ବିଶ୍ୱ କପ୍ ପରେ ଅବସର ନେବେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍, ଘୋଷଣା କଲେ ‘ଆଇ ଆମ୍ ଦ ବସ୍’

ନୂଆଦିଲ୍ଲୀ : ଯିଏ କ୍ରିକେଟ୍ ପଡ଼ିଆକୁ ଆସିଲେ କେବଳ ଛକା ଚୌକା ଦେଖିବାକୁ ମିଳେ । ଯାହାଙ୍କ ନାଁ ଶୁଣିଲେ ବୋଲରଙ୍କ ହୃତ୍କମ୍ପ ହୁଏ ସେହି ବ୍ୟାଟ୍ସମ୍ୟାନ୍ ଦିନିକିଆ କ୍ରିକେଟ୍ରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି । େଓ୍ଵଷ୍ଟଇଣ୍ଡିଜ୍ ତଥା ବିଶ୍ୱର ସବୁଠାରୁ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ କହିଛନ୍ତି ଆଗାମୀ ବିଶ୍ୱ କପ୍ ପରେ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ନେବେ ।
ଆଗାମୀ ବିଶ୍ୱ କପ୍ ଇଂଲଣ୍ଡରେ ମେ ମାସରୁ ଖେଳାଯିବ । ଏଥଇରେ ଇଣ୍ଡିଜ୍ର ପ୍ରତିନିଧିତ୍ୱ କରିବେ ଏହି ବସ୍ଫୋରକ ବ୍ୟାଟ୍ସମ୍ୟାନ୍ । ୧୯୯୯ରେ ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନ ଆରମ୍ଭ କରିଥିବା ଷ୍ଟାଇଲିସ୍ ଗେଲ୍ ବ୍ରାଏନ୍ ଲାରାଙ୍କ ପରେ ଦିନିକିଆରେ ଇଣ୍ଡିଜ୍ ଦଳର ସର୍ବାଧିକ ରନ୍ ସ୍କୋରରର । ଆଉ ୨୭୩ ରନ୍ କଲେ ସେ ଦିନିକିଆରେ ୧୦ ହଜାର ରନ୍ ପୂରଣ କରିବେ । ସେ ଏପର୍ଯ୍ୟନ୍ତ ୨୮୪ଟି ମ୍ୟାଚ୍ ଖେଳି ୯୭୨୭ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ରହିଛି ୨୩ଟି ଶତକ ଓ ୪୯ଟି ଅର୍ଦ୍ଧଶତକ । ବ୍ରାଏନ୍ ଲାରା ୧୦,୪୦୫ ରନ୍ କରିଛନ୍ତି ।
ତେବେ ଗେଲ୍ ଟିକେ ବଡ଼େଇ କରି କହିଛନ୍ତି ଯେ ସେ ହେଉଛନ୍ତି ସବୁଠାରୁ ମହାନ୍ ଖେଳାଳି, ସାରା ବିଶ୍ୱରେ ଶ୍ରେଷ୍ଠ ‘ମୁଁ ହେଉଛି ବସ୍’ । ଓପ୍ନର ଗେଲ୍ଙ୍କୁ ଏବେ ୩୯ ବର୍ଷ । ସେ ଇଣ୍ଡିଜ୍ ତରଫରୁ ସବୁ ଫର୍ମାଟକୁ ମିଶାଇ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ମ୍ୟାଚ୍ ଖେଳିବା ସହ ୪୦ରୁ ଅଧିକ ଶତକ ମଧ୍ୟ ହାସଲ କରିଛନ୍ତି । ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ସେ ଦିନିକିଆରୁ ଓହରି ଯିବେ ବୋଲି କହିଛନ୍ତି । ତେବେ ନିଜର ଶେଷ ବିଶ୍ୱ କପ୍କୁ ସେ ସ୍ମରଣୀୟ କରିବା ଲାଗି ପୂରା ଦମ୍ରେ ଚେଷ୍ଟା କରିବେ ଓ ଦଳକୁ ଟ୍ରଫି ଜିତାଇବା ଲାଗି ଉଦ୍ୟମ କରିବେ ବୋଲି ଗେଲ୍ କହିଛନ୍ତି ।