ଜାଣିଛନ୍ତି କି କାହିଁକି ପଞ୍ଚାୟତ ନିର୍ବାଚନରେ ଇଭିଏମ୍‌ ବଦଳରେ ଭୋଟ୍‌ କାଗଜ ଓ ଭୋଟ୍‌ବାକ୍ସ ବ୍ୟବହାର ହେଉଛି

ଭୁବନେଶ୍ୱର (କେନ୍ୟୁଜ୍‌) : ଏବେ ସାରା ରାଜ୍ୟରେ ଚାଲିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଅନେକ ସ୍ଥାନରେ ଭୋଟ୍‌ ବାକ୍ସରେ ବନ୍ଦ ହୋଇ ସାରିଲାଣି ପ୍ରାର୍ଥୀମାନଙ୍କ ଭାଗ୍ୟ । ଯେଉଁମାନେ କି ଗ୍ରାମାଞ୍ଚଳର ମୁଖିଆ ହୋଇ ବିକାଶର ଧାରା ବୁହାଇବାକୁ ସାଧାରଣ ଜନତାଙ୍କୁ ପ୍ରତିଶ୍ରୁତ ଦେଇଛନ୍ତି । କୋଭିଡ୍‌ କଟକଣାରେ ପ୍ରଚାର ଏବଂ ଘର ଘର ବୁଲି ଲୋକଙ୍କୁ ଭୋଟ୍‌ ଭିକ୍ଷା କରିବା ପରେ ମତଦାନ ହୋଇ ସାରିଥିବା ଅଞ୍ଚଳରେ ଏବେ ପ୍ରାର୍ଥୀମାନେ ଫଳାଫଳକୁ ଅପେକ୍ଷା କରିଛନ୍ତି । ଆଉ ଆଲୋଚନା ଚାଲିଛି ଭୋଟରଙ୍କ ମଧ୍ୟରେ । ତେବେ ଏସବୁ ଭିତରେ ଆଉ ଗୋଟିଏ ଚର୍ଚ୍ଚା ବି ସାମନାକୁ ଆସିଛି । ସାଧାରଣ ଲୋକେ କଥା ହେଉଛନ୍ତି, ଯଦି ଆମେ ଏମ୍‌ଏଲ୍‌ଏ ଓ ଏମ୍‌ପି ଭୋଟ୍‌ ଇଭିଏମ୍‌ରେ ଦେଲୁ ପଞ୍ଚାୟତରେ କାହିଁକି ପୁଣି ଫେରିଲା ସେହି ଭୋଟ୍‌ ବାକ୍ସ? କଣ ସରକାରଙ୍କ ପାଖରେ ଆଉ ଇଭିଏମ୍‌ ନାହିଁ କି ? ଏମିତି କିଛି ପ୍ରଶ୍ନର ଉତ୍ତର ନେଇ ଆସିଛୁ ଆମେ।

ଗତ ସାଧାରଣ ନିର୍ବାଚନରେ ବିଧାୟକ ଏବଂ ସାଂସଦଙ୍କୁ ଭୋଟ୍‌ ଦେବା ପାଇଁ ବ୍ୟବହାର କରାଯାଇଥିଲା ଇଲେକଟ୍ରୋନିକ ଭୋଟିଂ ମେସିନ ବା ଇଭିଏମ୍‌ । ଖାଲି ସୁଇଚ୍‌ ଟିପି ନିଜ ମନ ପସନ୍ଦର ପ୍ରାର୍ଥୀ ବାଛିଥିଲେ ଲୋକେ । ହେଲେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଚିତ୍ର ରହିଛି ଅଲଗା । ପୁଣି ବୁଥକୁ ଫେରିଛି ଭୋଟ୍‌ବାକ୍ସ । ଲୋକେ ଷ୍ଟାମ୍ପ ମାରି ପ୍ରାର୍ଥୀ ବାଛୁଛନ୍ତି । ତେବେ ପଞ୍ଚାୟତ ନିର୍ବାଚନରେ କାହିଁକି ଇଭିଏମ୍‌ ବ୍ୟବହାର କରାଗଲା ନାହିଁ ସେ କଥା ଅନେକଙ୍କୁ ଜଣାନଥିବ ।

