ଷ୍ଟେସନ ମାଷ୍ଟର ଚାକିରି କରାଇ ଦେବ କହି ଲୁଟିନେଲା ୫୧ ଲକ୍ଷ, ଜାରି ରହିଛି ତଦନ୍ତ

ରେଲୱେରେ ଷ୍ଟେସନ ମାଷ୍ଟର ଚାକିରି କରାଇ ଦେବାକୁ କହି ଜଣେ ମହିଳାଙ୍କ ଠାରୁ ଜଣେ ହାଇସ୍କୁଲ ଶିକ୍ଷକ ୫୧ ଲକ୍ଷ ଟଙ୍କା ଠକି ନେଇଥିବା ଯାଜପୁର ଜିଲ୍ଲା ଦଶରଥପୁର ଥାନାରେ ଅଭିଯୋଗ ହୋଇଛି ।

ଦିନକୁ ଦିନ ବଢ଼ିଚାଲିଛି ଠକେଇର ମାମଲା । ଠକମାନେ ଟଙ୍କା ଲୁଟିବା ପାଇଁ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛନ୍ତି । ଆଉ ସୁଯୋଗ ପାଇଲେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ମାରୁଛନ୍ତି । ବର୍ତ୍ତମାନ ଲୋକମାନଙ୍କୁ ଚାକିରି ମିଳୁନି । ତେଣୁ ଚାକିରି ଆଶାୟୀଙ୍କୁ ଠକମାନେ ଟାର୍ଗେଟ କରୁଛନ୍ତି । ଚାକିରି ଲୋଭରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଠକମାନଙ୍କ ଠକାମିର ଶିକାର ହେଉଛନ୍ତି । ଆଉ ଥରେ ଟଙ୍କା ପାଇଲା ପରେ ଛୁ ମାରୁଛନ୍ତି ଠକ । ଯେତେ କଲ୍‌ କଲେ ବି ଫୋନ ଉଠାଉ ନାହାନ୍ତି । ତେବେ ନିକଟରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି । ଯାହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଗୋଟିଏ ସ୍ଥାନରେ ଚାକିରି ନାଁରେ ଠକେଇ ହୋଇଛି ତ ଅନ୍ୟ ଏକ ସ୍ଥାନରେ ଟଙ୍କା ଡବଲ ନାଁରେ ଠକେଇ ହୋଇଛି ।

ରେଲୱେରେ ଷ୍ଟେସନ ମାଷ୍ଟର ଚାକିରି କରାଇ ଦେବାକୁ କହି ଜଣେ ମହିଳାଙ୍କ ଠାରୁ ଜଣେ ହାଇସ୍କୁଲ ଶିକ୍ଷକ ୫୧ ଲକ୍ଷ ଟଙ୍କା ଠକି ନେଇଥିବା ଯାଜପୁର ଜିଲ୍ଲା ଦଶରଥପୁର ଥାନାରେ ଅଭିଯୋଗ ହୋଇଛି । ସମ୍ପୃକ୍ତ ଶିକ୍ଷକଙ୍କୁ ଅଟକ ରଖିଛି ଦଶରଥପୁର ପୋଲିସ । ଅଭିଯୋଗ ମୁତାବକ ଦଶରଥପୁର ଥାନା ଅନ୍ତର୍ଗତ କାଟିଆସ୍ଥିତ କୃଷ୍ଣ ପ୍ରସାଦ ହାଇସ୍କୁଲର କ୍ରୀଡା ଶିକ୍ଷକ ଜ୍ୟୋତି ରଞ୍ଜନ ସାମଲ ଭୁବନେଶ୍ୱର ପଟିଆ ଅଞ୍ଚଳରେ ରହୁଥିବା ଜୈନିକା ମହିଳାଙ୍କୁ ରେଲୱେରେ ଷ୍ଟେସନ ମାଷ୍ଟର ଚାକିରି କରାଇ ଦେବାକୁ କହି ୫୧ ଲକ୍ଷ ଆଣିଥିଲେ । ଟଙ୍କା ଆଣିବାର ଅନେକ ଦିନ ବିତି ଯାଇଥିଲେ ମଧ୍ୟ ମହିଳାଙ୍କୁ ଚାକିରି କରାଇ ଦେବା ତ ଦୂରର କଥା ଆଉ ଧରା ଛୁଆଁ ଦେଇନଥିଲେ ସମ୍ପୃକ୍ତ ଶିକ୍ଷକ । ଯାହାକୁ ନେଇ ମହିଳାଙ୍କ ସ୍ୱାମୀ ରମେଶ ମହାନ୍ତି ସଂପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ଦଶରଥପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ଦଶରଥପୁର ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶିକ୍ଷକଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖଥିବା ଆଇଆଇସି ବଦ୍ରିକାନାଥ ବେହେରାଙ୍କ ଠାରୁ ସୂଚନା ମିଳିଛି ।

