ଆଜି “ବିଶ୍ୱ ସାଇକେଲ ଦିବସ”, ଦରିଦ୍ରଙ୍କ ଠାରୁ ଆରମ୍ଭ କରି ଧନୀଙ୍କ ଯାଏଁ ସମସ୍ତଙ୍କ ପସନ୍ଦ

ବଦିଳିଛି ସମୟ,ବଦଳିଛି ଲୋକମାନଙ୍କର ଗମନାଗମନର ସାଧନ । ପ୍ରଥମେ ପାଦରେ ଚାଲୁଥିବା ମଣିଷ ପରେ ଶଗଡ଼, ଘୋଡ଼ାଗାଡି, ଚାରିଚକିଆ ଯାନ, ରେଳ ଗାଡି ପରେ ଏବେ ବିମାନରେ ଯାତ୍ରା କରୁଛି । ହେଲେ ଏସବୁ ସାଧନ ମଧ୍ୟରେ ଅତି ଲୋକପ୍ରିୟ ହୋଇଛି ସାଇକେଲ । ପ୍ରତିଦିନ ନୂତନ ଜ୍ଞାନ କୌଶଳର ଉଦ୍ଭାବନ ଯୋଗୁଁ ଆମ ସମାଜ ଆଗକୁ ଆଗକୁ ବଢିଚାଲିଛି । ମାତ୍ର ଏହା ମଧ୍ୟ ସତ ଯେ, ଅଗ୍ରଗତି କରିବା ସହ ଆମେ ଅଧିକ ବିଳାଶମୟ ଜୀବନର ଅଭ୍ୟସ୍ତ ହୋଇପଡ଼ିଛେ । ସାଇକେଲ କେବଳ ବ୍ୟକ୍ତିର ପରିବହନ ସାଧନ ନୁହେଁ ବରଂ ଉତ୍ତମ ସ୍ବାସ୍ଥ୍ୟର ସାଥୀ ମଧ୍ୟ ହୋଇଥାଏ । ଯଦି ପରିବେଶକୁ ପ୍ରଦୂଷଣମୁକ୍ତ ରଖିବାକୁ ଚାହୁଁଛନ୍ତି ଏବଂ ସ୍ବଚ୍ଛବାୟୁରେ ନିଃଶ୍ବାସ ପ୍ରଶ୍ବାସ ନେବାକୁ ଚାହୁଁଛନ୍ତି ତେବେ ସାଇକେଲର ପ୍ରଚଳନ ପୁଣି ଆରମ୍ଭ କରିବାକୁ ପଡ଼ିବ। ଆଜି ହେଉଛି ବିଶ୍ଵ ସାଇକେଲ ଦିବସ । ସାଇକେଲର ବ୍ୟବହାରକୁ ବହୁଳ ଭାବେ ବଢାଇବା ପାଇଁ ଜୁନ ୩ ତାରିଖକୁ ବିଶ୍ୱ ସାଇକେଲ ଦିବସ ଭାବରେ ଘୋଷଣା କରିଛି “ମିଳିତ ଜାତିସଂଘ” ।

cycle

ସମୟ ଗଡିବା ସହିତ ବିଭିନ୍ନ ସ୍ଥାନରେ ସାଇକେଲ କ୍ଳବ, ସାଇକେଲ ରେସିଂ ଓ ଟୁରିଂର ଆୟୋଜନ କରାଗଲା, ଯାହା ସାଇକେଲକୁ ଅଧିକ ଲୋକପ୍ରିୟ କରୁଛି । ସମୟ ସହ ତାଳ ଦେଇ ସାଇକେଲରେ ଅନେକ ପରିବର୍ତ୍ତନ ଆସିଛି । ରେସିଂ ସାଇକେଲର ସ୍ପିଡ୍ କୌଣସି ଇନ୍ଧନ ଚାଳିତ ଗାଡିଠାରୁ କମ୍ ନୁହେଁ । ଆଜି ଭଳି ଦିନରେ ସାଇକେଲ ଏକ ଫ୍ୟାସନରେ ପରିଣତ ହୋଇଛି ।। ଦିନ ଥିଲା ସାଇକେଲ ଗରୀବର ଲୋକର ବନ୍ଧୁଥିଲା କିନ୍ତୁ ଏବେ ଏହା ବଡଲୋକର ଯାନ ପାଲଟିଛି । ଆଗ ଅପେକ୍ଷା ଅନେକ ଭିନ୍ନ ଭିନ୍ନ ଵ୍ରାଣ୍ଡର ସାଇକେଲ ଏବେ ହାତ ପାହାନ୍ତାରେ ମିଳୁଛି ।

ଦିନ ଥିଲା ରାଲେ, ଆଟଲାସ ଏବଂ ହିରୋ ପରି କିଛି କମ୍ପାନୀ ନିଜ ସାଇକେଲ ବ୍ରାଣ୍ଡ ଭାବେ ଲୋକ ମାନଙ୍କ ମଧ୍ୟରେ ଛାପ ସୃଷ୍ଟି କରିଥିଲେ । କିନ୍ତୁ ଏବେ ବିଶ୍ୱର ନାମୀ ଦାମୀ କମ୍ପାନୀର ସାଇକେଲ ଏବେ ହାତ ପାହନ୍ତରେ ମିଳି ପାରୁଛି । ସାଇକେଲର ମୂଲ୍ୟ ଅତିକମ୍ ରେ ପାଞ୍ଚ ହଜାରରୁ ଆରମ୍ଭ କରି ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ବଜାରରେ ବିକ୍ରୀ ହେଉଛି ।ବ୍ୟବସାୟ କ୍ଷେତ୍ରରେ ସାଇକେଲ ଏକ ନୂତନ ଦିଗନ୍ତ ସାଜିଛି ।  ଯୁବ ପୀଢ଼ି ମାନଙ୍କ ମଧ୍ୟରେ ସାଇକେଲ ଏକ ନୂତନ ଉନ୍ମାଦନା ସୃଷ୍ଟି କରିଛି ।ସୁସ୍ଥ ରହିବା ଏବଂ ପରିବେଶକୁ ପ୍ରଦ୍ୟୁଷଣରୁ ମୁକ୍ତ ରଖିବା ପାଇଁ ସାଇକେଲ ଚଳେଇବା ଏକ ଅଭ୍ୟାସରେ ପଡିଗଲାଣି ।

cycle  କଣ ଏହି ସାଇକେଲର ଇତିହାସ:

ସାଇକେଲ କଥା ଭାବିଲେ ଏହାର ଜନ୍ମ କଥା ମନେପଡେ । ସାଇକେଲର ଜନ୍ମ ଖୁବ୍ କୌତୁହଳପ୍ରଦ ଅଟେ । ସାଇକଲକୁ ଓଡ଼ିଆରେ ଆଗରୁ “ଶୁନଗାଡ଼ି” କୁହାଯାଉଥିଲା । ଏବେ ଏହି ଶବ୍ଦ ପ୍ରାୟତଃ ମୃତ । ପ୍ରସିଦ୍ଧ ଲେଖକ ମନୋଜ ଦାସ ତାଙ୍କ ଅନେକ ଲେଖାରେ ସାଇକେଲକୁ “ଦ୍ୱିଚକ୍ର” ଯାନ ଶବ୍ଦ ଭାବେ ବ୍ୟବହାର କରିଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହି ସାଇକେଲଟି ଯେତେବେଳେ ନିର୍ମାଣ ହେଲା ତାହା ଦେଖିବାକୁ ବର୍ତ୍ତମାନର ଏକ ସ୍କେଟବୋର୍ଡ଼ ପରି ଥିଲା । ୧୭୯୧ରେ ଫ୍ରାନ୍ସର ନାଗରିକ କୋମେଟ ମେଡେ ଡି ସିଭରାକ୍ ନିର୍ମାଣ କରିଥିଲେ ଏକ ଭିନ୍ନ ଧରଣର ସାଇକେଲ, ଏହାର ସିଟ୍ ବହୁତ ଉଚ୍ଚରେ ରହୁଥିଲା । ଏଥିରେ ପେଡ଼ାଲ ନଥିଲା ଏହାକୁ ଲୋକମାନେ ନିଜଗୋଡରେ ଠେଲିଠେଲି ଚଳାଉଥିଲେ । ପ୍ରାୟ ୧୮୧୭ ମସିହା ବେଳକୁ ଜର୍ମାନୀର ବେରୋନ କାର୍ଲବାନ୍ ଡ୍ରେସ୍ ହ୍ୟାଣ୍ଡେଲ ରହିଥିବା ଏକ ସାଇକେଲ ନିର୍ମାଣ କରିଥିଲେ । ଏହାର ନାମ ଥିଲା “ଡ୍ରେସିନେ” ।

