ଜୁଲାଇ ୧ ରୁ ଆରମ୍ଭ ହେବ କି ଅନଲକ୍‌ ୨.୦ ! କ’ଣ ରଣନୀତି ଆପଣାଇବେ ରାଜ୍ୟ ସରକାର

ଅନଲକ୍‌ ୧ ‌ର ଅବଧି ସରିବାକୁ ଯାଉଛି। ଜୁଲାଇ ୧ ରୁ ଆରମ୍ଭ ହେବ ଅନଲକ୍‌ ୨.୦ । ଜୁନ୍‌ ୮ ରୁ ଦେଶର ତାଲା ଖୋଲିଥିଲେ କେନ୍ଦ୍ର ସରକାର । ହେଲେ ସଂକ୍ରମଣକୁ ଦେଖି ସବୁ ରାଜ୍ୟର ତାଲା ଖୋଲି ନଥିଲା । ଏବେ ସଂକ୍ରମଣ ଆହୁରି ଭୟାନକ ହେଉଛି। ଦେଖିବା ଅନଲକ୍‌-୨ରେ କେଉଁ ରାଜ୍ୟ କି ପଦକ୍ଷେପ ନେଇପାରନ୍ତି । ରାତ୍ରିକାଳୀନ କର୍ଫ୍ୟୁରେ କଣ ଆସିବା ପରିବର୍ତ୍ତନ ? ରାଜ୍ୟରେ ସଂକ୍ରମଣ ବଢି ଚାଲିଥିବାରୁ ପୁଣି ଜୁନ୍‌ର ରଣନୀତି ଆପଣାଇପାରନ୍ତି ରାଜ୍ୟ ସରକାର। ଯେଉଁ କ୍ଷେତ୍ର ଉପରେ କଟକଣା ଥିଲା, ଜୁଲାଇରେ ତାହା ବଳବତ୍ତର ରହିପାରେ।

1

ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ନିଜ ପାଇଁ ନିଜେ ନିଷ୍ପତ୍ତି ନେଉଛନ୍ତି । ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରୁ ଜୁନ୍‌ ୩୦ ପରେ ହଟିବନି ଲକଡାଉନ୍‌ । ରବିବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହା ସ୍ପଷ୍ଟ କରି ଦେଇଛନ୍ତି। ସାମାନ୍ୟ କିଛି କଟକଣା କୋହଳ ହୋଇପାରେ । ନିହାତି ଆବଶ୍ୟକ ନହେଲେ ଘରୁ ନବାହାରିବାକୁ ନିବେଦନ କରିଛନ୍ତି ଉଦ୍ଧବ । ସେପଟେ ଜୁଲାଇ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ ବଢାଇବା ନିଷ୍ପତ୍ତି ନେଇ ସାରିଛନ୍ତି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ। ଏହି ଦୁଇ ରାଜ୍ୟରେ ଜୁନ୍‌ର କଟକଣା ଜୁଲାଇରେ ବଳବତ୍ତର ରହିବ । ସେପଟେ ନିର୍ଦ୍ଦିଷ୍ଟ ଅଞ୍ଚଳ ଉପରେ ଗୁରୁତ୍ୱ ଦେଇଛନ୍ତି କିଛି ରାଜ୍ୟ ।

44

ସୋମବାରଠାରୁ ଗୌହ୍ଵାଟୀ ସମେତ କାମରୂପ ଜିଲ୍ଲାକୁ ୧୪ ଦିନିଆ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି ଆସାମ୍‌ ସରକାର । ଏହି ସମୟରେ କେବଳ ସ୍ୱାସ୍ଥ୍ୟସେବାକୁ ଛାଡି ଅନ୍ୟ ସବୁ ବନ୍ଦ ରହିବ । ସେହିପରି ଗତ ଶୁକ୍ରବାର ଠାରୁ ଚେନ୍ନାଇ ସମେତ ଏହାର ପାର୍ଶ୍ୱବର୍ତ୍ତୀ କିଛି ଅଞ୍ଚଳକୁ ଜୁନ୍‌ ୩୦ ଯାଏଁ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି ତାମିଲନାଡୁ ସରକାର । ହାଇଦ୍ରାବାଦରେ ଆକ୍ରାନ୍ତ ସଂଖ୍ୟା ବଢିଯିବା ପରେ କିଛି ବ୍ୟବସାୟୀ ଦୋକାନ ବଜାର ବନ୍ଦ କରିବାକୁ ନିଜଆଡ଼ୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ଅନଲକ୍‌ ୨.୦ରେ କରୋନା ମୁକାବିଲା ପାଇଁ ଓଡ଼ିଶା ମଡେଲକୁ କିଛି ରାଜ୍ୟ ଗ୍ରହଣ କରି ପାରନ୍ତି। ଗୌହ୍ଵାଟୀକୁ ଛାଡି ଆସାମର ଅନ୍ୟ ସହର ଗୁଡ଼ିକରେ ସପ୍ତାହାର ଶେଷ ଦିନ ଲକଡାଉନ୍‌ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କର୍ଣ୍ଣାଟକର ୟେଦୁରପ୍ପା ସରକାର ମଧ୍ୟ କିଛି ସହର ପାଇଁ ଅନୁରୂପ ନିଷ୍ପତ୍ତି ନେଇଛନ୍ତି।

55

ଚାଲିଛି ଜୀବନ-ଜୀବିକାର ସଂଘର୍ଷ । ଦୋଛକିରେ ଛିଡ଼ା କରାଇଦେଇଛି ମହାମାରୀ। ଜୀବନ ରହିବ ଆଉ ଜୀବିକା ବି ରହିବ । ଆଗକୁ କି ରଣନୀତି ଆପଣାଇବେ କେନ୍ଦ୍ର ସରକାର? ଦେଶରେ ସଂକ୍ରମଣ ଭୟାନକ ଭାବେ ବ୍ୟାପୁଥିବା ବେଳେ ଆଉ ଦୁଇ ଦିନ ପରେ ଆରମ୍ଭ ହେଉଛି ଅନଲକ୍‌ ୨.୦ । ଏହା ଭିତରେ କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ସେବାକୁ ଜୁଲାଇ ୧୫ ପର୍ଯ୍ୟନ୍ତ ବଢାଇଥିବା ବେଳେ ରେଳ ସେବାକୁ ବାତିଲ କରି ଦେଇଛନ୍ତି। ତେଣୁ କେନ୍ଦ୍ରର ଜୁଲାଇ ନିଷ୍ପତ୍ତି ଉପରେ ନଜର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.