ଭୁବନେଶ୍ୱର ଉପକଣ୍ଠରେ ନାଗସାପକୁ ବାହା ହୋଇଛନ୍ତି ଜଣେ ମହିଳା

ଯେଉଁଠି ମଣିଷ ସାପକୁ ବାହା ହୁଏ ସେ ଘଟଣାକୁ ଆପଣ କେମିତି ଦେଖିବେ ? ଏହା କୌଣସି ସିନେମା ପରଦାର କାହାଣୀ ନୁହେଁ କି ମନଗଢା କଥା ନୁହେଁ । ନିଚ୍ଛକ ସତ ଘଟଣାଟିଏ l ତାହା ପୁଣି ଆମ ରାଜ୍ୟ ଓଡ଼ିଶାରେ । ଯାହାକୁ ଆମେ ଆମ କ୍ୟାମେରାରେ ସାଉଁଟି ଥିଲୁ । ତାକୁ ଆପଣଙ୍କ ଆଗରେ ରଖୁଛୁ l

ଭୁବନେଶ୍ୱର: ବାହାଘର ଏକ ପବିତ୍ର ବନ୍ଧନ । ପ୍ରକୃତିର ନିୟମ ଏବଂ ମଣିଷ ସମାଜକୁ ଆଗକୁ ନେବାର ଏକ ପ୍ରକ୍ରିୟା ହେଉଛି ବିବାହ । ତେଣୁ ପୁରୁଷ ଓ ମହିଳାଙ୍କ ମଧ୍ୟରେ ହୁଏ ବିବାହ । ଅବଶ୍ୟ ବର୍ତ୍ତମାନର ସମାଜରେ ଏଇ ବିବାହ ନେଇ ଅନେକ ବ୍ୟତିକ୍ରମ ଦେଖା ଯାଉଛି । ତେବେ ସେସବୁକୁ କେଉଁଠି ସ୍ୱୀକୃତି ମିଳୁଛି ତ ଆଉ କେଉଁଠି ବିରୋଧ ହେଉଛି । ଇଏ ଅବଶ୍ୟ ମଣିଷ-ମଣିଷର କଥା । ଯେତେବେଳେ କୌଣସି ମହିଳାଙ୍କର ଗଛ ସହ ବିବାହ ହୁଏ ତା ପଛରେ କିଛି ବିଶ୍ୱାସ ଏବଂ ଭାବଭକ୍ତିର କଥା ଥାଏ ।

ହେଲେ ଯେଉଁଠି ମଣିଷ ସାପକୁ ବାହା ହୁଏ ସେ ଘଟଣାକୁ ଆପଣ କେମିତି ଦେଖିବେ ? ଏହା କୌଣସି ସିନେମା ପରଦାର କାହାଣୀ ନୁହେଁ କି ମନଗଢା କଥା ନୁହେଁ । ନିଚ୍ଛକ ସତ ଘଟଣାଟିଏ l ତାହା ପୁଣି ଆମ ରାଜ୍ୟ ଓଡ଼ିଶାରେ । ଯାହାକୁ ଆମେ ଆମ କ୍ୟାମେରାରେ ସାଉଁଟି ଥିଲୁ । ତାକୁ ଆପଣଙ୍କ ଆଗରେ ରଖୁଛୁ l କିନ୍ତୁ କୌଣସି ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦେବା ଆମର ଉଦ୍ଦେଶ୍ୟ ନୁହେଁ l ଏ କୌଣସି କାହାଣୀ ନୁହେଁ, ସତ ଘଟଣା । ଯାହା କିଛି ବର୍ଷ ତଳେ ହଜାର ଲୋକଙ୍କ ଆଗରେ ଘଟି ଯାଇଥିଲା । ଆଉ ଚହଳ ପକାଇଥିଲା ସାରା ଦେଶରେ । ଏମିତିକି ଜାତୀୟ ଗଣମାଧ୍ୟମଗୁଡ଼ିକ ମଧ୍ୟ ଏହି ଖବରକୁ ପ୍ରକାଶ କରିଥିଲେ । ଏବେ ସେହି ଘଟଣାର ବର୍ତ୍ତମାନ ସ୍ଥିତି ପରିସ୍ଥିତିକୁ ପରଖିବା ପାଇଁ ଆମେ ପହଞ୍ଚି ଥିଲୁ ଗ୍ରାଉଣ୍ଡ ଜ଼ିରୋରେ l ଆପଣ ମାନଙ୍କ ସମ୍ମୁଖରେ ଏହି ଘଟଣାର ତଥ୍ୟ ରଖିବା ଅର୍ଥ କୌଣସି ପ୍ରକାର ଭୁଲ ବାଟରେ ସମାଜର ଲୋକଙ୍କୁ ପରିଚାଳିତ କରିବା ନୁହେଁ l ବରଂ ମଣିଷ ଭିତରେ ବଂଚିଥିବା ଆଉ ଜଣେ ମଣିଷ ଅନ୍ୟ ଦୁନିଆରେ ବଞ୍ଚିବାକୁ ଚାହୁଁ ଥିବା ଚିନ୍ତାଶୀଳ ମଣିଷର କଥାକୁ କେବଳ ଏଇଠି ଉପସ୍ଥାପନା କରୁଛୁ l  ଆଶ୍ଚର୍ଯ୍ୟ କଲା ଭଳି କଥା ହେଉଛି ଦର୍ଶକ ବନ୍ଧୁ ଆଜିକୁ ଦୀର୍ଘ ବର୍ଷ ତଳେ କଥା l ଭୁବନେଶ୍ୱର ଉପକଣ୍ଠରେ ଅଟଳା ନାମରେ ଗାଁଟିଏ l ସେହି ଗାଁରେ ରହୁଛନ୍ତି ବିମଳା ନାମକ ଜଣେ ମହିଳା ।

