ଜେଜେର ଦଶତୁଠରେ ଚାଲିଗଲା ୨୨ ବର୍ଷର ନାତିର ଜୀବନ

ଜେଜେଙ୍କର ଶୁଦ୍ଧିକ୍ରିୟା । ଆଜି ଥିଲା ଦଶକର୍ମ । ନାତି ଆସିଥିଲା ଜେଜେଙ୍କୁ ଶୁଦ୍ଧି ହେବ ବୋଲି । କିନ୍ତୁ ଜେଜେର ଦଶତୁଠରେ ନାତି ସହ ଏଭଳି କିଛି ଘଟିଯିବ ସେକଥା ପରିବାର ଲୋକେ କେବେ ବି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ । ପୂରା ପରିବାର ଦଶାହ କର୍ମ ପାଇଁ ତୁଠକୁ ଯାଇଥିଲେ ।

କଟକ : ଜେଜେଙ୍କର ଶୁଦ୍ଧିକ୍ରିୟା । ଆଜି ଥିଲା ଦଶକର୍ମ । ନାତି ଆସିଥିଲା ଜେଜେଙ୍କୁ ଶୁଦ୍ଧି ହେବ ବୋଲି । କିନ୍ତୁ ଜେଜେର ଦଶତୁଠରେ ନାତି ସହ ଏଭଳି କିଛି ଘଟିଯିବ ସେକଥା ପରିବାର ଲୋକେ କେବେ ବି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ । ପୂରା ପରିବାର ଦଶାହ କର୍ମ ପାଇଁ ତୁଠକୁ ଯାଇଥିଲେ । ସମସ୍ତେ ଶୁଦ୍ଧି କାର୍ଯ୍ୟରେ ବ୍ୟସ୍ତ ଥିଲେ । ଠିକ୍ ଏହି ସମୟରେ ଶୁଭିଥିଲା ଚିତ୍କାର । ଆଖି ସାମ୍ନାରେ ନଦୀ ପାଣିରେ ଗାଧୋଉ ଥିବା ବେଳେ ବୁଡ଼ିଗଲା ନାତି ରୂପକ ।ଏମିତି ଏକ ଅଘଟଣ ଘଟିଛି କଟକ ତୁଳସୀପୁର ଠାରେ ଥିବା ହାତୀ ଗଡା ତୁଠରେ ।

୨୨ ବର୍ଷର ଭେଣ୍ଡିଆ ପୁଅଟା ସମସ୍ତଙ୍କ ଆଖି ଆଗରେ ଚାଲିଗଲା । ମୃତ ଯୁବକ ଜଣଙ୍କ ହେଲେ ରୂପକ ବାନାର୍ଜୀ । ରୂପକ ବିଟେକ ପାଠ ପଢ଼ୁଥିଲେ । ଜେଜେଙ୍କ ଶୁଦ୍ଧିକ୍ରିୟା ଥିବାରୁ ନାତି ଭାବରେ ଶୁଦ୍ଧି ହେବା ପାଇଁ ଘରକୁ ଆସିଥିଲା । ତେବେ ପାଣିକୁ ଡେଇଁ ଗାଧୋଇବା ହେଲା କାଳ । ଜେଜେଙ୍କ ଶୁଦ୍ଧିକ୍ରିୟା ସମୟରେ ହିଁ ମହାନଦୀରେ ବୁଡି ଚାଲିଗଲା ନାତିର ଜୀବନ ।

କଟକ ତୁଳସୀପୁର ମହାନଦୀର ହାତିଗଡା ନିକଟରେ ଜେଜେଙ୍କ ଶୁଦ୍ଧିକ୍ରିୟା ଚାଲିଥିବା ସମୟରେ ନଦୀକୁ ଗାଧେଇବାକୁ ଯାଇଥିଲେ ରୂପକ । ସିଡିଏ ସେକ୍ଟର ୬ ଅଞ୍ଚଳର ଯୁବକ ରୂପକ ବାନାର୍ଜୀଙ୍କ ପାଇଁ ନଦୀରେ ଯେମିତି ଜଗି ବସିଥିଲା କାଳ । ମହାନଦୀର ଗଭୀର ପାଣିରେ ବୁଡ଼ିଗଲେ । ତୁରନ୍ତ ଖବର ପାଇ ଅଗ୍ନିଶମ ଟିମ୍ ପହଞ୍ଚିଗଲେ । ଘଣ୍ଟାଏ କାଳ ଖୋଜାଖୋଜି କରିବା ପରେ ରୂପକଙ୍କୁ ମହାନଦୀରୁ ଉଦ୍ଧାର କରିଥିଲେ। ଏହା ପରେ ତୁରନ୍ତ ତାଙ୍କୁ ଏସସିବି ମେଡିକାଲ ନିଆ ଯାଇଥିଲା। ତେବେ ଡାକ୍ତର ରୂପକକୁ ପରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ।

ଯେତେବେଳେ ରୂପକ ବୁଡି ଯାଇଥିଲେ ସେହି ସମୟରେ କିଛି ସ୍ଥାନୀୟ ଲୋକେ ମଧ୍ୟ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ସେଠାରେ ମହାନଦୀର ଅଧିକ ଗଭୀର ଥିବାରୁ ଉଦ୍ଧାର କରିବା ସମ୍ଭବ ହୋଇନଥିଲା ବୋଲି କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ ।ଅନ୍ୟପଟେ ଏହି ତୁଠ ମାନଙ୍କରେ ବାରମ୍ବାର ଅଘଟଣ ଘଟୁଥିଲେ ମଧ୍ୟ କୌଣସି ସତର୍କତା ଫଳକ ଲଗା ଯାଇନାହିଁ । ତେଣୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.