ଜନ୍ମଦିନରେ ସମସ୍ତଙ୍କ ଆଶୀର୍ବାଦ ନେଲେ ଦୌଡ଼ ରାଣୀ ଦୂତି ଚାନ୍ଦ, କହିଲେ ସଫଳତା ଜାରି ରଖିବି

ଭୁବନେଶ୍ୱର (କେନ୍ୟୁଜ୍) : ଫେବ୍ରୁଆରୀ ୩ ତାରିଖ । ଓଡ଼ିଶା କ୍ରୀଡ଼ା ପାଇଁ ଏକ ମନେ ରଖିଲା ଭଳି ଦିନ । ଏହି ଦିନ ଜନ୍ମ ନେଇଛନ୍ତି ଓଡ଼ିଶାର ମହିଳା ଆଥ୍ଲେଟ୍ ଦୂତି ଚାନ୍ଦ । ଆଜି ଜନ୍ମ ଦିନରେ ଦୂତି ସାରା ଓଡ଼ିଶାବାସୀଙ୍କ ଆଶୀର୍ବାଦ ଭୀକ୍ଷା କରିଛନ୍ତି ଏବଂ ପାଇଛନ୍ତି ମଧ୍ୟ । ଭୁବନେଶ୍ୱର ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଦୂତିଙ୍କୁ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କ କ୍ରୀଡ଼ା କ୍ୟାରିୟର ଏବଂ ଆଗାମୀ ଅଲିମ୍ପିକ୍ରେ ସଫଳତା କାମନା କରିଥିଲେ । ଶହେ ଓ ଦୁଇ ଶହ ମିଟର ଦୌଡ଼ରେ ଦେଶର ଅପ୍ରତିଦ୍ୱନ୍ଦ୍ୱୀ ଧାବିକା ଭାବେ ଖ୍ୟାତି ଅର୍ଜନ କରିଥିବା ଦୂତି ଏବେ ଅଲିମ୍ପିକ୍ ଯୋଗ୍ୟତା ଅର୍ଜନ ଲକ୍ଷ୍ୟରେ ଅଛନ୍ତି ।
ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା ସବୁବେଳେ ଦୂତିଙ୍କୁ ପ୍ରୋତ୍ସାହନ ଦେଇ ଆସୁଥିବା ଡ. ଅଚ୍ୟୁତ ସାମନ୍ତ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟର ପ୍ରଥମ ଅର୍ଜୁନ ପୁରସ୍କାର ବିଜୟିନୀ ମହିଳା କ୍ରୀଡ଼ାବିତ୍ ମିନତି ମହାପାତ୍ର, କିଟ୍ ବିଶ୍ୱବିଦ୍ୟାଳୟ ପ୍ରୋ-ଭାଇସ୍ ଚାନସେଲର ଡ. ସସ୍ମିତା ସାମନ୍ତ, କିଟ୍ କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।
ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ସିନେଷ୍ଟାର ମିହିର ଦାସ, ସବ୍ୟସାଚୀ, କଳିଙ୍ଗ ଟିଭିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଖଟୁଆ, ମୁଖ୍ୟ ସମ୍ପାଦକ ସୌମ୍ୟଜିତ୍ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଦିଲୀପ ହାଲି, ଭାରତୀୟ ମହିଳା ଫୁଟ୍ବଲ୍ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ପ୍ରମୁଖ ଯୋଗ ଦେଇ ଦୂତିଙ୍କୁ ଶୁଭକାମନା ଜଣାଇଥିଲେ । ଏହି ଅବସରରେ ଦୂତି ଜନ୍ମ ଦିନର କେକ୍ କାଟିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଦୁତିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ ।
ସେହିପରି ଓଡ଼ିଶାର ଦୁଇ ଅନ୍ତର୍ଜାତୀୟ ଆଥ୍ଲେଟ୍ ଜଉନା ମୁର୍ମୁ ଏବଂ ପୂର୍ଣ୍ଣିମା ହେମ୍ବ୍ରମ୍ ମଧ୍ୟ ଦୂତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କର ସଫଳତା କାମନା କରିଥିଲେ । ଏହି ଅବସରରେ ଦୂତି ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହିତ ଆଗକୁ ରାଜ୍ୟ ତଥା ଦେଶର ଗୌରବ ବଢ଼ାଇବା ପାଇଁ ପୂରା ଦମ୍ରେ ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି ।
ଏହା ସହିତ ଏବେ ସେ ଯେଉଁ ସ୍ତରରେ ପହଞ୍ଚିଛନ୍ତି ସେଥିପାଇଁ ନିଜ ପରିବାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଡ. ଅଚ୍ୟୁତ ସାମନ୍ତଙ୍କ ସହଯୋଗ ଓ ଆଶୀର୍ବାଦକୁ ଶ୍ରେୟ ଦେଇଛନ୍ତି । ଓଡ଼ିଶାବାସୀଙ୍କ ସ୍ନେହ ଓ ଆଶୀର୍ବାଦ ମିଳିଲେ ସେ ଟୋକିଓ ଅଲିମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରି ଦେଶର ନାଁ ରଖିବେ ବୋଲି କହିଛନ୍ତି ।