ଅନ୍ୟପଟେ ୭ ଦିନରେ ଟଙ୍କା ଡବଲ ହେବ କହି ଜଣେ ବ୍ୟକ୍ତିଙ୍କୁ ଠିକିଛି ଜଣେ ଠକ । ୧ ଲକ୍ଷ ୫୮ ହଜାର ଟଙ୍କା ଠକି ନେଇଥିବା ଜଣେ ସାଇବର ଠକକୁ ମୟୁରଭଞ୍ଜରୁ ଗିରଫ କରିଛି କୋରାପୁଟ ସାଇବର ଥାନା ପୋଲିସ । ସାଇବର ଠକ ଜଗନ୍ନାଥ ବେହେରାକୁ ଗିରଫ କରିବା ସହ ପୋଲିସ ୧ଲକ୍ଷ ୫୮ ହଜାର ଟଙ୍କା ଓ ମୋବାଇଲ ଫୋନ ଜବତ କରିଛି । ଏକ ସପ୍ତାହ ମଧ୍ୟରେ ଟଙ୍କା ଦୁଇଗୁଣ ହେବ କହି ପଟାଙ୍ଗିର ଜଣେ ବ୍ୟକ୍ତିଙ୍କ ଠାରୁ ଉକ୍ତ ଠକ ଲୁଟିଥିଲା । ତେବେ ଠକ ଜଗନ୍ନାଥ ବେହେରାର ଘର ମୟୁରଭଞ୍ଚ ଜିଲ୍ଲାର ରାସଗୋବିନ୍ଦପୁର ଥାନା କାନପୁର ଗ୍ରାମରେ ବୋଲି ସୂଚନା ମିଳିଛି । ଗିରଫ ସାଇବର ଠକ ନାମରେ ଏକାଧିକ ମାମଲା ବିଭିନ୍ନ ଥାନାରେ ରହିଛି । ଏହି ଠକାମିରେ ଅନ୍ୟ କେଉଁମାନଙ୍କର ସମ୍ପୃକ୍ତି ଅଛି ତାହା ଜାଣିବା ପାଇଁ ତଦନ୍ତ ଜାରି ରହିଛି ବୋଲି ଏସଡିପିଓ କହିଛନ୍ତି ।

ଭବିଷ୍ୟତରେ ଟଙ୍କା କାମରେ ଆସିବ ଭାବି ଅନେକ ଲୋକ ନିଜ କଷ୍ଟ ଅର୍ଜିତ ଧନକୁ ବ୍ୟାଙ୍କ ଆକାଉଣ୍ଟରେ ଜମା କରନ୍ତି । । କିନ୍ତୁ ଏହି ଠକମାନେ ଲୋକଙ୍କ ଜମା ପୁଞ୍ଜିକୁ କ୍ଷଣିକରେ ଲୁଟି ନିଅନ୍ତି । ତେଣୁ ଆପଣଙ୍କ ଯଦି କୌଣସି ବ୍ୟକ୍ତି ଏମିତି ଲୋଭ ଦେଖାଉଛି ତେବେ ସତର୍କ ରୁହନ୍ତୁ ଏବଂ ପୋଲିସକୁ ଘଟଣା ସମ୍ପର୍କରେ ଜଣାନ୍ତୁ । ଏଭଳି କରିବା ଦ୍ୱାରା ଆପଣ ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ଠକାମିର ଶିକାର ହେବା ପୂର୍ବରୁ ବଞ୍ଚାଇ ପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.