ପ୍ରକୃତ କଥା ହେଉଛି ପଞ୍ଚାୟତ ନିର୍ବାଚନରେ ଜଣେ ଭୋଟରଙ୍କୁ ଏକାଥରେ ଚାରିଟି ଭୋଟ୍‌ ଦେବାକୁ ପଡୁଛି । ଏ ବ୍ୟବସ୍ଥା ବର୍ତ୍ତମାନର ଇଭିଏମ୍‌ରେ ନାହିଁ । ତେଣୁ ସେଇ ପୁରୁଣା ପଦ୍ଧତି ଭୋଟ୍‌ କାଗଜ ଓ ଭୋଟ୍‌ ବାକ୍ସର ବ୍ୟବହାର ହେଉଛି । ପୁଣି ଇଭିଏମ୍‌ର ମୂଲ୍ୟ ଅଧିକ ଥିବାରୁ ଯଦି ଏହାର ବ୍ୟବହାର କରାଯାଇଥାନ୍ତା ତେବେ ଖର୍ଚ୍ଚ ବି ବହୁତ ବଢ଼ିଥାନ୍ତା ।
ତେବେ ଆସନ୍ତା ପଞ୍ଚାୟତ ଭୋଟ୍‌ରେ ଆଉ ଭୋଟ୍‌ ବାକ୍ସ ଦେଖିବାକୁ ମିଳି ନପାରେ । ଆଗାମୀ ଥର ଇଭିଏମ୍‌ ବ୍ୟବହାର ହେବ । ଏଥିପାଇଁ ବଜେଟ୍‌ ବ୍ୟବସ୍ଥା କରିବାକୁ ରାଜ୍ୟ ନିର୍ବାଚନ କମିଶନ୍‌ଙ୍କ ତରଫରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖା ଯାଇଛି । ପଞ୍ଚାୟତ ନିର୍ବାଚନରେ ୪ଟି ପଦବି ପାଇଁ ଭୋଟ୍‌ ହେଉଛି । ଏଥିପାଇଁ ଦରକାର ମଲଟିପୋଷ୍ଟ ଇଭିଏମ୍‌ । ନଚେତ ଗୋଟିଏ ଗୋଟିଏ କରି ୪ଟି ଇଭିଏମ୍‌ର ଆବଶ୍ୟକ ପଡ଼ିବ । ଗୋଟିଏ ଇଭିଏମ୍‌ର ଦାମ୍‌ ହେଉଛି ୨୦ ହଜାର ଟଙ୍କା । ତେଣୁ ପଞ୍ଚାୟତ ନିର୍ବାଚନରେ ହୋଇଥିବା ୯୨ ହଜାର ବୁଥ୍‌ରେ ଇଭିଏମ୍‌ ରଖିବା ପାଇଁ ବିପୁଳ ଅର୍ଥ ଖର୍ଚ୍ଚ ହୋଇଥାନ୍ତା ।

ଏବେ ରାଜ୍ୟ ନିର୍ବାଚନ କମିଶନ୍‌ ୧୬୦ଟି ମଲଟି ପୋଷ୍ଟ ଇଭିଏମ୍‌ କିଣିକି ରଖିଛନ୍ତି । ତେବେ ଆଉ ଗୋଟିଏ ବ୍ୟବସ୍ଥା ମଧ୍ୟ କରିବାକୁ ପଡ଼ିବ । ତାହା ହେଉଛି ଇଭିଏମ୍‌କୁ ସୁରକ୍ଷିତ ରଖିବା ପାଇଁ ପ୍ରତି ଜିଲ୍ଲାରେ ଷ୍ଟୋରେଜ୍‌ ରୁମ୍‌ ସହ ଇଭିଏମ୍‌ ଟ୍ରାକିଂ ସଫ୍ଟଓୟାର ଦରକାର ହେବ । କିନ୍ତୁ ବାଲଟ୍‌ ବକ୍ସ ଓ ବାଲଟ୍‌ ପେପର ବାବଦରେ ପ୍ରତି ପାଞ୍ଚ ବର୍ଷକୁ ମାତ୍ର ୪ରୁ ୫ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଅବଶ୍ୟ ଏହା ଭିତରେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ସରକାର ମଲଟି ପୋଷ୍ଟ ଇଭିଏମ୍‌ରେ ପଞ୍ଚାୟତ ନିର୍ବାଚନ କରିଥିବା ବେଳେ ବିହାର ସରକାର ସିଙ୍ଗଲ ପୋଷ୍ଟ ଇଭିଏମ୍‌ରେ ମତଦାନ କରାଇଛନ୍ତି ।
ତେଣୁ ଭୋଟରଙ୍କ ସୁବିଧା ପାଇଁ ଆଗକୁ ଓଡ଼ିଶାରେ ମଧ୍ୟ ମଲଟି ପୋଷ୍ଟ ଇଭିଏମ୍‌ ବ୍ୟବହାର କରିବା ଲାଗି ପ୍ରୟାସ ଚାଲିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.