ଭ୍ୟାରିଏଣ୍ଟ ବିଷୟରେ ବିସ୍ତୃତ ସୂଚନା ଆସିବା ଏବେ ବି ବାକି ଅଛି। ବର୍ତ୍ତମାନ ବୈଜ୍ଞାନିକଙ୍କ କହିବାନୁସାରେ, ଏହା ଡେଲ୍ଟା ଭ୍ୟାରିଏଣ୍ଟ ଭଳି ହିଁ ଘାତକ। କିନ୍ତୁ ଏହା ଡେଲ୍ଟା ତୁଳନାରେ ଅଧିକ ବେଗରେ ସଂକ୍ରମିତ ହେଉଛି, ଯାହା ଏବେ ଚିନ୍ତା ବଢ଼ାଇଛି। ଦୁନିଆର ସବୁ ଦେଶ ଓମିକ୍ରନ୍‌କୁ ନେଇ ଜରୁରୀକାଳୀନ ପଦକ୍ଷେପ ନେଉଛନ୍ତି। ତେବେ ଓମିକ୍ରନ୍‌ର ନାମକରଣକୁ ନେଇ ଏକ ତଥ୍ୟ ଏବେ ସାମ୍ନାକୁ ଆସିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କାହିଁକି ଏହି ଭ୍ୟାରିଏଣ୍ଟର ନାଁ ଓମିକ୍ରନ୍‌ ରଖିଛି ଆସନ୍ତୁ ଜାଣିବା…

ଗତ ସପ୍ତାହରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ନୂଆ କୋଭିଡ୍‌ ବି.୧.୫୨୯କୁ ଓମିକ୍ରନ୍‌ ନାଁ ଦେବା ସହ ଏହାକୁ ଭ୍ୟାରିଏଣ୍ଟ ଅଫ୍‌ କନ୍‌ସର୍ଣ୍ଣ ମଧ୍ୟ କହିଛି। ଏହା ଘାତକ ଓ ଚିନ୍ତାଜନକ କହିବାର ମୁଖ୍ୟ କାରଣ ହେଉଛି, ଏହା ଖୁବ୍‌ ସ୍ପିଡ୍‌ରେ ବ୍ୟାପିବା କ୍ଷମତା ରଖୁଛି। ଏଥିସହ ଏହାର ଏକାଧିକ ମ୍ୟୁଟେସନ୍‌ ମଧ୍ୟ ରହିଛି, ଯାହା ବିପଦପୂର୍ଣ୍ଣ ହେବ।

ଏହି ନାଁ କାହିଁକି:

