ମାକ୍ସେଓ୍ଵଲ୍ଙ୍କ ଶତକରେ ମାତ୍ ଖାଇଲା ଭାରତ, ଦ୍ୱିତୀୟ ଟି-୨୦ ଜିତି ସିରିଜ୍ ବିଜୟୀ ହେଲା ଅଷ୍ଟ୍ରେଲିଆ

ବେଙ୍ଗାଲୁରୁ : ଦ୍ୱିତୀୟ ଟି-୨୦ରେ ଗ୍ଲେନ୍ ମାକ୍ସେଓ୍ଵଲ୍ଙ୍କ ଧମାକା । ଛୋଟିଆ ଗ୍ରାଉଣ୍ଡରେ ଶତକ ହାସଲ କରି ଅଷ୍ଟ୍ରେଲିଆକୁ ୨-୦ରେ ସିରିଜ୍ ଜିତାଇଛନ୍ତି । ୫୦ ବଲ୍ରେ ୬ଟି ଚୌକା ଓ ୮ଟି ଛକା ମାରି ସେ ଶତକ ହାସଲ କରିଥିଲେ । ଯାହାଫଳରେ ଅଷ୍ଟ୍ରେଲିଆର ବିଜୟ ସହଜ ହୋଇ ଯାଇଥିଲା । ୫୫ ବଲ୍ରେ ୧୧୩ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ଓପ୍ନର ସର୍ଟ ୪୦ (୨୮ ବଲ୍, ୬ ଚୌକା) ଏବଂ ହାଣ୍ଡସ୍କମ୍ବ ଅପରାଜିତ ୨୦ ରନ୍ କରିଥିଲେ । ଫଳରେ ଆଉ ୨ଟି ବଲ୍ ହାତରେ ଥାଇ ଭ୍ରମଣକାରୀ ଦଳ ୭ ଓ୍ଵିକେଟ୍ରେ ବିଜୟୀ ହୋଇଥିଲା ।
ପୂର୍ବରୁ କୋହଲି-ଧୋନି ଯୋଡ଼ ଶହେ ରନ୍ର ଭାଗିଦାରୀ କରିବା ଫଳରେ ଅଷ୍ଟ୍ରେଲିଆ ଆଗରେ ୧୯୧ ରନ୍ର ବିଜୟଲକ୍ଷ୍ୟ ରଖିଲା ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୪ ଓ୍ଵିକେଟ୍ ହରାଇ ୧୯୦ ରନ୍ କରିଥିଲା । କୋହଲି ୭୨ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଭାରତୀୟ ଦଳ ଦଳ ପକ୍ଷରୁ ଓପ୍ନର ଲୋକେଶ ରାହୁଲ ୨୬ ବଲ୍ରୁ ୪୭ ରନ୍ (୩ ଚୌକା, ୪ ଛକା) କରିଥିଲେ । ତେବେ ଅଧିନାୟକ ବିରାଟ କୋହଲି ଓ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହଙ୍କ ଧୋନି ପୂରା ଦମ୍ରେ ଆକ୍ରମଣ କରି ଅଷ୍ଟ୍ରେଲିଆ ବୋଲର୍ଙ୍କୁ ନୟାନ୍ତ କରି ଦେଇଥିଲେ । ଚତୁର୍ଥ ଓ୍ଵିକେଟ୍ରେ ସେମାନେ ମାତ୍ର ୮ ଓଭର ସାଥୀ ହୋଇ ଖେଳି ୧୦୦ ରନ୍ ସଂଗ୍ରହ କରିଥିଲେ । ଧୋନି ୨୩ ବଲ୍ରେ ୪୦ ରନ୍ (୩ ଚୌକା ଓ ୩ ଛକା) କରି ଶେଷ ଓଭର୍ର ପ୍ରଥମ ବଲ୍ରେ ଆଉଟ୍ ହୋଇଥିଲେ । ବିରାଟ ମାତ୍ର ୩୮ ବଲ୍ରୁ ୭୨ ରନ୍ (୨ ଚୌକା, ୬ ଛକା) କରିଥିଲେ । ସେ ୧୬ତମ ଓଭରରେ କଲଟର ନିଲ୍ଙ୍କ ବଲ୍ରେ ‘ହ୍ୟାଟ୍ରିକ୍’ ଛକା ମାରିଥିଲେ । ସେହିଭଳି ଶେଷ ବଲ୍ରେ ସେ ଛକା ମାରିବା ଯୋଗୁଁ ଦଳ ୧୮୪ରୁ ୧୯୦ ରନ୍ରେ ପହଞ୍ଚି ଯାଇଥିଲା । ଦୀନେଶ କାର୍ତ୍ତିକ ଅପରାଜିତ ୮ ରନ୍ କରିଥିଲେ ।
ପୂର୍ବରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଆରୋନ୍ ଫିଞ୍ଚ । ଭାରତୀୟ ଦଳରେ ତିନିଟି ପରିବର୍ତ୍ତନ କରାଯାଇଥିଲା । ରୋହିତ ଶର୍ମା, ମାର୍କଣ୍ଡେ ଓ ଉମେଶ ଯାଦବଙ୍କ ଜାଗାରେ ଧବନ୍, ବିଜୟ ଶଙ୍କର ଏବଂ ସିଦ୍ଧାର୍ଥ କୌଲ ଖେଳିଥିଲେ ।
ସ୍କୋର : ଭାରତ-୧୯୦/୪, ୨୦ ଓଭର (ରାହଲ ୪୭, ଧବନ ୧୪, କୋହଲି ଅପରାଜିତ ୭୨, ପନ୍ତ ୧, ଧୋନି ୪୦, କାର୍ତ୍ତିକ ଅପରାଜିତ ୮) ।
ଅଷ୍ଟ୍ରେଲିଆ- /, ୧୯.୪ ଓଭର (ସର୍ଟ ୪୦, ଷ୍ଟୋଇନିସ୍ ୭, ଫିଞ୍ଚ ୮, ମାକ୍ସେଓ୍ଵଲ୍ ଅପରାଜିତ ୧୧୩ (୭ ଚୌକା, ୯ ଛକା), ହାଣ୍ଡସ୍କମ୍ବ ଅପରାଜିତ ୨୦ । ବିଜୟ ଶଙ୍କର ୨/୩୮ )