ବଜାରରେ ମିଳୁନି ଡିଜେଲ, ଗାଡ଼ି ଗଡିବା କଷ୍ଟକର ହୋଇଗଲାଣି

ନବରଙ୍ଗପୁର(କେନ୍ୟୁଜ୍):  ମିଳୁନି ଡିଜେଲ। ସମସ୍ତ ବର୍ଗର ଲୋକେ ପ୍ରଭାବିତ। ନବରଙ୍ଗପୁର ସହରରୁ ଉଭାନ ହେଇଯାଇଛି ଡିଜେଲ। ଯାତ୍ରୀବାହୀ ଗାଡି ଠାରୁ ଆରମ୍ଭ କରି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡି ଗୁଡିକ ଗଡ଼ିବା କଷ୍ଟକର ହେଇ ପଡ଼ିଲାଣି। ଗତ ୫ ଦିନ ଧରି ଡିଜେଲର ଏଭଳି ଅଭାବ ଦେଖାଦେଇଛି। ଯଦି ଆସନ୍ତା କାଲି ମଧ୍ୟ ଡିଜେଲ ନ ମିଳେ ତେବେ ଚାଉଳ ତେଲ ଡାଲି ଭଳି ରାସନ ସାମଗ୍ରୀ ସହ ଆଳୁ ପିଆଜ ପନିପରିବାର ଦର ମଧ୍ୟ ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହେଲାଣି।

ଅନ୍ୟପଟେ ଘରୋଇ ଗାଡି ଭଡା ନେଇ ଯାଉଥିବା ଯାତ୍ରୀ ମାନଙ୍କୁ ମଧ୍ୟ ଅଧିକା ଭଡା ଦେବାକୁ ପଡିପାରେ। ଅନ୍ୟପଟେ ଗାଡି ମାଲିକମାନେ କିଛି ଦିନ ହେଲା ନବରଙ୍ଗପୁର ଠାରୁ ୧୨ କିମି ଦୂରରେ ପାପଡାହାଣ୍ଡିରୁ ଡିଜେଲ ଆଣି ଗାଡିରେ ପକାଉଥିଲେ। କିନ୍ତୁ ବର୍ତ୍ତମାନ ପାପଡାହାଣ୍ଡିରେ ମଧ୍ୟ ଆଉ ଡିଜେଲ ମିଳୁ ନାହିଁ। ଏଭଳି ସ୍ଥିତିରେ ରାସ୍ତାରେ ଗାଡି ଗଡ଼ିବା କଷ୍ଟକର ହୋଇ ପଡ଼ିଲାଣି।

ଗ୍ରାମାଞ୍ଚଳର ଲୋକେ ମଧ୍ୟ ସହରକୁ ବିଭିନ୍ନ ଗାଡି ସାହାଯ୍ୟରେ ଆସି ପନିପରିବା ରାସନ ସାମଗ୍ରୀ ଭଳି ଅନେକ ଜିନିଷ ପତ୍ର ଗାଁକୁ ନେଇ ବ୍ୟବସାୟ କରନ୍ତି । କିନ୍ତୁ ଏ ଡିଜେଲର ଅଭାବ ଗ୍ରାମଞ୍ଚଳର ଲୋକଙ୍କ ଉପରେ ପ୍ରଭାବ ପକେଇ ସାରିଲାଣି। ପେଟ୍ରୋଲ ପମ୍ପ ମାଲିକ ମାନେ ମଧ୍ୟ କମ୍ପାନୀ ଗୁଡିକୁ ଆଗୁଆ ପଇସା ଜମା କଲେ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ଡିଜେଲ ଆସୁ ନାହିଁ।

ଯାହା ଟିକେ ଡିଜେଲ ଆସୁଛି ତାହା ୧ ଘଣ୍ଟା ଭିତରେ ପମ୍ପରେ ସରି ଯାଉଛି। ଅନ୍ତର୍ଜାତୀୟ ବଜାରରେ ତେଲ ଦର ବୃଦ୍ଧି ପାଉଥିବାରୁ କମ୍ପାନୀ ମାନେ ଅଧିକା ପରିମାଣର ତେଲ ଉଠାଉ ନଥିବା ଜଣା ପଡ଼ିଛି। ଏଭଳି ସ୍ଥିତି ରହିଲେ ଆଗକୁ ଦର ଦାମ ଆକାଶ ଛୁଆଁ ହେଇପାରେ । ଏ ସମସ୍ୟା ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ।