ଆସନ୍ତାକାଲି ଦ୍ବିତୀୟ ଦିନିକିଆ, କୋହଲିଙ୍କୁ ଅପେକ୍ଷା କରିଛି ଆଉ ଏକ ବିଶ୍ବ ରେକର୍ଡ଼

ନୂଆଦିଲ୍ଲୀ : ଆସନ୍ତାକାଲି ବିଶାଖାପାଟଣାରେ ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍ । ପ୍ରଥମ ମ୍ୟାଚ୍ ଅତି ସହଜରେ ୮ ୱିକେଟରେ ଜିତି ସିରିଜରେ ୧-୦ରେ ଆଗୁଆ ଅଛି ଟିମ୍ ଇଣ୍ଡିଆ । ତେଣୁ ଆଉ ଏକ ବିଜୟ ହାସଲ କରି ସ୍ଥିତି ଦୃଢ଼ କରିବା ଲକ୍ଷ୍ୟରେ ରହିଛି ଘରୋଇ ଦଳ । ତେବେ ଏସବୁ ଭିତରେ ଅନେକ ରେକର୍ଡ଼ କରିବାର ସୁଯୋଗ ରହିଛି ଭାରତୀୟ ଖେଳାଳିଙ୍କ ହାତରେ। ବିଶେଷ କରି ରନ୍ ମେସିନ୍ ତଥା ରେକର୍ଡ଼ ପରେ ରେକର୍ଡ଼ ଭାଙ୍ଗି ଚାଲିଥିବା ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଅଧିକ ସୁଯୋଗ ରହିଛି ।

 ୧୧୧ ରନ୍ କଲେ ବିଶ୍ବ ରେକର୍ଡ଼ କରିବେ

କୋହଲି ଆଉ ୮୧ ରନ୍ କଲେ ଦିନିକିଆ ଆନ୍ତର୍ଜାତିକରେ ୧୦ ହଜାର ରନ୍ କ୍ଲବରେ ସାମିଲ ହେବେ । ଯାହା ହେବ ଏକ ନୂଆ ବିଶ୍ବ ରେକର୍ଡ଼ । ଏବେ ସେ ୯୯୧୯ ରନ୍ କରିଛନ୍ତି । ବର୍ତ୍ତମାନର ରେକର୍ଡ଼ ସଚିନ ତେନ୍ଦୁଲକରଙ୍କ ନାଁରେ ରହିଛି । ସଚିନ୍ ୨୫୯ଟି ଦିନିକିଆ ଖେଳି ୧୦ ହଜାର ରନ୍ କରିଥିଲେ । ତେବେ କୋହଲି ଏପର୍ଯ୍ୟନ୍ତ ୨୧୨ଟି ମ୍ୟାଚରେ ୨୦୪ଟି ଇନିଂସ୍ ଖେଳିଛନ୍ତି । ଅବଶ୍ୟ ଏକଥା ସ୍ପଷ୍ଟ ଯେ ସେ ଏହା ଭିତରେ ଯେବେବି ୮୧ ରନ୍ ସଂଗ୍ରହ କରିବେ ସବୁଠାରୁ ଦ୍ର ୁତଗତିରେ ୧୦ ହଜାର ରନ୍ ପୂରଣ କରିବାର ବିଶ୍ବ ରେକର୍ଡ଼ କରିବେ । ଏପର୍ଯ୍ୟନ୍ତ ବିଶ୍ବରେ ମୋଟ ୧୨ ଜଣ ଖେଳାଳି ୧୦ ହଜାର ରନ୍ କ୍ଲବରେ ପହଞ୍ଚିଛନ୍ତି । ଏଥିରେ ସଚିନ (୧୮,୪୨୬ ରନ୍)ଙ୍କ ସମେତ ଭାରତର ୪ ଜଣ ଖେଳାଳି ସୌରଭ ଗାଙ୍ଗୁଲି (୧୧,୩୬୩), ରାହୁଲ ଦ୍ରାବିଡ଼ (୧୦,୮୮୯) ଏବଂ ମହେନ୍ଦ୍ର ସିଂହ ଧୋନି (୧୦,୧୨୩) ଅଛନ୍ତି ।

ଆହୁରି ମଧ୍ୟ ଆଉ ୩୦ ରନ୍ କଲେ କୋହଲି ଭାରତ ମାଟିରେ ୪ ହଜାର ଦିନିକିଆ ଆନ୍ତର୍ଜାତିକ ରନ୍ ପୂରଣ କରିବେ । ତାଙ୍କ ପୂର୍ବରୁ ତେନ୍ଦୁଲକର (୬୯୭୬) ଏବଂ ଧୋନି (୪୨୧୬) ଏହି ସଫଳତା ଲାଭ କରିଛନ୍ତି । ସାରା ବିଶ୍ବରେ ଏଯାଏ କେବଳ ୯ ଜଣ ବ୍ୟାଟସମ୍ୟାନ୍ ଘରୋଇ ମାଟିରେ ୪ ହଜାରରୁ ଊର୍ଦ୍ଧ୍ବ ରନ୍ ସଂଗ୍ରହ କରିଛନ୍ତି ।

ରେକର୍ଡ଼ମ୍ୟାନ୍ କୋହଲି ୨୦୧୮ ବର୍ଷରେ ଦିନିକିଆରେ ୮୮୯ ରନ୍ ସଂଗ୍ରହ କରି ସାରିଛନ୍ତି । ଆଉ ୧୧୧ ରନ୍ କଲେ କ୍ୟାଲେଣ୍ଡର ଇୟରରେ ୧ ହଜାର ରନ୍ ପୂର୍ଣ୍ଣ କରିବେ । ମାତ୍ର ୧୦ଟି ମ୍ୟାଚ ଖେଳି ସେ ୧୨୭.୦୦ ହାରରେ ଏହି ରନ୍ ସ୍କୋର କରିଛନ୍ତି । ଏଥିରେ ରହିଛି ୪ଟି ଶତକ, ୩ଟି ଅର୍ଦ୍ଧଶତକ । ଏବେ ସେ ଯେଭଳି ଜୋରଦାର ଫର୍ମରେ ଅଛନ୍ତି ଦ୍ବିତୀୟ ମ୍ୟାଚରେ ୧ ହଜାର ରନ୍ ମଧ୍ୟ ପୂରଣ କରି ଦେଇ ପାରନ୍ତି ।

ଲଢ଼େଇ ପାଇଁ ପୁଣି ପ୍ରସ୍ତୁତ

ବିଶାଖାପାଟଣା : ଦ୍ବିତୀୟ ମ୍ୟାଚ ଖେଳିବା ପାଇଁ ଉଭୟ ଭାରତ ଓ ଇଣ୍ଡିଜ୍ ଦଳ ବିଶାଖାପାଟଣାରେ ପହଞ୍ଚି ସାରିଛନ୍ତି । ଭାରତୀୟ ଦଳ ସୋମବାର ସକାଳେ ଓ ଇଣ୍ଡିଜ୍ ଖେଳାଳି ସନ୍ଧ୍ୟାରେ ପହଞ୍ଚିଥିଲେ । କାଲି ଭାଇଜାଗ କ୍ରିକେଟ୍ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ । 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.