ସମୟ କ୍ରମେ ଯୁବତୀ ଜଣଙ୍କ ହଠାତ ସମାଜର ନିୟମ ବିରୋଧ ଏବଂ ସମସ୍ତଙ୍କୁ ଚିନ୍ତିତ କଲା ଭଳି ଭୁଲ କରି ବସିଲେ l ଯାହା ସମସ୍ତେ ଭୁଲ ବୋଲି ଭାବୁଥିଲେ ତାହା ବିମଳାଙ୍କ ପାଇଁ ଠିକ ଥିଲା ବୋଲି ସେ କୁହନ୍ତି l ବିମଳା କଣ କଲେ ଆପଣମାନେ ଜାଣିଛନ୍ତି ଶୁଣିଲେ ପାଦତଳୁ ମାଟି ଖସି ଯିବ l ସେତେବେଳେ ଜଣେ କୋମଳମତି ଯୁବତୀ ଥିଲେ ସେ । ଗୋଟିଏ ନାଗସାପକୁ ଭଲ ପାଇ ବସିଲେ l ସେହି ଭୟଙ୍କର ବିଷଧରକୁ ବିବାହ କରିବାକୁ ବାପାମାଆଙ୍କ ନିକଟରେ ଜିଦ କରି ବସିଥିଲେ l ବିମଳା କୁହନ୍ତି ସେ କୁଆଡେ ସବୁବେଳେ ନାଗସାପକୁ କ୍ଷୀର ଦିଅନ୍ତି ପିଇବା ପାଇଁ l ନାଗ ସାପ ଆସେ ଏବଂ କ୍ଷୀର ପିଇ ଚାଲିଯାଏ l ତେବେ ବାହାଘର କଥା ଯେତେବେଳେ ବିମଳାଙ୍କ ମନକୁ ଆସିଲା ଘର ଲୋକ ବିରକ୍ତି ପ୍ରକାଶ କଲେ l ଏକଥା ଚାରିଆଡେ ପ୍ରଘଟ ହେଲା l ବାହାଘର ପାଇଁ ଘର ଲୋକ ବାରଣ କଲେ କିନ୍ତୁ ଯୁବତୀ ଜଣଙ୍କ ମାନି ନଥିଲେ । ଶେଷରେ ହଜାର ହଜାର ଲୋକଙ୍କ ସମ୍ମୁଖରେ ବାହାଘର ହେଲା । ଠିକ୍‌ ଯେମିତି ସାଧାରଣ ବିବାହ ହୁଏ । ବାଜା ରୋଷଣୀ କରି ବର କନ୍ୟା ହୋଇ ବିବାହ ହୋଇଥିଲା l କିନ୍ତୁ ବର ସ୍ଥାନରେ ବସିଥିଲା ଗୋଟିଏ ନାଗସାପ ପିତୁଳା । ତାକୁ ରଖା ଯାଇ ବିବାହର ସବୁ କାର୍ଯ୍ୟ ସମ୍ପନ୍ନ ହେଲା l ଭୋଜି ଭାତର ଆୟୋଜନ ମଧ୍ୟ କରାଗଲା ବୋଲି ଗ୍ରାମବାସୀ ଓ ପରିବାର ଲୋକେ କୁହନ୍ତି l