ଦୁଇଟି ସମାନ ଆକାରର କାଠ ଚକା, ବସିବା ପାଇଁ ଏକ ସିଟ ସହିତ ହ୍ୟାଣ୍ଡେଲ ରହିଥିଲା । ଗୋଡ଼ରେ ଠେଲି ଠେଲି ଚଳାଯାଉଥିବା ଏହି ସାଇକେଲଟି ସମ୍ପୁର୍ଣ୍ଣ ଭାବେ କାଠରେ ତିଆରି ହୋଇଥିବାରୁ ଲୋକମାନେ ‘କାଠଘୋଡା’ ବୋଲି କହୁଥିଲେ । ୧୮୧୮ରେ ପ୍ୟାରିସରେ ଆୟୋଜିତ ଏକ ପ୍ରଦର୍ଶନୀରେ ଲୋକମାନେ ଏହି ଅଦ୍ଭୁତ ସାଇକେଲକୁ ପ୍ରଥମଥର ଲାଗି ଦେଖିଥିଲେ, କିନ୍ତୁ ଏହା ଲୋକପ୍ରିୟତା ଅର୍ଜନ କରିପାରି ନଥିଲା । ୧୮୩୯ରେ ସାଇକେଲ ନିର୍ମାଣରେ ବହୁତ ପରିବର୍ତ୍ତନ ଆସିଥିଲା, କାରଣ ସ୍କଟଲାଣ୍ଡର ଜଣେ ଲୁହାର ସାଇକେଲର ଆଗ ଚକାରେ ଏକ ପେଡାଲ ଲଗାଇଥିଲେ । କ୍ରିକପ୍ୟାଟ୍ରିକ ମ୍ୟାକମିଲାନ ସାଇକେଲର ଆଗ ଚକାରେ ଏକ ପେଡାଲ ଲଗାଇ ପାହାଡ଼ ଚଢିପାରୁଥିଲେ । ଏହା ସେତେବେଳେ ପରିବହନ କ୍ଷେତ୍ରରେ ବ୍ୟବହୃତ କରାଯାଉଥିଲା । କିନ୍ତୁ ଏଥିରେ ବ୍ରେକ୍ ନଥିବାରୁ ଗଡାଣିଆ ସ୍ଥାନରେ ରୋକିବା ଅତ୍ୟନ୍ତ କଷ୍ଟକର ହେଉଥିଲା ।