ସାର୍ସ କୋଭ୍‌-୨ର ନୂଆ ଭ୍ୟାରିଏଣ୍ଟ ବା ଷ୍ଟ୍ରେନ୍‌ ନାଁ ରଖିବା ପାଇଁ ଗ୍ରୀକ୍‌ ଅକ୍ଷର ବ୍ୟବହାର କରାଯାଏ। ଏହି କାରଣରୁ ଏହି ଭ୍ୟାରିଏଣ୍ଟର ବୈଜ୍ଞାନିକ ନାମ ବହୁତ ଲମ୍ବା ଓ ଜଟିଳ ହୋଇଥାଏ। ଏଣୁ ଲୋକମାନେ ସହଜରେ ବୁଝିବା ପାଇଁ ସାର୍ସ କୋଭ-୨ରେ ଗ୍ରୀକ୍‌ ବର୍ଣ୍ଣମାଳାର ଅକ୍ଷର ଯୋଡ଼ି ଦିଆଯାଏ। ଏହା ଦ୍ୱାରା ସ୍ପଷ୍ଟ ଭାବେ ବୁଝାପଡ଼ିପାରିବ ଯେ ଏହା ସେହି ପୁରୁଣା ଭାଇରସ୍‌, କିନ୍ତୁ ଏବେ ଏହାର ମ୍ୟୁଟେସନ୍‌ ହୋଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଥମରୁ ହିଁ ସାର୍ସ କୋଭଲ-୨ର ଭ୍ୟାରିଏଣ୍ଟ ପାଇଁ ୧୨ ଗ୍ରୀକ୍‌ ଅକ୍ଷର ବ୍ୟବହାର କରିସାରିଛି। ଏହା ପରେ ଗତ ସପ୍ତାହରେ ଦକ୍ଷିଣ ଆଫ୍ରିକାରେ ନୂଆ ଭ୍ୟାରିଏଣ୍ଟ ଆସିଛି। ରୋଚକ କଥା ହେଉଛି, ଗ୍ରୀକ୍‌ ବର୍ଣ୍ଣମାଳାରେ ମ୍ୟୁ (Mu) ପରେ ୧୩ ତମ ଅକ୍ଷର ନ୍ୟୁ (Nu) କିମ୍ବା ଶି (Xi) ନମ୍ବର ଆସିଥିଲା। କିନ୍ତୁ ଡବ୍ଲ୍ୟୁଏଚ୍‌ଓ ଏହାର ପରବର୍ତ୍ତୀ ଅକ୍ଷର ଓମିକ୍ରନ୍‌କୁ ଚୟନ କରିଛି।
ତେବେ ଏହି ଦୁଇଟି ଅକ୍ଷର ଛାଡ଼ିବାର କାରଣ ସମ୍ପର୍କରେ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଗଂଠନ ସ୍ପଷ୍ଟ କରିଛି। ଡବ୍ଲ୍ୟୁଏଚ୍‌ଓ କହିଛି, ନ୍ୟୁ ଅକ୍ଷର ଇଂରାଜୀରେ ନୂଆ ଶବ୍ଦ ସହ ମେଳ ଖାଉଛି। ଏଣୁ ଲୋକମାନେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ସେହିପରି ଶି ଶବ୍ଦ ଚୀନ୍‌ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ନାଁର ପ୍ରଥମ ଶବ୍ଦ। ଏଭଳି ସ୍ଥିତିରେ କରୋନାର ନୂଆ ଭ୍ୟାରିଏଣ୍ଟର ନାଁ ଶି ଦେବା ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରେ।

ଓମିକ୍ରନ୍‌ର ଅର୍ଥ କ’ଣ:

ଏହା ଇଂରାଜୀ ବର୍ଣ୍ଣମାଳାର ଛୋଟ ‘ଓ’ (o) ଅକ୍ଷରର ଗ୍ରୀକ୍‌ ରୂପ। ଏହା ୧୫ ତମ ବର୍ଣ୍ଣ। ଯାହା ଗ୍ରୀକ୍‌ରେ ଓମେଗା ଇଂରାଜୀର କ୍ୟାପିଟାଲ ବା ବଡ଼ ‘ଓ’ (O)କୁ ଦର୍ଶାଉଛି। ତେବେ ରୋଚକ କଥା ହେଉଛି, ଓମିକ୍ରନ୍‌ ଓ ଓମେଗାର ଉଚ୍ଚାରଣ ଭିନ୍ନ ଭିନ୍ନ। ଏହା ବ୍ୟତୀତ ଓମିକ୍ରନ୍‌ ଗ୍ରୀକ୍‌ ସଂଖ୍ୟାରେ ୭୦କୁ ମଧ୍ୟ ଦର୍ଶାଉଛି। ମହାକାଶ ବିଜ୍ଞାନରେ ଏକ ତାରା ସମୂହରେ ୧୫ ତମ ତାରକାକୁ ଓମିକ୍ରନ୍‌ରେ ପ୍ରଦର୍ଶିତ କରାଯାଏ। ଯଥା- ଓମିକ୍ରନ୍‌ ଏଣ୍ଡ୍ରୋମାଡା, ଓମିକ୍ରନ୍‌ ସେଟି ଓ ଓମିକ୍ରନ୍‌ ପରସେଇ ଇତ୍ୟାଦି। ଏହି ଭଳି ଭାବେ କରୋନାର ନୂଆ ଭ୍ୟାରିଏଣ୍ଟର ନାଁ ଓମିକ୍ରନ୍‌ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.