ଏ ଘଟଣା ଘଟିଥିଲା ୨୦୦୬ ମସିହାରେ । ଯାହା କି ସେହି ସମୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା l ତେବେ ଏତେ ଦିନ ପରେ ଲୋକଙ୍କ ମନରୁ ଲିଭି ନଥିଲା ସେହି ନାଗସାପ ସହିତ ବିବାହ କରିଥିବା ଘଟଣା l ତେଣୁ ବିମଳା ଦୀର୍ଘ ବର୍ଷ ପରେ କେମିତି ଅଛନ୍ତି ଆଉ ସାପ ସହିତ ଅଛନ୍ତି କି ନାହାନ୍ତି, ପ୍ରକୃତ ସେ କଥା କେତେ ସତ ପରଖିବା ପାଇଁ ପହଞ୍ଚିଥିଲୁ ଭୁବନେଶ୍ୱର ଉପକଣ୍ଠ ଅଟଳା ଗାଁରେ l ଆମ କ୍ୟାମେରାରେ କଏଦ କରିଥିବା ଦୃଶ୍ୟ ଦେଖିଲେ ଆପଣ ସହଜରେ ଅବଗତ ହୋଇ ଯିବେ ଘଟଣା ବିଷୟରେ । ବିମଳାଙ୍କ ଘର ସାମନାରେ ଥିବା ଗଛ ମୂଳରେ ରହିଛି ଏକ ଉଈ ହୁଙ୍କା ଯେଉଁଠି ବସି ବିବାହ କରିଥିଲେ ବିମଳା ନାଗସାପ ପିତୁଳାକୁ l ବିରାଟ ଉଈ ହୁଙ୍କା l ତା ମୂଳରେ ଗୋଟିଏ ଛୋଟିଆ ଟୁଙ୍ଗି ଘର l ସେହି ଘର ଭିତରେ ଶିବ ପାର୍ବତୀଙ୍କ ସହିତ ବିଭିନ୍ନ ଦେବାଦେବୀ ଏବଂ ନାଗସାପ ପିତୁଳାଟି ରହିଛି l ଯେଉଁ ପିତୁଳା ସହିତ ବିମଳାଙ୍କର ବିବାହ ହୋଇଥିଲା l ଆଧ୍ୟାତ୍ମିକ ବାସ୍ନାରେ ସେ ଅଞ୍ଚଳ ଭରିଯାଉଛି l ସେଇଠୁ ଅଳ୍ପ ଦୂରରେ ରହିଛି ବୃଷଭଙ୍କ ବିଗ୍ରହ l ସେହି ଅଂଚଳରେ ଏପାଖ ସେପାଖ ବୁଲୁଥାନ୍ତି ବିମଳା l ପାଖରେ ଥାନ୍ତି ପରିବାର ଲୋକେ l ସବୁଠୁ ବଡ଼ କଥା ହେଉଛି ବିମଳଙ୍କୁ ଯିଏ ବିବାହ କରାଇଥିଲେ ସେହି ବୁଢ଼ୀ ମାଉସୀ ମଧ୍ୟ ଉପସ୍ଥିତ ଥିଲେ । ଏହି ମାଉସୀ ଜଣକ ବିଷୟରେ ବି ଟିକେ ଜାଣନ୍ତୁ ଦର୍ଶକ ବନ୍ଧୁ । ଯିଏକି ଭିକ ମାଗି ତିନିଟି ମନ୍ଦିର ଗଢ଼ିଥିଲେ । ସେମାନଙ୍କ ମୁହଁରୁ ଶୁଣିଲୁ ସବୁ କଥା । ବିମଳା ମଧ୍ୟ ନାଗ ସାପକୁ କାହିଁକି ଓ କେମିତି ବାହା ହେଲେ ସବୁ କିଛି ଗୋଟି ଗୋଟି କରି ବଖାଣିଲେ l

ସବୁଠୁ ଆଶ୍ଚର୍ଯ୍ୟ ଓ ଅଦଭୁତ ର କଥା ହେଉଛି, ବାହାଘର ବେଳେ ହୁଙ୍କା ଚାରିପାଖରେ ଗୁଡ଼ାଇ ହୋଇଥିବା ଧୋତି ଏବେ ମଧ୍ୟ ସେମିତି ଅଛି l ହୁଙ୍କା ଚାରିପାଖରେ ଆଉ ଅନେକ ଧୋତି ଗୁଡେଇ ହୋଇଛି l ଏବଂ ହୁଙ୍କା ଭିତରେ ଥିବା ବେଲ ବୃକ୍ଷଟି ମଉଳି ଝାଉଁଳି ପଡ଼ିଛି । ସେଠିକାର ପରିବେଶ ଘଞ୍ଚ ଗଛ ବୃକ୍ଷ ଭିତରେ । ନିକଟରେ ଛୋଟ ଘରଟିଏ ଭିତରେ ବିମଳା ରହୁଥାନ୍ତି l ପ୍ରଥମେ ସେ କେମିତି ଏକ ବିକଟାଳ ଶବ୍ଦରେ ଆମକୁ ଚମକାଇ ଦେଲେ l ସାଧାରଣ ମଣିଷ ଭଳି ବିମଳାଙ୍କ ଆଚରଣ ଜଣା ପଡୁନଥିଲା l ତଥାପି ସେ ଦୀର୍ଘ ୧୬ ବର୍ଷ ଧରି ନାଗସାପ ସହିତ ବିବାହ କରି ରହିଛନ୍ତି l ଆଗକୁ ସେସ୍ଥାନରେ ଗୋଟିଏ ମନ୍ଦିର ଗଢିବା ପାଇଁ ମନସ୍ଥ କରିଛନ୍ତି l

ତେବେ ଏହା ଏକ ମାନସିକତା ନା ତାଙ୍କ ଭାବନା ସହ ଘଟଣାର କିଛି ସତ୍ୟତା ରହିଛି କେବଳ ସେହି ବିମଳା ହିଁ କହି ପାରିବେ । ତଥାପି ଗୋଟିଏ ନାଗସାପକୁ ବାହା ହୋଇ ବର୍ଷ ବର୍ଷ ଧରି ଏଭଳି ଭାବେ ରହିବା ଏକ ବଡ଼ ବିସ୍ମୟ କହିଲେ ଭୁଲ ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.