cycle

ଏହି ସାଇକେଲକୁ ‘ଫାଷ୍ଟ ଫୁଟ’ ବୋଲି କୁହାଯାଉଥିଲା । ୧୮୪୫ରେ ଫ୍ରାନ୍ସର ନିକୋଲସ ସାଇକେଲର ବ୍ରେକ ଲଗାଇବା ସହ ଚକାଗୁଡିକୁ ଲୁହାରେ ନିର୍ମାଣ କରିଥିଲେ । ଏହି ସାଇକେଲଟି ଚାଲିବା ବେଳେ ମାତ୍ରାଧିକ ଶବ୍ଦ କରୁଥିଲା, ତେଣୁ ଲୋକମାନେ ଏହାକୁ ‘ବୋନ ସେକର’ ବୋଲି କହୁଥିଲେ । ଏହାପରେ ୧୮୬୫ରେ ପରବର୍ତ୍ତୀ ବିକଶିତ ସାଇକେଲ ନିର୍ମିତ ହୋଇଥିଲା । ଏଥିରେ ସାଇକେଲର ଆଗ ଚକରେ ସିଧାସଳଖ ଭାବେ ପେଡାଲ ଲଗାଯାଇଥିଲା । ୧୮୭୦ରେ ପ୍ରଥମ ମେଟାଲ ସାଇକେଲ ଆବିଷ୍କୃତ ହୋଇଥିଲା । ଏଥିରେ ମଧ୍ୟ ପେଡାଲ ଆଗ ଚକରେ ଲାଗିଥିଲା । କିନ୍ତୁ ଏଥିରେ ବଡ ଧରଣର କେତେକ ପରିବର୍ତ୍ତନ କରାଯାଇଥିଲା । ସାଇକେଲର ଆଗ ଚକଟି ପଛ ଚକ ଅପେକ୍ଷା ଅଧିକ ବଡ ଥିଲା, କିନ୍ତୁ ଏହା ମନକୁ ମନ ବୁଲି ପାରୁନଥିଲା । ନିର୍ମାତାମାନଙ୍କର ଚିନ୍ତାଧାରା ଏହା ଥିଲା ଯେ, ସାଇକେଲର ଆଗଚକ ବଡ ରହିଲେ ଅଳ୍ପ ପରିଶ୍ରମରେ ଅଧିକ ଦୂର ଯାତ୍ରା କରିହେବ । ଚକାଗୁଡିକରେ ରବର ଓ ସ୍ପୋକ ବ୍ୟବହାର କରାଯାଇଥିଲା ଫଳରେ ଏହା ପୂର୍ବପରି ଅଧିକ ଶବ୍ଦ କରୁନଥିଲା ।

cycle

ବିଭିନ୍ନ ନିର୍ମାତାମାନେ ସାଇକେଲକୁ ବିକଶିତ କରିବାକୁ ଯାଇ ଏହାର ଆଗ ଚକାକୁ ପ୍ରାୟ ୧.୫ମିଟର ପର୍ଯ୍ୟନ୍ତ ଉଚ୍ଚ କରିଥିଲେ । ୧୮୬୯ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଏହାର ଭିନ୍ନ ଭିନ୍ନ ନାମ ରହିଥିଲା । ଏହାପରେ ଲୋକମାନେ ଏହି ଗାଡିକୁ ବାଇସାଇକେଲ (ଦୁଇ ଚକିଆ ଯାନ) କହିବା ଆରମ୍ଭ କଲେ । ୧୮୬୯ରେ ପେନ୍ନୀ-ଫାରଥିଙ୍ଗ ବା ଉଚ୍ଚ ଚକା ଯାନ ନିର୍ମିତ ହୋଇଥିଲା । ବଡ଼ ଚକା ଫଳରେ ଏହା ଅଳ୍ପ ପରିଶ୍ରମରେ ଅଧିକ ବାଟ ଯାଉଥିଲା, କିନ୍ତୁ ଏଥିରେ ଅତ୍ୟଧିକ ଦୁର୍ଘଟଣା ମଧ୍ୟ ଘଟୁଥିଲା । ଆଗ ଚକର ଉଚ୍ଚତା ୧.୫ମିଟର ହୋଇଥିବା କାରଣରୁ ଯଦି ଆଗ ଚକା ହଠାତ୍ ବନ୍ଦ ହୋଇଗଲା ତେବେ ଚାଳକଙ୍କ ଗୋଡ ତଳକୁ ନ ପାଇବା କାରଣରୁ ଅଧିକାଂଶ ସମୟରେ ସେ ଆଗକୁ ପଡ଼ିଯାଉଥିଲା । ୧୮୮୦ ମସିହାର ମଧ୍ୟ ଭାଗରେ ବ୍ରିଟିଶ୍ ସାଇକେଲ ନିର୍ମାତା ଜେମ୍ସ ଷ୍ଟେରଲୀ ଏକ ସାଇକେଲ ବିକଶିତ କରିଥିଲେ, ଯାହାର ନାମ ସେ ଦେଇଥିଲେ ‘ସୁରକ୍ଷିତ ବାଇସାଇକେଲ’ ।

