ଜୁଲାଇ ୨୮ରୁ ଚେନ୍ନାଇରେ ଅନୁଷ୍ଠିତ ହେବ ଚେସ୍ ଅଲିମ୍ପିଆଡ୍, ସର୍ବୋଚ୍ଚ କମିଟିରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ସାମନ୍ତ ସଦସ୍ୟ

କେନ୍ୟୁଜ୍(ବ୍ୟୁରୋ): ଜୁଲାଇ ୨୮ରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚେନ୍ନାଇରେ ଅନୁଷ୍ଠିତ ହେବାକୁ ଯାଉଛି ୪୪ ତମ ଚେସ୍ ଅଲିମ୍ପିଆଡ୍ । ଚେସ୍ ଅଲିମ୍ପିଆଡ୍ ଇତିହାସରେ ପ୍ରଥମ ଥର ଲାଗି ଏହି ଚେସ୍ ଅଲିମ୍ପିଆଡ୍ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଚେସ୍ ଅଲିମ୍ପିଆଡ଼ ଅବ୍ୟବହିତ ପୂର୍ବରୁ ଅଲ୍ ଇଣ୍ଡିଆ ଚେସ୍ ଫେଡ଼େରେସନ୍ ପକ୍ଷରୁ ଆଜି ନୂଆଦିଲ୍ଲୀଠାରେ ଟର୍ଚ୍ଚ ରିଲେ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ ।
ଏହି ଚେସ୍ ଅଲିମ୍ପିଆଡ୍କୁ ଆୟୋଜନ କରିବା ପାଇଁ ଅଲ୍ ଇଣ୍ଡିଆ ଚେସ୍ ଫେଡେରେସନ୍ ପକ୍ଷରୁ ୧୦ ଜଣିଆ ସଦସ୍ୟ ବିଶିଷ୍ଟ ଏକ ସର୍ବୋଚ୍ଚ କମିଟି ଗଠନ କରାଯାଇଛି । ଏହି ସର୍ବୋଚ୍ଚ କମିଟିରେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ ସଦସ୍ୟ ଭାବେ ନିଆଯାଇଛି ।
ଗତ ୧୫ ବର୍ଷ ଧରି ଚେସ୍ର ବିକାଶ କ୍ଷେତ୍ରରେ କିଟ୍ ଓ କିସ୍ର ଯୋଗଦାନ ଓ ଡ. ସାମନ୍ତଙ୍କ ଉଲ୍ଲେଖନୀୟ ଅବଦାନ ସକାଶେ ଡ. ଅଚ୍ୟୁତ ସାମନ୍ତଙ୍କୁ ଏହି କମିଟିରେ ସଦସ୍ୟ ଭାବେ ନିଆଯାଇଛି । ଚେସ୍ ଅଲିମ୍ପିଆଡ୍ ଆୟୋଜନ ସର୍ବୋଚ୍ଚ କମିଟିର ସଦସ୍ୟ ଭାବେ ଡ. ସାମନ୍ତଙ୍କୁ ଉଦ୍ଘାଟନୀ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଥିବାରୁ ଡ. ସାମନ୍ତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଯୁବ ବ୍ୟାପାର, କ୍ରୀଡ଼ା, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର, କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିଶିଥ ପ୍ରମାଣିକ, ଅନ୍ତର୍ଜାତୀୟ ଚେସ୍ ଫେଡେରେସନ୍ର ସଭାପତି ଅର୍କାଦି ଦୋର୍କୋଭିଚ୍, ସର୍ବଭାରତୀୟ ଚେସ୍ ସଂଘର ସଭାପତି ଡ. ସଞ୍ଜୟ କପୁର ପ୍ରମୁଖ ଉପସ୍ଥିତ ଥିବା ବେଳେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଓଡ଼ିଶା ଚେସ୍ ସଂଘର ସମସ୍ତ କର୍ମକର୍ତା ମଧ୍ୟ ଉପସ୍ଥିତ ଥିଲେ ।