cycle

ଅତ୍ୟାଧୁନିକ ସାଇକେଲ ପରି ଏହାର ଆଗ ଓ ପଛ ଚକା ସମାନ ଆକାରର ହୋଇଥିବା ବେଳେ ଦୁଇଚକର ମଝିରେ ରହିଥିଲା ପେଡାଲ ଏବଂ ନୂତନ କରି ବାହାରିଥିବା ଚେନ ଓ ସ୍ପକେଟ ଏହାର ପଛଚକାକୁ ଟାଣୁଥିଲା । ଏହି ସାଇକେଲଟି ଅନ୍ୟ ସାଇକେଲ ତୁଳନାରେ ଖୁବ୍ ହାଲକା ଥିଲା ଏବଂ ଜଣେ ଲୋକ ଏହାକୁ ଆରାମରେ ଅଳ୍ପ ବଳ ଖଟାଇ ଚଳାଇ ପାରୁଥିଲା । ସେ ପର୍ଯ୍ୟନ୍ତ ସାଇକେଲର ଚକାରେ କେବଳ ରବର ଲଗାଯାଉଥିଲା । ଏହା ବ୍ୟତୀତ ସାଇକେଲଟି ଅଧିକ ଲମ୍ବା ନଥିବା ଓ ସ୍ପୋକ ବିହୀନ ହୋଇଥିବା କାରଣରୁ ଫାରଥିଙ୍ଗ ସାଇକେଲ ତୁଳନାରେ ଏହାକୁ ଚଳାଇବା ଅଧିକ କଷ୍ଟକର ଥିଲା । ଜଣେ ଇରିସ ନାଗରିକ ଡୁନଲୋପ ପ୍ରଥମେ ବାୟୁଚାଳିତ ଟାୟାର ଏହି ସାଇକେଲରେ ଲଗାଇଥିଲେ । ସେ ନିଜ ପୁତ୍ରକୁ ଏକ ଆରାମଦାୟକ ସାଇକେଲ ପ୍ରଦାନ କରିବାକୁ ଯାଇ ଏପରି କରିଥିଲେ । ଏହାପରେ ପଛଚକାକୁ

ଏପଟସେପଟ ବୁଲିବା ପରି ବିକଶିତ କରାଯିବା ପରେ ଚାଳକମାନେ ବିପଦମୁକ୍ତ ସାଇକେଲ ଚାଳନା କରିବାର ଅନୁଭବ ହାସଲ କରିଥିଲେ । ୧୮୯୦ମସିହା ପରବର୍ତ୍ତୀ ସମୟରେ ବ୍ରେକ, ଗିୟର, ହାତରେ ନିୟନ୍ତ୍ରଣ କରିବା ଲାଗି ବ୍ରେକ କେବୁଲ ଆଦି ନିର୍ମିତ ହୋଇଥିଲା । ସାଇକେଲରେ ଏତେସବୁ ପରିବର୍ତ୍ତନ ହୋଇ ବି ଲୋକମାନଙ୍କ ନିକଟରେ ଏହା ବିଶେଷ ଆଦୃତ ହୋଇପାରିନଥିଲା । ଧୀରେ ଧୀରେ ସାଇକେଲ ସମାଜରେ ଦ୍ରୁତ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଥିଲା । ଭାରତରେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ସାଇକେଲର ବ୍ୟବହାର ଅଧିକ ବୃଦ୍ଧି ପାଇଥିଲା । ପରିବହନ କ୍ଷେତ୍ରରେ ସାଇକେଲ ହିଁ ଥିଲା ଏକମାତ୍ର ବାହନ । କିନ୍ତୁ ଏହା ବର୍ତ୍ତମାନ ପାଲଟି ଯାଇଛି ଯୁବପିଢିଙ୍କ ମଧ୍ୟରେ ଏକ ଫ୍ୟାସନ ।

ସତ୍ୟଜିତ ମହାନ୍ତି (କେ ନ୍ୟୁଜ ଓଡିଶା)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.